No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) ଭୁବନେଶ୍ୱର :- ବହୁ ସାଧୁ ସନ୍ଥଙ୍କର ଆବିର୍ଭାବ ଓ ତିରୋଧାନ ପୂର୍ଣ୍ଣିମା ତିଥିରେ ହୋଇଥିଲା ବୋଲି ପୁରାଣ ଓ ଇତିହାସ କହେ । ଶ୍ରୀଚୈତନ୍ଯ, ଗୁରୁ ନାନକ, ନିଗମାନନ୍ଦ ଆଦି ଉଦାହରଣ। ମାତ୍ର ଗୌତମ ବୁଦ୍ଧଙ୍କର ଏହି ପୂର୍ଣ୍ଣିମା ସହିତ ବିଶେଷ ସମ୍ପର୍କ ଅଛି ବୋଲି ତାଙ୍କୁ ପୂର୍ଣ୍ଣିମା ପୁରୁଷ କୁହାଯାଏ । ଗୌତମ ବୁଦ୍ଧଙ୍କ ଜନ୍ମ ବୈଶାଖ ପୂର୍ଣ୍ଣିମା ରେ ଏବଂ ତିରୋଧାନ ମଧ୍ୟ ସେହି ବୈଶାଖ ପୂର୍ଣ୍ଣିମାରେ। ପୁଣି ତାଙ୍କର ବୋଧିପ୍ରାପ୍ତ ବୈଶାଖ ପୂର୍ଣ୍ଣିମାରେ । ଏହା ବ୍ୟତୀତ ବୁଦ୍ଧଦେବଙ୍କର ଅନ୍ୟ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଘଟଣା ପୂର୍ଣ୍ଣିମା ସହ ଜଡିତ ।
ତାଙ୍କର ମାତା ରାଣୀ ମହାମାୟାଙ୍କ ଗର୍ଭାଧାନ ଆଷାଢ ପୂର୍ଣ୍ଣିମାରେ, ପତ୍ନୀ ଯଶୋଧାରା, ଅନୁଚର ଛନ୍ଦକ ଓ ଅଶ୍ବ କନ୍ଥକ ପୂର୍ଣ୍ଣିମା ତିଥିରେ ଜନ୍ମଗ୍ରହଣ କରିବା ଅଦ୍ଭୁତ ଘଟଣା । ଯେଉଁ ବୋଧିଦ୍ରୁମ ତଳେ ସେ ବୋଧିପ୍ରାପ୍ତ ହୋଇଥିଲେ ସେହି ଦ୍ରୁମର ଜନ୍ମ, ପତ୍ନୀ ଯଶୋଧାରା, ପୁତ୍ର ରାହୁଳଙ୍କୁ ଛାଡି ଜ୍ଞାନର ଅନ୍ବେଷଣରେ ଚାଲି ଯାଇଥିବା ଦିନ ଆଷାଢ ପୂର୍ଣ୍ଣିମା । ପ୍ରିୟ ଶିଷ୍ଯ ଆନନ୍ଦକୁ କହି ଯାଇଥିବା ମହାନିର୍ବାଣର ସଂକଳ୍ପ ମାଘ ପୂର୍ଣ୍ଣିମାରେ। ଏହିପରି ପୂର୍ଣ୍ଣିମା ସହ ବୁଦ୍ଧଙ୍କର ଅନେକ ଘଟଣା ସଂଶ୍ଳିଷ୍ଟ ଥିବାରୁ ଏହା ବୁଦ୍ଧ ପୂର୍ଣ୍ଣିମା ରୂପେ ଖ୍ଯାତ । ବୁଦ୍ଧଙ୍କୁ ଭଗବାନଙ୍କର ନବମ ଅବତାର ବୋଲି କୁହାଯାଏ ।
ପାଲିଭାଷାରେ ଲିଖିତ ‘ଧମ୍ମପଦ’ ଗ୍ରନ୍ଥ ତାଙ୍କ ବାଣୀର ସଂକଳଣ । ବୌଦ୍ଧାବଲମ୍ବୀମାନେ ଏହାର ଶିକ୍ଷଣୀୟ ପଦଗୁଡିକୁ ଶ୍ରଦ୍ଧା ଓ ଭକ୍ତିର ସହପାଠକରନ୍ତି । ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଓଡିଶାର ଭୂମିକା ଉଲ୍ଲେଖନୀୟ । ଓଡିଶାର ବିଭିନ୍ନ ସ୍ଥାନରେ ସ୍ଥାପିତ ବୌଦ୍ଧ କଳା ଓ ସଂସ୍କୃତି ଭଗବାନ ବୁଦ୍ଧଙ୍କ ଶାନ୍ତି ଓ ଅହିଂସାର ବାଣୀ ପ୍ରଚାର କରେ । କଟକର ମାଣିଆବନ୍ଧ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ ଆଦି ଅନେକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୌଦ୍ଧ କଳା ଦୃଷ୍ଟିଗୋଚର ହୁଏ ।
ଗଜପତି ଜିଲ୍ଲାର ଚନ୍ଦ୍ରଗିରି ନିକଟରେ ଜିରାଙ୍ଗ ଠାରେ ୨୦୦୯ ମସିହାରେ ତୀବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଦ୍ବାରା ଉଦ୍ଘାଟିତ ୭୦ ଫୁଟ ସୁଉଚ୍ଚ ବୁଦ୍ଧ ମୂର୍ତ୍ତି ଏବଂ ୧୭ ଫୁଟ ଉଚ୍ଚ ବୁଦ୍ଧ ପଦ୍ମସମ୍ଭବ ପ୍ରତିମୂର୍ତ୍ତି ଦୃଷ୍ଟି ନିବଦ୍ଧ କରେ । ସେହିପରି ଭୁବନେଶ୍ବର ନିକଟସ୍ଥ ଧଉଳିଠାରେ ବିଶ୍ବପ୍ରସିଦ୍ଧ ସ୍ଥପତି ସାଂସଦ ପଦ୍ମବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଦ୍ବାରା ନିର୍ମିତ ୧୮ଫୁଟ ଉଚ୍ଚ ବୁଦ୍ଧମୂର୍ତ୍ତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରେ । ଭାରତ ସମେତ ପୂର୍ବ ଓ ଦକ୍ଷିଣ ପୂର୍ବ ଏସିଆର ବିଭିନ୍ନ ସ୍ଥାନରେ ବୁଦ୍ଧ ଜୟନ୍ତୀ ବହୁ ଆଡମ୍ବରରେ ପାଳିତ ହୋଇଆସୁଛି ।
No Result
View All Result