No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ମଇ ରବିବାର ) ପୁରୀ :- ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ କରୋନା ଯତ୍ନ କେନ୍ଦ୍ର ପରିସରରେ ଗଦା ହୋଇ ରହିଛି କୁଢ଼ କୁଢ଼ ଡାକ୍ତରଖାନା ଆବର୍ଜନା । କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବ୍ୟବହୃତ ତୁଣ୍ଡି,ଗ୍ଲୋବସ୍, ଖାଲି ଔଷଧ ବୋତଲ, ଇଞ୍ଜେକସନ ସିରିଞ୍ଜ ସେଠାରେ ପଡ଼ିରହିଛି।କରୋନା ସଂକ୍ରମିତଙ୍କ ଜୀବନ ରକ୍ଷା ନିମନ୍ତେ ଖୋଲାଯାଇଥିବା କରୋନା ଯତ୍ନକେନ୍ଦ୍ରର ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ଚିନ୍ତାର କାରଣ ହୋଇଛି । ଏଥିଯୋଗୁଁ ସଂକ୍ରମଣ ବୃଦ୍ଧି ପାଇବା ଯଥେଷ୍ଟ ସମ୍ଭାବନା ରହିଛି । କୁଢ଼ କୁଢ଼ ଡାକ୍ତରଖାନା ଆବର୍ଜନା ଦେଖି ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନେ ଭୟଭୀତ ହୋଇପଡିଛନ୍ତି ।
ପ୍ରାୟ୧୫ ଦିନ ଧରି ସେଠାରୁ ଆବର୍ଜନା ଉଠାଯାଇ ନଥିବା ଜଣାପଡ଼ିଛି । ଶନିବାର ସାମାଜିକ ଗଣମାଧ୍ୟମରେ କେତେକ ବ୍ୟକ୍ତି ଆବର୍ଜନା ଗଦା ଫଟୋ ପ୍ରସାରଣ କରିବା ପରେ ଜିଲ୍ଲା ପ୍ରଶାସନର ଚେତା ପଶିଛି । ପୁରୀ ସହରର କେତେକ ସମାଜସେବୀ ଟୁଇଟର ଯୋଗେ ଆବର୍ଜନା ଫଟୋ ଏବଂ ଚଳନ୍ତି ଚିତ୍ର ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପଠାଇଛନ୍ତି । କରୋନା ଯତ୍ନକେନ୍ଦ୍ର ପରିସରରେ କୁଢ଼ କୁଢ଼ ଆବର୍ଜନା ଗଦାହେବା ଘଟଣା ପରିଚାଳନା ଦାୟିତ୍ଵରେ ଥିବା ଅଧିକାରୀଙ୍କ ଅବହେଳାକୁ ପଦାରେ ପକାଇଛି । ସେଠାରୁ ଆବର୍ଜନା ଉଠାଇବା ନେଇ ସ୍ବାସ୍ଥ୍ୟ ବିଭାଗ ଏବଂ ପୁରୀ ପୌରସଂସ୍ଥା ମଧ୍ୟରେ ବିବାଦ ଦେଖାଦେଇଛି ।
ଡାକ୍ତରଖାନା ପରିସରରେ ଗଦା ହୋଇଥିବା ଆବର୍ଜନା ସଫା କରିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ କାର୍ଯ୍ୟ ବୋଲି ପୌରସଂସ୍ଥା ପକ୍ଷରୁ କୁହାଯାଇଛି । ଡ଼ାକ୍ତରଖାନାରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ଗୁଡ଼ିକର ଉପଯୁକ୍ତ ବିଶୋଧନ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଥିଲେ ମଧ୍ୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ କରୋନା ଯତ୍ନକେନ୍ଦ୍ରରେ ତାହା କାର୍ଯ୍ୟକାରୀ କରାଯାଉନାହିଁ । ଯଦି ସରକାର ଏଥିପ୍ରତି ଧ୍ୟାନ ନ ଦିଅନ୍ତି, ଆଗାମୀ ଦିନରେ ପୁରୀର ଜନ ସାଧାରଣ ସମେତ ଜୀବଜନ୍ତୁ ଓ ପଶୁପକ୍ଷୀ ଆକ୍ରାନ୍ତ ହେଇପାରନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଯୋଗାଯୋଗ କରାଯିବାରୁ ଖୁବ୍ ଶୀଘ୍ର ଏହାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।
No Result
View All Result