No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର ) ଭୁବନେଶ୍ୱର :- ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ବିଶେଷ କରି ଲକଡାଉନ୍ କାରଣରୁ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ କମିବାରେ ଲାଗିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର । ସେ କହିଛନ୍ତି ରାଜ୍ୟର ୧୦ ଜିଲ୍ଲାରେ ସଂକ୍ରମଣ ସ୍ଥିର ଅଛି ବା କମିବାରେ ଲାଗିଛି । ୧୦ ଦିନ ହେଲା ଲକଡାଉନରେ ରହିଛି ରାଜ୍ୟ । ତେଣୁ ୧୦ଟି ଜିଲ୍ଲାରେ ସଂକ୍ରମଣ କମିଥିବା ଦେଖାଯାଇଛି ।
ଅନ୍ୟପଟେ କରୋନା ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର । କମିଟି ଗଠନ ସଂପର୍କରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡାକ୍ତର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏହି କମିଟି କାର୍ଯ୍ୟ କରିବ ।କମିଟିରେ ବହୁ ବରିଷ୍ଠ ଡାକ୍ତର, ବୈଜ୍ଞାନିକ ସଦସ୍ୟ ରହିଥିବା କହିଛନ୍ତି ମୁଖ୍ୟ ସଚିବ ।
ଡାକ୍ତର ଦେବୀ ସେଟ୍ଟୀ, ରମାକାନ୍ତ ପଣ୍ଡା କମିଟିରେ ସାମିଲ ଅଛନ୍ତି । କମିଟି ରାଜ୍ୟରେ କରୋନା ପରିଚାଳନା ନେଇ ପରାମର୍ଶ ଦେବେ । ଖାଲି ସେତିକି ନୁହେଁ ଏହି କମିଟି ଟିକାକରଣ ଓ ପରବର୍ତ୍ତୀ ଲହର ସମ୍ଭାବନା ବିଷୟରେ ମଧ୍ୟ ପରାମର୍ଶ ଦେବ । କମିଟିର ପରାମର୍ଶ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନେବେ । କମିଟି ଯେଉଁ ପରାମର୍ଶ ଦେବେ, ତାହା ଶୀଘ୍ର କାର୍ଯ୍ୟକାରୀ କରାଯିବ ।
ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ସଂପର୍କରେ ମଧ୍ୟ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ । ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଛି । ୪ ମାସ ମଧ୍ୟରେ ସମସ୍ତ ସପ୍ଲାଇ ଦେବାକୁ କୁହାଯାଇଛି । ସଫଳ ବିଡିଂ ହେଲେ ମେ’ ୨୮ ପରେ ଆମେ ଟିକା କିଣିପାରିବା ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )
No Result
View All Result