No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ମେ ଶୁକ୍ରବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ଠାରେ ଧରଣୀଦେବୀଙ୍କ ନବକଳେବର ବିଧି ପାରମ୍ପରିକ ରିତି ନିତୀ ଅନୁକ୍ରମେ ଅନୁଷ୍ଠିତ ହୋଇଯାଇଛି। ତିନି ଦିନ ଧରି ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ସଂପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ସଂପାଦିତ ହୋଇଥିଲା । ପୂର୍ବ ଯୋଗଲଗ୍ନ ଅନୁସାରେ ପ୍ରଥମ ଦିନରେ ଗ୍ରାମର ଧନେ ମାଝୀ, ଛବିର ମାଝୀ, ଭଗବାନ ମାଝୀ, ନନ୍ଦ ମାଝୀ ଓ ଲକ୍ଷ୍ମଣ ମାଝୀ ନାଙ୍ଗୁଲଗୁଡା ଡଙ୍ଗରରୁ ଗାତା ଖୁଟା ଆଣି ଚାରୋଟି ସ୍ତମ୍ଭ ନିର୍ମାଣ କରିଥିଲେ । ଦ୍ବିତୀୟ ଦିବସରେ ଧଙ୍ଗଡାମାଝୀ ପରିବାରରୁ ଯୋଗ ପାଣି ଆଣିବା ସହ ଗ୍ରାମର ମୁଖ୍ୟ ପ୍ରଜା ପ୍ରଦୀପ କୁମାର ଧଙ୍ଗଡାମାଝୀଙ୍କ ସମେତ ବିଜୟ ଧଙ୍ଗଡା ମାଝୀ ଓ ତାଙ୍କ ଧର୍ମପତ୍ନୀ ଚନ୍ଦ୍ରମାଁ ଧଙ୍ଗଡାମାଝୀଙ୍କୁ ବାଦ୍ୟନାଦ ସହ ପାଛୋଟି ଅଣାଯାଇଥିଲା ।

ଏହାପରେ ଗାଁର ଗୈାନ୍ତିଆ କୁବେର ମାଝୀଙ୍କୁ ପଗଡ଼ି ବନ୍ଧାଯାଇ ଘରୁ ବରଣ କରା ଯାଇଥିଲା। ସେହିପରି ଗାଁର ଗଣା ଭାବେ ଡୁମେର ହରିଜନଙ୍କୁ ମାନ୍ୟତା ପ୍ରଦାନ କରାଯାଇ ପାଛୋଟି ଅଣାଯାଇଥିଲା । ଏହି ଦିନ ଧରଣୀଦେବୀଙ୍କ ଆସ୍ଥାନକୁ ମାର୍ଜନା କରାଯାଇଥିଲା । ସାରା ରାତି ଲାଞ୍ଜିଗଡ ବ୍ଲକ କମର୍ଦ୍ଧାର ଜାନୀ ଗୁରୁସିଂ ମାଝୀ ଓ କୋରାପୁଟ ଜିଲ୍ଲା ଗାଙ୍ଗେର ଗାଁର ଜାନୀ ଗୁଡୁ ମାଝୀ ଯୋଗଦେଇ ବାରଭାଇ ଭୀମାଙ୍କୁ ଗାଭା ମାଧ୍ୟମରେ ଆବାହନ କରି ସମସ୍ତି ବିଧି ସଂପନ୍ନ କରିଥିଲେ । ତୃତୀୟ ଦିବସରେ ଧରଣିଖୁଣ୍ଟ ସହ ଯୋଗ ଖୁଣ୍ଟ, କଲାପାର ଓ ଭୀମା ଆଦି ୪ଟି ଖୁଣ୍ଟ ସ୍ଥାପିତ ହୋଇଥିଲା ।

ଏହାସହ କୁଞ୍ଜିଆ ଭୀମା, କଲାପାର, ଡଙ୍ଗର, ରପାଙ୍ଗ, ପାଦଧୁଏନ, ଗବଡା ଓ ବାମନେନ ବୁଢି, ଗଣାବୁଢା ଆଦି ଗ୍ରାମ ଦେବାବେବୀଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଗ୍ରାମବାସୀଙ୍କୁ ବିହନ ପ୍ରଦାନ କରାଯାଇଥିଲା । ଯାହାକୁ ବିହନ ଛିନା ବୋଲି କୁହାଯାଏ । ଗ୍ରାମବାସୀ ଧରଣୀପୀଠରେ ପ୍ରଦତ୍ତ ବିହନକୁ ନେଇ ପିଦରରେ ରଖିଥିଲେ । ଅକ୍ଷୟ ତୃତୀୟା ଦିନ ଏହି ବିହନକୁ ନେଇ ଚାଷୀ କୃଷି କ୍ଷେତ୍ରରେ ଅଖି ଅନୁକୁଳ କରିଥାଏ । ଆଦିମ ସମାଜର ଏହି ନବକଳେବର ରିତି ପ୍ରାଚୀନ କୃଷିଜୀବୀ ସମାଜଦ୍ବାରା ଆଦୃତ ହୋଇ ବର୍ତ୍ତମାନ ସୁଦ୍ଧା ଏକ ମହାନ ପରମ୍ପରା ଭାବେ ଅନୁସୃତ ହୋଇ ଆସୁଛି । ବୁଢିପଦର ଧରଣୀପୀଠରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result