No Result
View All Result
‘ମମତା’ ଯୋଜନାରେ ପଞ୍ଜୀକରଣ ଅଧିକୁ ୩ ମାସରୁ ୭ ମାସକୁ ବୃଦ୍ଧି ପ୍ରବାସୀ ମହିଳା ଓ ଶିଶୁଙ୍କ ତୁରନ୍ତ ପଞ୍ଜୀକରଣ ଉପରେ ଗୁରୁତ୍ୱ
ଓଡ଼ିଶା ତାଜା ନ୍ୟୁଜ (୧୮ ମଇ ମଙ୍ଗଳବାର ) ଭୁବନେଶ୍ୱର :- ସାମ୍ପ୍ରତିକ ପ୍ରତି କୋଭିଡ-୧୯ ଦ୍ୱିତୀୟ ଲହର ପରିପ୍ରକ୍ଷୀରେ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି । ଏଥିସହିତ ସାରା ଦେଶରେ ଲକ୍ଡାଉନ୍ ପରିସ୍ଥିତି ଜାରି ରହିଥିବାରୁ ବହୁ ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରି ଆସୁଛନ୍ତି । ଏଭଳି କଠିନ ସ୍ଥିତିରେ କୋଭିଡ୍ ମାର୍ଗଦର୍ଶିକାର କଡାକଡି ଅନୁ ପାଳନ ମଧ୍ୟରେ ସମସ୍ତ ଅଙ୍ଗନବାଡି ସେବା ଜାରି ରଖିବା ଏବଂ ଓଡ଼ିଶାକୁ ଫେରୁଥିବା ସମସ୍ତ ଯୋଗ୍ୟ ପ୍ରବାସୀ ଗର୍ଭବତୀ ଓ ପ୍ରସୂତି ମହିଳା, ୬ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଅଙ୍ଗନବାଡିରେ ପଞ୍ଜୀକରଣ ମାଧ୍ୟମରେ ସମସ୍ତ ସେବା ଯୋଗାଇଦେବାକୁ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀମତୀ ସାହୁ ଭର୍ଚୁଆଲ ମାଧ୍ୟମରେ ସମ୍ପର୍କିତ କୋଭିଡ୍ ପରିସ୍ଥିତିରେ ବିଭାଗ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । ନିର୍ଦ୍ଦେଶକ, ସମନ୍ୱିତ ଶିଶୁବିକାଶ ଏବଂ ସମାଜ କଲ୍ୟାଣ ଶ୍ରୀ ଅରବିନ୍ଦ ଅଗ୍ରଓ୍ୱାଲ ବର୍ତ୍ତମାନର କୋଭିଡସ୍ଥିତି ଏବଂ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିଭାଗ ତରଫରୁ ନିଆଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ପ୍ରତି ସାରାଦେଶରେ ଲକ୍ଡାଉନ ସ୍ଥିତି ଲାଗି ରହିଥିବାରୁ ବହୁସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରିଆସୁଛନ୍ତି । ତନ୍ମଧ୍ୟରେ ଅନେକ ଗର୍ଭବତୀ ମହିଳା ରହିଛନ୍ତି । ସେହିଭଳି ରାଜ୍ୟର ମଧ୍ୟ ଗର୍ଭବତୀ ମହିଳାମାନେ ଲକ୍ଡାଉନ ହେତୁ ମମତା ଯୋଜନାରେ ପଞ୍ଜୀକରଣ କରିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କ ସହାୟତା ନିମନ୍ତେ ଉଦ୍ଦିଷ୍ଟ ‘ମମତା’ ଯୋଜନାର ନିୟମାବଳୀରେ ସଂଶୋଧନ କରାଯାଇଛି ।
ପୂର୍ବରୁ ଏହି ସହାୟତା ପାଇବା ନିମନ୍ତେ ପ୍ରଥମ ଗର୍ଭଧାରଣର ୩ ମାସ ମଧ୍ୟରେ ପଞ୍ଜୀକରଣ ହେଉଥିବା ବେଳେ ସମ୍ପ୍ରତି ଏହି ଅବଧିକୁ ୬ ମାସ ପର୍ଯ୍ୟନ୍ତ ଏବଂ ଅତି କଠିନ ସ୍ଥିତିରେ ୭ ମାସକୁ ବୃଦ୍ଧି କରାଯାଇଛି । ରାଜ୍ୟକୁ ଫେରୁଥିବା ପ୍ରବାସୀ ମହିଳାମାନେ କୌଣସି ଜାତୀୟ କିମ୍ବା ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରସୂତିକାଳୀନ ସହାୟତା ଯୋଜନାର ଅନ୍ତର୍ଭୁକ୍ତ ନ’ହୋଇଥିଲେ ଓଡ଼ିଶାରେ ‘ମମତା’ ଯୋଜନାର ସୁଫଳ ପାଇ ପାରିବେ । ଏଥି ପାଇଁ ସେମାନଙ୍କୁ ଏକ ଲିଖିତ ଅଣ୍ଡରଟେକିଙ୍ଗ୍ ଦେବାକୁ ପଡିବ । ମହିଳାମାନଙ୍କ ପାଇଁ ଉଦ୍ଧିଷ୍ଟ ୧୮୧ ହେଲପ୍ଲାଇନ୍ରେ ମଧ୍ୟ ‘ମମତା’ ଯୋଜନା ସଞ୍ଚନ୍ଧୀୟ ସମସ୍ତ ଅଭିଯୋଗ ଗ୍ରହଣ କରାଯିବ । ଏ ସମସ୍ତ ପଦକ୍ଷେପ ସର୍କଲରେ ଜିଲ୍ଲା ପାଳମାନଙ୍କୁ ପତ୍ର ଲେଖାଯାଇଛି ବୋଲି ନିର୍ଦ୍ଦେଶକ ଶ୍ରୀ ଅଗ୍ରଓ୍ୱାଲ ସୂଚନା ଦେଇଥିଲେ । ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, କୋଭିଡ୍ ମାର୍ଗଦର୍ଶିକାର ଅନୁପାଳନ ମଧ୍ୟରେ ହିତାଧିକାରୀମାନଙ୍କୁ ଘରେ ଶୁଖିଲା ରାସନ ବଣ୍ଟନଠାରୁ ନିୟମିତ ଅଙ୍ଗନବାଡି ସେବା କାର୍ଯ୍ୟକ୍ରମ ଜାରି ରହିଛି ।
ଯେଉଁଠାରେ ଗର୍ଭବତୀ, ପ୍ରସୂତି ମହିଳା, କିଶୋରୀ କିମ୍ବା ଶିଶୁମାନଙ୍କ ନିକଟରେ କୋଭିଡ୍ର ଲକ୍ଷଣ ପ୍ରକାଶ ପାଉଛି ସେମାନଙ୍କର ତୁରନ୍ତ ପରୀକ୍ଷା, ଚିକିତ୍ସା ଏବଂ ସଙ୍ଗରୋଧରେ ରହିବା ନିମନ୍ତେ ବ୍ୟବସ୍ଥା କରାଯାଉଛି । ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର, ଶିଶୁଯତ୍ନ ଅନୁଷ୍ଠାନ, ଓ୍ୱାନ୍ ଷ୍ଟ ପ୍ ସେଣ୍ଟର, ଆଶ୍ରୟ ଗୃହ, ସ୍ୱଧାର ଏବଂ ଉଜ୍ଜ୍ୱଳା ଗୃହରେ ରହୁଥିବା ଅନ୍ତେବାସୀମାନଙ୍କ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ମାସ୍କ, ସାନିଟାଇଜର, ସାବୁନ୍ ଆଦି ଯୋଗାଇଦେବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରାଯାଇଛି । ସେହିଭଳି ଏହିସବୁ ଅନୁଷ୍ଠାନକୁ ନିୟମିତ ବିଶୋଧନ କରିବା, ଅନ୍ତେବାସୀମାନଙ୍କ ଦ୍ୱାରା ବ୍ୟବହୃତ ଆସବାବ ପତ୍ର, ଶୌଚାଳୟ, ରନ୍ଧନ ଗୃହ ଆଦିର ପ୍ରତ୍ୟହ ସଫେଇ କରିବା ସହ ସେମାନଙ୍କୁ ସମସ୍ତ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ ଖାଦ୍ୟ ପରସିବାକୁ ସୁନିଶ୍ଚିତ କରାଯାଇଛି ।
ମନ୍ତ୍ରୀ ଶ୍ରୀମତୀ ସାହୁ ତୁରନ୍ତ ପ୍ରବାସୀ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରି ଅଙ୍ଗନବାଡିରେ ପଞ୍ଜୀକରଣ କରିବା ସହ ସେମାନଙ୍କୁ ସମସ୍ତ ସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ । ଏଥିସହ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଆଇସିଡିଏସ୍ କାର୍ଯ୍ୟକର୍ତ୍ତା କିଭଳି କୋଭିଡ୍ରେ ନିଜକୁ ସୁରକ୍ଷିତ ରଖି ପାରିବେ, ସମସ୍ତ କୋଭିଡ୍ ନିୟମାବଳୀର ସଠିକ୍ ଅନୁ ପାଳନ କରାଯିବ ଏବଂ ଲକ୍ଷଣଯୁକ୍ତ କ୍ଷେତ୍ର କର୍ମଚାରୀମାନଙ୍କୁ ତୁରନ୍ତ କୋଭିଡ୍ ପରୀକ୍ଷା କରି ଚିକିତ୍ସା ସେବା ଯୋଗାଇ ଦିଆଯିବ ତାହା ଉପରେ ଗୁରୁତ୍ୱ ଦେବାକୁ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜିର ବୈଠକରେ ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀ ରଶ୍ମିରଞ୍ଜନ ନାୟକ, ଶ୍ରୀ ଧରଣୀର ନନ୍ଦ, ଶ୍ରୀ ନିତ୍ୟାନନ୍ଦ ବାରିକ, ଗୀତାରାଣୀ ପଟ୍ଟନାୟକଙ୍କ ସହ ଅନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।
No Result
View All Result