ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) ଭୁବନେଶ୍ୱର :- ରାବଣର ମୃତ୍ୟୁ ପରେ ,ବିଭୀଷଣଙ୍କୁ ରାଜା କରାଇବା,ଶ୍ରୀ-ରାମଙ୍କ ପାଇଁ ସ୍ୱାଭାବିକ ହୋଇଗଲା । ନବନିଯୁକ୍ତ ରାଜା ଲଙ୍କାପତି ବିଭୀଷଣଙ୍କ ଅନୁମତି ନେଇ, ଶ୍ରୀ-ରାମ ସୀତା ମାତାଙ୍କୁ ଅଶୋକବନରୁ ଉଦ୍ଧାର କଲେ । ଶେଷରେ ସମସ୍ତ ବାନର ଓ ଭଲ୍ଲୁକଗଣଙ୍କୁ ସେମାନଙ୍କ ଉପକାର ପାଇଁ କୃତଜ୍ଞତା ଜଣାଇଲେ । ସେମାନଙ୍କୁ କହିଲେ,”ଏବେ ନିଜ ନିଜ ରାଜ୍ୟକୁ ଫେରି ଯିବାକୁ ହେବ ।”
କିନ୍ତୁ ଜାମ୍ବବାନ,ସୁଗ୍ରୀବ,ନଳ ନୀଳ,ଅଙ୍ଗଦ,ହନୁମାନ ଓ ବିଭୀଷଣ ଆଦି କହିଲେ,”ପ୍ରଭୁ ! ଆମେ ଆପଣଙ୍କ ସହ ଅଯୋଧ୍ୟା ଯିବୁ। ଆପଣଙ୍କ ରାଜ୍ୟାଭିଷେକ ଉତ୍ସବରେ ସାମିଲ ହେବୁ ।”
ଶ୍ରୀରାମ ବିଭୀଷଣଙ୍କୁ କହିଲେ, “ଲଙ୍କେଶ୍ୱର ! ଏବେ ଆମକୁ ଆମ ରାଜ୍ୟ ଅଯୋଧ୍ୟା ଯିବାକୁ ଅନୁମତି ଦିଅ ।” ବିଭୀଷଣ କହିଲେ,”ମୋତେ ଅନୁମତି ମାଗି ଲଜ୍ଜା ଦିଅନ୍ତୁ ନାହିଁ ପ୍ରଭୁ ! ମୁଁ ଆପଣଙ୍କ ସେବକ। ଆଜ୍ଞା କରନ୍ତୁ। ପୁଷ୍ପକ ବିମାନ ଆପଣଙ୍କୁ ଅଯୋଧ୍ୟାରେ ନେଇ ଛାଡି ଆସିବ। ମୁଁ ରାଜ୍ୟାଭିଷେକ ଉତ୍ସବରେ ନିଜକୁ ସାମିଲ କରି ଭାଗ୍ୟବାନ ମଣିବି।”
ଭଗବାନ ରାମ କହିଲେ,”ତୁମ ଇଚ୍ଛା ପୂର୍ଣ୍ଣ ହେଉ।” ପୁଣି କହିଲେ,”ମୋତେ ଭରତ ଅପେକ୍ଷା କରିଥିବ। ଚତୁର୍ଦ୍ଦଶ ବର୍ଷରୁ ମାତ୍ର ଗୋଟିଏ ଦିନ ଅଧିକ ହେଲେ, ସେ ଅଗ୍ନିରେ ପ୍ରାଣ ବିସର୍ଜନ କରିବ। ତେଣୁ ଆମକୁ ଯଥା ଶୀଘ୍ର ଯିବାକୁ ହେବ। ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଅଯୋଧ୍ୟାରେ ପହଞ୍ଚିବାକୁ ହେବ।”
ଘର ବାହୁଡା ଯାତ୍ରାର ପ୍ରସ୍ତୁତି ପର୍ଵ ଆରମ୍ଭ ହେଲା। ବିଭୀଷଣ ପୁଷ୍ପକ ବିମାନ ସୁସଜ୍ଜିତ କଲେ। ସେଇଥିରେ ସମସ୍ତଙ୍କୁ ଅଯୋଧ୍ୟା ଯିବାପାଇଁ ନିମନ୍ତ୍ରଣ କଲେ।
ଭଗବାନ ରାମଙ୍କ ଅନୁମତି ନେଇ ସମସ୍ତେ ଏକ ସଙ୍ଗରେ ପୁଷ୍ପକ ବିମାନରେ ବିରାଜମାନ ହେଲେ। ସଙ୍ଗେ ସଙ୍ଗେ ପୁଷ୍ପକ ବିମାନରେ ଆକାଶ ମାର୍ଗରେ ଗତି କଲା। ଭଗବାନ ରାମ,ଲକ୍ଷ୍ମଣ ଓ ସୀତାଙ୍କ ସହ ଅନ୍ୟମାନେ ମଧ୍ୟ ଅଯୋଧ୍ୟା ଆସିଲେ ।
ଅଯୋଧ୍ୟା ମାଟିରେ ଭଗବାନ ରାମ ଆକାଶ ମାର୍ଗରୁ ପୁଷ୍ପକ ବିମାନରୁ ଓହ୍ଲେଇଲେ । ଅଯୋଧ୍ୟା ମାଟିକୁ ବାରବାର ଦଣ୍ଡ ପ୍ରଣାମ କଲେ । ଧୂଳି ନେଇ ମଥାରେ ମାରିଲେ । ସେଠାରେ ନିଶାଦ ରାଜ ଗୁହକଙ୍କୁ ଭେଟିଲେ । ଗୁହକ ହାତରେ ଅଯୋଧ୍ୟା ରାଜାଙ୍କ ନିକଟକୁ ନିଜର ପ୍ରତ୍ୟାବର୍ତ୍ତନ ଖବର ପଠେଇଲେ । ଗୁହକକୁ ଵିଶେଷ ଭାବରେ ଶ୍ରୀରାମ କହିଲେ,”ଭରତଙ୍କ ମନୋଭାବକୁ ଠିକ୍ ଭାବରେ ପଢିବ ଗୁହକ। ତା’ପରେ ତାଙ୍କୁ ଆମେ ଅଯୋଧ୍ୟା ଆସିବା ଖବର ଦେବ ।”
ଗୁହକ ଅଯୋଧ୍ୟା ରାଜ ଭବନକୁ ଆସିଲେ । ସେଠାରେ ଭରତଙ୍କୁ ଖୋଜିଲେ । କିନ୍ତୁ ପାଇଲେ ନାହିଁ। ସେଇଠୁ ନନ୍ଦିଗ୍ରାମ ଗଲେ । ଭଗବାନ ରାମଙ୍କ ବାର୍ତ୍ତା ଭରତଙ୍କୁ ଦେଲେ ।
ଭରତ ଯେମିତି ଭଗବାନ ରାମ ଫେରୁଥିବା ଖବର ଜାଣିଲେ,ଆନନ୍ଦରେ ଗଦ୍ ଗଦ୍ ହୋଇଗଲେ । ଆଖିରୁ ଆନନ୍ଦାଶ୍ରୁ ଟପ୍ ଟପ୍ କରି ଝରି ପଡିଲା ଭରତଙ୍କର ।
ଆତ୍ମବିଭୋର ହୋଇଗଲେ । ଏଇ ଖୁସି ଖବର ଶୁଣେଇ ଥିବାରୁ ଗୁହକଙ୍କୁ ବି ପୁରଷ୍କାର ଦେଲେ । ଗୁହକଙ୍କୁ ବାର ବାର ଆଲିଙ୍ଗନ କରି ଚାଲିଲେ । କହିଲେ,”ଏଇ ଚତୁର୍ଦ୍ଦଶ ବର୍ଷ କେମିତି ଅତିବାହିତ ହୋଇଛି,ଆପଣ ଜାଣି ପାରିବେ ନାହିଁ ନିଶାଦ ରାଜ। ଏତେ ଦିନର ଅନ୍ଧକାର ଦୂରେଇ ଯାଇ ଏବେ ଆଲୋକ ପ୍ରକାଶ ପାଇବ । ଆଉ କାଳ ବିଳମ୍ବ ନ କରି ମୋ ପ୍ରଭୁଙ୍କୁ ନେଇଆସ ହେ ନିଶାଦ ରାଜ !
ଅଯୋଧ୍ୟାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆରମ୍ଭ ହେଲା ….!!
ଭରତ ସଙ୍ଗେ ସଙ୍ଗେ ରଥ ସୁସଜ୍ଜିତ କରି ଭଗବାନ ରାମଙ୍କ ନିକଟକୁ ପ୍ରେରଣ କଲେ। ଅଯୋଧ୍ୟାକୁ ଉତ୍ସବ ମୁଖର କରିବା ପାଇଁ ଆଦେଶ ଦେଲେ,”ନଗରର ପ୍ରତି ପୁରେ ପୁରେ,ପ୍ରତିଦାଣ୍ଡରେ ଆଲୋକରେ ଭରି ଦିଆଯାଉ । ପ୍ରତ୍ୟେକ ସ୍ଥାନରେ ଭଗବାନ ରାମଙ୍କ ସ୍ୱାଗତ ଓ ଭବ୍ୟ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତ ହେଉ । ଅଯୋଧ୍ୟାରେ ଆନନ୍ଦର ଲହରୀ ଖେଳିଯାଉ ।” ସାରା ଅଯୋଧ୍ୟା ନଗରୀ ଆଲୋକମୟ ହୋଇ ଯାଇଥିଲା । ପୁରେ ପୁରେ ଖୁସିର ବାତାବରଣ ଖେଳି ଯାଇଥିଲା ।
ଅଯୋଧ୍ୟା-ପତି ଆଜି ଅଯୋଧ୍ୟା ଫେରିବେ । ଏହି ଖବର ପ୍ରଚାର ହେବା ମାତ୍ରେ ଅଯୋଧ୍ୟା ବାସୀଙ୍କର ଖୁସି କହିଲେ ନ ସରେ । ସମସ୍ତେ ଧୂପ ଦୀପ ଜାଳି ଅର୍ଘ୍ୟଥାଳି ଧରି ପ୍ରତୀକ୍ଷା କଲେ । ସ୍ଥାନେ ସ୍ଥାନେ ଆମ୍ବ ତୋରଣ ଲଗାଇ ଦିଆଗଲା । ବାଜା ବାଣ ସହ ରାମ ଧ୍ୱନୀ ଓ ସ୍ୱାଗତ ଗୀତିକାରେ ଅଯୋଧ୍ୟା ଭୂମି ପ୍ରକମ୍ପିତ ହେଉଥିଲା । ଭଗବାନ ରାମଙ୍କୁ ପୁର ନରନାରୀ ପୁଷ୍ପମାଲ୍ୟ ଧରି ପୁଷ୍ପାର୍ପଣ କରିବା ଲାଗି ପ୍ରତୀକ୍ଷାରତ ହେଲେ ।
ଏହି ସମୟରେ ଅଯୋଧ୍ୟା ରାଜ ରାସ୍ତାରେ ରଥ ଧୀରେ ଧୀରେ ଗଡି ଆସୁଥାଏ। ରଥରେ ବସିଥାନ୍ତି ଭଗବାନ ରାମଙ୍କ ସହ ଜଗତ-ଜନନୀ କଲ୍ୟାଣମୟୀ ମାତା ସୀତା। ପାଖରେ ଠିଆ ହୋଇଥାନ୍ତି ଅନୁଜ ଲକ୍ଷ୍ମଣ। ସାଥୀରେ ଚାଲି ଚାଲି ଆସୁଥାନ୍ତି ଲଙ୍କେଶ୍ୱର ବିଭୀଷଣ,କିଷ୍କିନ୍ଧ୍ୟା ରାଜ ସୁଗ୍ରୀବ,ଭଲ୍ଲୁକ-ରାଜ ଜାମ୍ବବାନ, ଅଙ୍ଗଦ,ନଳ,ନୀଳ ଓ “ପ୍ରଭୁପଦ ସେବକ ପରମ ପୂଜ୍ୟ ସନ୍ଧ୍ୟା ବନ୍ଦନୀୟ ପ୍ରାତଃ ସ୍ମରଣୀୟ ବୀର ବଜରଙ୍ଗୀ ଅଞ୍ଜନା ହୃଦ-ଚନ୍ଦନ କେଶରୀ-ନନ୍ଦନ ମହାବୀର ହନୁମାନ”। ତାଙ୍କ ପଛେ ପଛେ ଆସୁଥାନ୍ତି ଅସଂଖ୍ୟ ବାନର ଓ ବାନର ସେନାଧ୍ୟକ୍ଷ। ତାଙ୍କ ସହ ଅଯୋଧ୍ୟା ପୁର ନରନାରୀ ଗଣ। ରଥ ଆସି ଅଯୋଧ୍ୟା ରାଜ ଦାଣ୍ଡରେ ଉପସ୍ଥିତ ହେଲା ।
ରାଜ ଦରବାରରେ ଗୋଟିଏ ପଟେ ବସିଥିଲେ ବଶିଷ୍ଠ, ବିଶ୍ଵାମିତ୍ର, ବାମଦେବ,ଜାବାଳି ଭଳି ଗୁରୁଵର୍ଗ ଓ ମହାମନ୍ତ୍ରୀ ସୁମନ୍ତ୍ର; ଗୋଟାଏ ପାର୍ଶ୍ୱରେ ଥିଲେ ତିନି ମାତା ; ଅନ୍ୟ ପାର୍ଶ୍ୱରେ ଅଯୋଧ୍ୟା ପୁର ନରନାରୀ। ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ … ???
(କ) କୌଶଲ୍ୟା ଭାବୁଛନ୍ତି,“ମୋ ପୁଅକୁ ଦଶ ମାସ ଧରି ଗର୍ଭରେ ଧାରଣ କରିଥିଲି। ମୋ ସ୍ତନରୁ କ୍ଷୀର ଖୁଆଇଛି। ସେ ଆସିଲେ ମୋତେ ମାଆ ବୋଲି ଡାକି ଆଗେ ମୁଣ୍ଡିଆ ମାରିବ। ଖୁସିରେ ମୋତେ କୁଣ୍ଢେଇ ପକେଇବ।”
(ଖ) କୈକେୟୀ ଭାବୁଛନ୍ତି,“ରାମ କଣ ମୋତେ ମୁଣ୍ଡିଆ ମାରିବ ? ମୋରି ପାଇଁ ସେ ଚଉଦ ବରଷ ବନବାସ କରିଛି । କେତେ ଦୁଃଖ କଷ୍ଟ ଭୋଗ କରିଛି । କୂଳବଧୁ ସୀତାଙ୍କୁ ରାକ୍ଷସ ରାବଣ ଚୋରି କରି ନେଇଗଲା। ଏତେ ସବୁ ପରେ କଣ ରାମ ମୋତେ କେବେ ମାଆ ବୋଲି କହିବ …..?? ନା ମୁଣ୍ଡିଆ ମାରିବ ???
ବରଂ ମୋତେ ତିରସ୍କାର କରିବ ….!
କେମିତି କୋଉ ମୁହଁ ନେଇ ମୁଁ ମୋ ରାମର ସମ୍ମୁଖୀନ ହେବି …..!!
(ଗ) ସୁମିତ୍ରା ମନେ ମନେ ଭାବୁଛନ୍ତି,”ରାମ ଆସିଲେ ମୋତେ ତ ମାଆ କହି ମୁଣ୍ଡିଆ ମାରିବ ; କିନ୍ତୁ ମୋ ପୁଅ ଲକ୍ଷ୍ମଣ ମୋତେ ପ୍ରଣାମ କରି “ମାଆ ମାଆ” ଡାକି ମୋ ଅତୃପ୍ତ ହୃଦକୁ ତୃପ୍ତ କରିବ।
(ଘ) ଗୁରୁବର୍ଗ ମନେ ମନେ ଭାବୁଛନ୍ତି, “ରାମ ଜ୍ଞାନୀ,ଦୂରଦୃଷ୍ଟି-ସମ୍ପନ୍ନ। ସେ ଆସିଲେ ଆଗେ ଗୁରୁଙ୍କୁ ପ୍ରଣାମ କରିବେ।
କାରଣ ଗୁରୁ ଓ ଗୋବିନ୍ଦଙ୍କ ମଧ୍ୟରେ ଗୁରୁ ଶ୍ରେଷ୍ଠ ଓ ପୂଜ୍ୟ। ତେଣୁ ଆଗେ ସେ ଗୁରୁଙ୍କୁ ପ୍ରଣାମ କରିବେ।”
(ଙ)ପ୍ରଜାଗଣ ଭାବୁଛନ୍ତି – ରାମ ପ୍ରଜା ବତ୍ସଳ ।ତାଙ୍କ ହୃଦୟରେ ଅଯୋଧ୍ୟା ନରନାରୀଙ୍କ ପାଇଁ ଅଜସ୍ର ସ୍ନେହ ଶ୍ରଦ୍ଧା ଅଛି । ରାଜାଠାରୁ ପ୍ରଜା ବଡ଼ ।ପ୍ରଜାଙ୍କୁ ନେଇ ରାଜ୍ୟ ।ସେଥିପାଇଁ ରାମ ଆଗେ ପ୍ରଜାଗଣଙ୍କୁ ମୁଣ୍ଡିଆ ମାରିବେ ।
ସମସ୍ତେ ଏତେ ସବୁ ଭାବନାରେ ବୁଡି ରହିଥିଲା ବେଳେ ଶ୍ରୀ-ରାମ ରଥରୁ ଓହ୍ଲାଇଲେ। ସିଧା ଯାଇ ମାତା କୈକେୟୀଙ୍କ ପାଦ ତଳେ ଲମ୍ବ ହୋଇ ପଡିଗଲେ। ମହାରାଣୀ କୈକେୟୀଙ୍କର ଅଶ୍ରୁଭରା ନେତ୍ରରୁ ଧାର ଧାର ଲୋତକ ବୁନ୍ଦା ସବୁ ଭଗବାନ ରାମଙ୍କ ମସ୍ତକକୁ ଧୋଇ ଦେଉଥାଏ। ଭଗବାନ ରାମଙ୍କର ନୟନ ଯୁଗଳରୁ ମଧ୍ୟ ଲୋତକର ବାରି ଧାରା ମାଆ କୈକେୟୀଙ୍କର ପାଦ ପ୍ରକ୍ଷାଳନ କରୁଥାଏ।
ଏଇ ସମୟରେ ମାଆ କୈକେୟୀ ଥର ଥର କଣ୍ଠରେ “ମୋ ଧନ ରାମ,ରାମ” କହି ଭୂଇଁରୁ ତୋଳି ଆଣି ମୁଖରେ ବାତ୍ସଲ୍ୟ ମମତାକୁ ଅଜାଡି ଦେଉଥାନ୍ତି। ଥର ଥର କଣ୍ଠରେ କହିଲେ, “କାହିଁକିରେ ରାମ ! ଏ ମାଆକୁ ମୁଣ୍ଡିଆ ମାରିଲୁ ? ତୋ ପ୍ରଣାମ ପାଇବା ପାଇଁ ଏ କୁଳ କଳଙ୍କିନୀ ସମ୍ପୁର୍ଣ୍ଣ ଅଯୋଗ୍ୟା ।”
ଭଗବାନ ହସିଲେ। କହିଲେ, “ମାଆ ବନ୍ଦନୀୟା,ପୂଜନୀୟା। ପୁତ୍ର କୁ-ପୁତ୍ର ହୋଇ ପାରେ ; କିନ୍ତୁ ମାଆ କେବେ ହେଁ କୁ-ମାତା ହୋଇ ନ ପାରେ। ମାଆ କେବେ ହେଁ ପିଲାର ଅମଙ୍ଗଳ କରି ପାରେନା ; ଯେତେ ଯାହା ହେଇଗଲେ ହେଇ ଯାଉ ପଛେ ।”