No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ଜୁନ , ସୋମବାର ) ଭୁବନେଶ୍ୱର,ରିପୋର୍ଟ ସୋନାଲି ମହାରଣା :- ଓଡ଼ିଶାର ଗଣ ପର୍ବ ରଜ ସାଧାରଣତଃ କୃଷି କ୍ଷେତ୍ର ଏବଂ କୃଷକ ମାନଙ୍କ ପାଇଁ ମହାନ ଉତ୍ସବ । ପୃଥିବୀ କୁ ମାଆ ଅର୍ଥାତ ନାରୀ ସହ ତୁଳନା କରାଯାଇଛି । ଯେଉଁ ମାଟି ମାଆକୁ ବର୍ଷକ ବାର ମାସ କାଳ କର୍ଷଣ କରି ଫସଲ ଉତ୍ପାଦନ କରିଥାଉ ସେହି ମାଟି ମାଆ ପାଇଁ ଏହି ୪ ଦିନ କର୍ଷଣ କରିବାରୁ ନିବୃତ୍ତ ରହିଥାଉ । ଗୋଟିଏ ନାରୀ ଭଳି ମାଟି ମାଆ ଏହି ଚାରି ଦିନ ଧରି ମାସିକ ଧର୍ମ ପାଳନ କରିଥାନ୍ତି । ଏହି ପର୍ବଟିକୁ ଓଡ଼ିଶାର ଲୋକେ ବହୁ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । କୁଆଁରୀ ଝିଅ ମାନଙ୍କ ପାଇଁ ରଜଟି ଅନ୍ୟତମ ପର୍ବ । ଓଡ଼ିଶାର ପ୍ରତ୍ୟେକ ଗାଁ ଗଣ୍ଡା ଘରେ ଘରେ ପାଳିତ ହୁଏ ରଜ ପର୍ବ । ରଜ ରେ ରଜ କୁଆଁରୀ ମାନେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି ମିଠା ,ପିଠାପଣା , ପାନ ଖିଲ ରେ ଝୁମି ଉଠେ ଗାଁ ଦାଣ୍ଡ । ଏହି ପର୍ବ ଚାରି ଦିନ ଲାଗି ରୁହେ ।

ପ୍ରଥମ ଦିନ ପହିଲି ରଜ , ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି , ତୃତୀୟ ଦିନ ଭୂମି ଦହନ , ଚତୁର୍ଥ ଦିନ ମହାଲକ୍ଷ୍ମୀ ବୁଡ଼ ପାଳନ କରାଯାଏ । ପହିଲି ରଜରେ ଝିଅ ବୋହୁ ଅଳତା , ସିନ୍ଦୁର , କୁକୁମ , କଜଳ , ଗଭାରେ ଗଜରା ନାନା ରଙ୍ଗ ବେରଙ୍ଗରେ ବଉଳବେଣୀ ସଜାଇ ନୂଆ ନୂଆ ବସ୍ତ୍ର ପିନ୍ଧି ଗାଁ ଦାଣ୍ଡ ବୁଲି ବୁଲି ପିଠା ପଣା ଖାଇଥାନ୍ତି । କୁଆଁରୀ ଝିଅ ମାନେ ମିଳି ମିଶି ଲୁଡୁ , ପୁଚି , କଉଡ଼ି ଖେଳ ଖେଳିବା ସହ ଦୋଳି ଖେଳ ର ଆନନ୍ଦ ଉଠାଇଥାନ୍ତି । ନାଚ , ଗୀତ ରେ ଝୁମି ଉଠନ୍ତି ଝିଅ ମାନେ । ଏହି ଦିନ ଗୁଡିକରେ ଦୋଳି ଖେଳ କୁ ବିଶେଷ ଗୁରୁତ୍ୱ ଦିଆଯାଏ । ଏହାସହ ଦୋଳି ଖେଳ ର ବୈଜ୍ଞାନସମ୍ମତ କାରଣ ମଧ୍ୟ ରହିଅଛି ।

ଖାଲି ଝିଅ ବୋହୂ ନୁହଁ ଗାଁ ଗଣ୍ଡା ର ପୁରୁଷ ମାନେ ତାସ ,କବାଡି , ଖୋ ଖୋ , ପସାପାଲି ଖେଳ ସହିତ ଭୋଜି ଭାତର ଆସର ରେ ମସଗୁଲ ହୋଇଥାନ୍ତି । ଏହାପରେ ରଜର ଦ୍ଵିତୀୟ ଦିନ ରଜ ସଂକ୍ରାନ୍ତି ପାଳନ କରିଥାନ୍ତି । ତୃତୀୟ ଦିନ ଭୂମି ଦହନ ରେ କୁଆଁରୀ ଝିଅ ମାନେ ମାଟି କୁ ସ୍ପର୍ଶ ନକରି କଦଳୀ ପାଟୁଆ ପାଦରେ ବାନ୍ଧି ଚାଲିବାର ପରମ୍ପରା ରହିଥାଏ । ସେହିଦିନ ମାନଙ୍କ ରେ ମୂର୍ତ୍ତିକା କୁ ପୀଡ଼ା ନଦେଇ ଚାଷ କାର୍ଯ୍ୟ କରିବା ଅବା ଭୂମି କୁ ଖୋଦନ କରିବା ପାଇଁ ବାରଣ କରାଯାଇଥାଏ । ଚତୁର୍ଥ ଦିନ ମହାଲକ୍ଷ୍ମୀ ବୁଡ଼ ରେ ଚାରି ଦିନ ଧରି ରାଜସ୍ଫଳା ଦେବୀ ଙ୍କୁ ଶୁଚିମନ୍ତ କରାଯାଇ ଫୁଲ ,ଧୂପ ,ଦୀପ , ଭୋଗ ଅର୍ପଣ କରାଯାଇଥାଏ ।

ଓଡ଼ିଶାର ରଜ ପର୍ବ ଅତ୍ୟନ୍ତ ଉତ୍କଣ୍ଠାପୂର୍ଣ୍ଣ ଓ ଝିଅ ବୋହୂ ମାନଙ୍କ ପାଇଁ ବିଶେଷ ପର୍ବ ହୋଇଥାଏ । ଆଗ କାଳରେ ରାଜସ୍ୱଳା କୁଆଁରୀ ଝିଅ ମାନଙ୍କୁ ୪ ଦିନ ପାଇଁ କୋୖଣସି କାମ କରିବାକୁ ଦିଆଯାଉନଥିଲା ଏବଂ ଫଳ ମୂଳ , ପୃଷ୍ଟିକର ଖାଦ୍ୟ ଇତ୍ୟାଦି ଦିଆଯାଉଥିଲା । ସେହିଭଳି ସର୍ବ ପୂଜ୍ୟା ରାଜସ୍ୱଳା ଦେବୀଙ୍କର ଏହି ୪ ଦିନ କୁ ରଜ ପର୍ବ ଭାବେ ପାଳନ କରାଯାଏ । କେତେକ ରାଜ୍ୟରେ ଏହାର ବିଶେଷତା ନଥିଲେ ମଧ୍ୟ କୃଷକ ମାନଙ୍କ ପାଇଁ ଏକ ବିଶେଷ ପର୍ବ ଭାବେ ପରିଗଣିତ ହୋଇଥାଏ । ଓଡ଼ିଶାର ସୌନ୍ଦର୍ଯ୍ୟ ଓଡ଼ିଶାର ପର୍ବ ପର୍ବାଣୀ ହୋଇ ଫୁଟି ଆସିଲା ଭଳି ରଜ ଏକ ଭିନ୍ନ ଓ କୃଷି ରୋଚକ ପର୍ବ ଅଟେ ।
No Result
View All Result