No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୭ ଜୁନ ସୋମବାର ) ଭୁବନେଶ୍ୱର :- ଯେଉଁମାନଙ୍କ ପାଇଁ ଓଡ଼ିଶା ସାରା ବିଶ୍ୱରେ ସ୍ବତନ୍ତ୍ର ପରିଚୟ ପାଇଛି, ସେମାନେ ଆଜି ଦୁର୍ଦ୍ଦଶା ଓ ହତାଶାରେ ଜୀବନ ବିତାଉଛନ୍ତି । କୋଭିଡ୍ କଟକଣା ଭିତରେ ହାତବାନ୍ଧି ବସିଥିବା ଶିଳ୍ପୀ ଓ ବୁଣାକାରମାନେ ଜୀବନଜୀବିକାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି । ଗୌରବମୟ କଳାର ଅଧିକାରୀ ହୋଇଥିଲେ ବି ନିଜକୁ ଅସହାୟ ମନେ କରୁଛନ୍ତି। ଏ ପରିସ୍ଥିତିରେ ରାଜ୍ୟ ଓ କେନ୍ଦ୍ର ସରକାର ସେମାନଙ୍କ କଥା ଚିନ୍ତା କରୁ ନ ଥିବା ସେମାନେ ଅଭିଯୋଗ ଆଣିଛନ୍ତି ।
ସୂଚନାନୁସାରେ, ରାଜ୍ୟରେ ୫ଲକ୍ଷରୁ ଊର୍ଦ୍ଧ୍ୱ ଶିଳ୍ପୀ ଓ ବୁଣାକାର ରହିଛନ୍ତି । ଇତିମଧ୍ୟରେ ରାଜ୍ୟର ବହୁ ଶିଳ୍ପୀ ଓ ବୁଣାକାର କରୋନାରେ ଆଖି ବୁଜିଛନ୍ତି । ଏହାସତ୍ତ୍ୱେ ସରକାର ଏମାନଙ୍କୁ ଅଣଦେଖା କରୁଥିବା ବାରମ୍ବାର ଅଭିଯୋଗ ହେଉଛି । କିଏ କରୋନାରେ ତ କିଏ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଆଖି ବୁଜିଛନ୍ତି । ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହସ୍ତଶିଳ୍ପୀଙ୍କ ପାଇଁ ଆମ୍ ଆଦ୍ମୀ ବୀମା ଯୋଜନା ଓ ବୁଣାକାରଙ୍କ ପାଇଁ ମହାତ୍ମାଗାନ୍ଧୀ ବୁଣାକାର ବୀମା ଯୋଜନା କାର୍ଯ୍ୟକାରୀ କରାଯାଉଥିଲା ।
ଏହାକୁ ଏବେ ବନ୍ଦ କରି ଦିଆଯାଇଛି । ସେହିପରି ପୂର୍ବରୁ ଥିବା ସ୍ବାସ୍ଥ୍ୟ ବୀମାକୁ ମଧ୍ୟ ୫/୬ବର୍ଷ ହେବ ବନ୍ଦ କରି ଦିଆଯାଇଛି। କରୋନା କାଳରେ ଗୋଟିଏ ପଟେ ଏମାନେ ଜୀବିକା ହରାଇ ବସୁଥିବାବେଳେ ଅନ୍ୟପକ୍ଷେ ଜୀବନ ମଧ୍ୟ ହରାଉଛନ୍ତି । ତେଣୁ ଏଭଳି କ୍ଷେତ୍ରରେ ଏମାନଙ୍କ ପାଇଁ ସ୍ବାସ୍ଥ୍ୟ ଓ ଜୀବନ ବୀମା ଯୋଜନାର ନିହାତି ଆବଶ୍ୟକ ରହିଛି । ଗତ ୨ବର୍ଷ ଧରି ଲକ୍ଡାଉନ୍, ଶଟ୍ଡାଉନ୍ ପାଇଁ ପର୍ଯ୍ୟଟନ ଶିଳ୍ପ ବନ୍ଦ ହୋଇପଡିଛି ।
ପ୍ରସିଦ୍ଧ ରଘୁରାଜପୁରକୁ ପର୍ଯ୍ୟଟକ ଆସୁ ନ ଥିବାରୁ ଏହା ଉପରେ ନିର୍ଭର କରୁଥିବା ଶିଳ୍ପୀଙ୍କ ଭାତହାଣ୍ଡି ଉଜୁଡି ଯାଇଛି । ସେହିପରି କୋଣାର୍କ, ନିମାପଡା, ପୁରୀ, ପିପିଲି ହାଟ, ଭୁବନେଶ୍ୱରର ଏକାମ୍ର ହାଟ ସମେତ ସମସ୍ତ ପ୍ରଦର୍ଶନୀ ବନ୍ଦ ରହିଛି । ଫଳରେ ଶିଳ୍ପୀ ଓ ବୁଣାକାରମାନେ ନିଜର ସାମଗ୍ରୀ କେଉଁଠାରେ ବିକ୍ରି କରିବେ ଓ କିପରି ପରିବାର ଚଳାଇବା ସେ ନେଇ ଚିନ୍ତାରେ ଅଛନ୍ତି ।
No Result
View All Result