No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ମଇ ରବିବାର ) ଛେଣ୍ଡିପଦା :- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ପଞ୍ଚାୟତର ମାଝିଗୋହିରାପଶି ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ କରୋନା ଭୟରେ ପରିବାର କିମ୍ବା ଗ୍ରାମବାସୀ କେହି ପାଖ ମାଡିଲେ ନାହିଁ । ଶେଷରେ ନିଜେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ବୃଦ୍ଧଙ୍କ ପୁତ୍ର ସହ ପିପିଇ କିଟ ପିନ୍ଧି କୋକେଇରେ ମୃତଦେହକୁ ଶ୍ମଶାନକୁ ନେଇ ସତ୍କାର କରିଥିବା ଜଣାଯାଇଛି । ମୃତକ ହେଲେ ମାଝିଗୋହିରାପଶି ଗ୍ରାମର ଗୋବିନ୍ଦ ମାଝି (୬୫) ।
ଗୋବିନ୍ଦ ୫ ଦିନ ପୂର୍ବରୁ ଜ୍ୱରରେ ପୀଡିତ ଥିଲେ। ଜ୍ୱର ହେଉଥିବାବେଳେ ତାଙ୍କର ଶୁକ୍ରବାର ରାତ୍ର ୮ଟାରେ ମୃତ୍ୟୃ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ପରିବାର ଓ ଗ୍ରାମରେ ଭୟର ବାତାବରଣ ଖେଳି ଯାଇଥିଲା । ଗୋବିନ୍ଦଙ୍କ ଶବ ସତ୍କାର ପାଇଁ ତାଙ୍କ ପୁଅ ମୁନା ସାହି ପଡୋଶୀ ଓ ବନ୍ଧୁବାନ୍ଧବକୁ ଡାକିଥିଲେ। କିନ୍ତୁ କରୋନାରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିବ ଭାବି କେହି ମୃତଦେହ ପାଖ ମାଡି ନଥିଲେ । ପରିବାର, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ମୃତଦେହ ପାଖରୁ ଦୂରେଇ ଯାଇଥିଲେ । ଫଳରେ ଶନିବାର ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ପ୍ରାୟ ୧୫ଘଣ୍ଟା ଘରେ ବୃଦ୍ଧଙ୍କ ମୃତଦେହ ପଡିରହିଥିଲା ।
ଖବର ପାଇ ବାହାଳସାହି ସରପଞ୍ଚ ନାରାୟଣ ବେହେରା ଓ ସାମ୍ବାଦିକମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ ଓ ପରିବାରଙ୍କୁ ବୁଝାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ କେହି ଶୁଣି ନଥିଲେ । ଏପରି ଅମାନବୀୟ ଘଟଣାର ଖବର ପାଇ ଛେଣ୍ଡିପଦା ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ ଓ ପଂଚାୟତ କାର୍ଯ୍ୟନିବାହୀ ଅଧିକାରୀ ଅଭୟ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସରପଞ୍ଚଙ୍କ ସହ ଗ୍ରାମ ଓ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କେହି ସହଯୋଗର ହାତ ବଢ଼ାଇ ନଥିଲେ । ବହୁ ବୁଝାସୁଝା ପରେ ମୃତକଙ୍କ ପୁଅ ସହଯୋଗ କରିବା ପାଇଁ ରାଜି ହୋଇଥିଲେ । ଏପରିକି ଆଶାକର୍ମୀ ଥିବା ମୃତ ଗୋବିନ୍ଦଙ୍କ ବୋହୂ ରେବତୀ ମଧ୍ୟ ସହଯୋଗ କରିବାକୁ ମନା କରି ଚାଲି ଯାଇଥିଲେ ।
ଏପରି ସ୍ଥିତିରେ ମାନବିକତା ଦେଖାଇଥିଲେ ଛେଣ୍ଡିପଦା ବିଡିଓ, ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ତିନି ଅଧିକାରୀ ଓ ବୃଦ୍ଧଙ୍କ ପୁଅ ପିପିଇ କିଟ ପିନ୍ଧି ଶବକୁ ସଂସ୍କାର କରିବା ପାଇଁ କୋକେଇରେ ମଶାଣିକୁ ନେଇଥିଲେ । ସରପଞ୍ଚଙ୍କ ନେତୃତ୍ୱରେ କିଛି ଗ୍ରାମବାସୀ ଗ୍ରାମରୁ କାଠ ସଂଗ୍ରହ କରି ମଶାଣିକୁ ନେଇ ଯାଇଥିଲେ । କରୋନା ନିୟମ ଅନୁସାରେ ସେଠାରେ ଶବ ସତ୍କାର କରାଯାଇଥିଲା । ଏହି ଘଟଣା ଆଜି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଗୋଟିଏ ପଟେ ମୃତ୍ୟୁ ପରେ ଏପରି ଅସହଯୋଗ ପାଇଁ ପରିବାର ଓ ଗ୍ରାମବାସୀ ଦୂରେଇ ଯାଇଥିବାରୁ ଏହାର ଦୃଢ଼ ନିନ୍ଦା କରାଯାଉଥିବା ବେଳେ ବିଡିଓ ଓ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ଶବ ସତ୍କାର କରାଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶଂସା କରାଯାଉଛି । (ଦୀପ୍ତିମାନ ପତି, ବାଲେଶ୍ୱର )
No Result
View All Result