No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୩ ଜୁନ୍ ଗୁରୁବାର ) ହିଞ୍ଜିଳିକାଟୁ :- ଗୁରୁବାର ପୂର୍ବାହ୍ନରେ ହିଞ୍ଜିଳି ଥାନା ରାଳବ ଛକ ନିକଟରେ ଏକ ବାଲି ବୋଝେଇ ଟ୍ରକ (ନଂ-ଓଆର୧୬ଡି ୩୧୪୮ )କୁ ଏକ ମୋଟର ସାଇକେଲ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ବାଇକଟି ଟ୍ରକ ଚକାତଳେ ଚାପି ହୋଇ ପଡ଼ିଥିଲା । ଦୂର୍ଘଟଣାରେ ବାଇକରେ ଯାତ୍ରା କରୁଥିବା ୩ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ । ମୃତକ ଜଣକ ପୁରୁଷୋତ୍ତମପୁର ଥାନା ଜାମୁନି ଗ୍ରାମର କୁନା ମୁନି (୩୩)। ଆହତ ମାନେ ଜାମୁନି ଗ୍ରାମର ରଘୁନାଥ ମହାନ୍ତି (୨୫) ଓ ସନ୍ତୋଷ ପାଣିଗ୍ରାହୀ (୨୨) ବୋଲି ଜଣାପଡିଛି । ପ୍ରକାଶ ଯେ , ଗୁରୁବାର ସକାଳେ ପୁରୁଷୋତ୍ତମପୁର ଅଞ୍ଚଳର ଋଷିକୂଲ୍ୟା ନଦୀରୁ ବାଲି ବୋଝେଇ କରି ଏକ ଟ୍ରକ୍ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ବେଳେ ଜାମୁନି ଠାରୁ ବ୍ରହ୍ମପୁର ଅଭିମୁଖେ ବାଇକ୍ ଯୋଗେ ୩ ଜଣ ଯାଉଥିଲେ । ହିଞ୍ଜିଳି ଥାନା ରାଳବ ଛକ ନିକଟରେ ବାଇକ୍ ଚାଳକ ଟ୍ରକକୁ ଅତିକ୍ରମ କରୁଥିବା ବେଳେ ଟ୍ରକର ବାମପ୍ବାର୍ଶକୁ ଏକ ସାଇକେଲ ଆସି ଯାଇଥିଲା ।
ସାଇକେଲ ଆରୋହୀଙ୍କୁ ରକ୍ଷା କରିବା ପାଇଁ ହଠାତ୍ ଟ୍ରକ ଚାଳକ ଗାଡ଼ିକୁ ଦକ୍ଷିଣ ଦିଗକୁ ମୁହାଁଇଥିଲେ । ଏହି ସମୟରେ ବାଇକ ଚାଳକ ଭାରସାମ୍ୟ ହରାଇ ଟ୍ରକ ତଳକୁ ଖସି ପଡ଼ିଥିଲେ । ବାଇକରେ ଯାତ୍ରା କରୁଥିବା ୩ ଜଣଙ୍କ ମଧ୍ୟରୁ କୁନା ମୁନିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଆହତ ମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣା ଘଟାଇଥିବା ୨ଗାଡିକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୨୮୪/୨୧ରେ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result