ଖୋରଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସତର୍କତା ସଚେତନତା ସପ୍ତାହ ୨୦୨୬ ଅବସରରେ, ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ୍ ମଣ୍ଡଳର କାର୍ମିକ ବିଭାଗ ପକ୍ଷରୁ ଖୋର୍ଦ୍ଧାରୋଡ୍ ସ୍ଥିତ ମଣ୍ଡଳ ରେଳ ପ୍ରବନ୍ଧକଙ୍କ ବୈଠକ କକ୍ଷରେ“ସମୃଦ୍ଧି ପାଇଁ ସତ୍ୟନିଷ୍ଠା” ଶୀର୍ଷକ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା । ସରକାରୀ ସେବାରେ ସାଧୁତା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ନୈତିକ ଆଚରଣକୁ ପ୍ରୋତ୍ସାହିତ କରିବା ଏହି ଆଲୋଚନା ଚକ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ଏହି ଆଲୋଚନା ଚକ୍ରରେ ଭୁବନେଶ୍ୱର ସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ମାନବିକୀ ଓ ସାମାଜିକ ବିଜ୍ଞାନ ବିଦ୍ୟାଳୟର ସହଯୋଗୀ ପ୍ରଫେସର ଶ୍ରୀ ଅମରେନ୍ଦ୍ର ଦାସ ଉଦ୍ବୋଧନ ଦେଇଥିଲେ । ସେ ସାଧୁତା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ନୈତିକ ଆଚରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ରେଳ ଅଧିକାରୀ ଓ କର୍ମଚାରୀ ମାନେ ସର୍ବୋଚ୍ଚ ନୈତିକ ମାନଦଣ୍ଡ ବଜାୟ ରଖିବା ସହ ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ କାର୍ଯ୍ୟସଂସ୍କୃତି ଗଠନରେ ଅବଦାନ ରଖିବାକୁ ସେ ଆହ୍ୱାନ ଦେଇଥିଲେ ।

ଏଥିସହ ମନୋବିଜ୍ଞାନ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏ ଆଇ)ର ଉଦାହରଣ ଦେଇ ସରକାରୀ କାର୍ଯ୍ୟରେ ନୈତିକ ନିଷ୍ପତ୍ତି ଗ୍ରହଣ ଓ ଦାୟିତ୍ୱପୂର୍ଣ୍ଣ ଆଚରଣର ଗୁରୁତ୍ୱ ବୁଝାଇଥିଲେ । ଏହି ଆଲୋଚନା ଚକ୍ରରେ ଖୋର୍ଦ୍ଧାରୋଡ୍ ମଣ୍ଡଳର ବିଭିନ୍ନ ଅଧିକାରୀ, ପର୍ଯ୍ୟବେକ୍ଷକ ଓ କର୍ମଚାରୀ ଯୋଗଦେଇଥିଲେ । ସେମାନେ ସଂଗଠନର କାର୍ଯ୍ୟଧାରାରେ ସତର୍କତା ଓ ନୈତିକ ଆଚରଣର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ ।

୨୦୨୬ ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ “ସମୃଦ୍ଧି ପାଇଁ ସତ୍ୟନିଷ୍ଠା” ବିଷୟବସ୍ତୁକୁ ନେଇ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଉଛି। ଏହି ବିଷୟବସ୍ତୁ ଜନସାଧାରଣଙ୍କ ଆସ୍ଥା ବୃଦ୍ଧି, ସୁଶାସନକୁ ସୁଦୃଢ଼ କରିବା ଏବଂ ଦୁର୍ନୀତି ନିବାରଣ କ୍ଷେତ୍ରରେ ସାଧୁତା ଓ ନୈତିକ ଆଚରଣର ଗୁରୁତ୍ୱକୁ, ଏହି ବିଷୟବସ୍ତୁ ପ୍ରତିଫଳିତ କରୁଛି ।
















