No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ମଇ ଗୁରବାର ) ହିଞ୍ଜିଳିକାଟୁ :- ରାଜ୍ୟରେ ଅଦୃଶ୍ୟ ଭୁତାଣୁ କରୋନା ମାରାତ୍ମକ ସାବ୍ୟସ୍ତ ହୋଇ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି।ଜୀବନ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରି ମହାମାରୀ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।ସାରା ରାଜ୍ୟରେ ତାଣ୍ଡବ ରଚିଛି କରୋନାର ଦ୍ଵିତୀୟ ଷ୍ଟ୍ରେନ।ପ୍ରଥମେ ପଡୋଶୀ ଛତିଶଗଡ଼ ଓ ପଶ୍ଚିମବଙ୍ଗ ପରେ ଏବେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଫେରନ୍ତାଙ୍କ ଉପରେ ପ୍ରଶାସନ ନଜର ରଖିଛି।ରାଜ୍ୟରେ ସଂକ୍ରମଣକୁ କିଭଳି ପ୍ରତିହତ କରି ଶିକୁଳି ଭାଙ୍ଗି ହେବ ସେଥିପାଇଁ ପ୍ରଶାସନ ପକ୍ଷରୁ ଲକ ଡାଉନ ଓ ସପ୍ତାହାନ୍ତ ସଟ ଡାଉନ ଘୋଷଣା କରାଯାଇଛି। ଏଭଳି ଏକ ଦୁର୍ଦ୍ଦିନ ମଧ୍ୟରେ ରାଜ୍ୟବାସୀ ପେଷି ହେଉଥିବା ବେଳେ ସବୁଠାରେ ଦେଖାଦେଇଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର କଳା ବଜାରୀ।ବଜାରରେ ଆଳୁର ଅହେତୁକ ମୂଲ୍ୟ ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି।ନିଅଣ୍ଟିଆ ପରିସ୍ଥିତି ପୂରଣ ସକାଶେ ପଡୋଶୀ ରାଜ୍ୟରୁ ନିୟମିତ ଭାବେ ରାଜ୍ୟକୁ ଆଳୁ ଆମଦାନୀ ହେଉଛି।କିନ୍ତୁ ଗୋଦାମ ମାଲିକଙ୍କ ଠାରୁ ଖୁଚୁରା ବ୍ୟବସାୟୀ ପର୍ଯ୍ୟନ୍ତ ଲକ ଡାଉନର ଫାଇଦା ଉଠାଇ କୃତ୍ରିମ ଅଭାବ ସୃଷ୍ଟି କରି ମାଲେମାଲ ହେବା ରାଜ୍ୟ ଯୋଗାଣ ବିଭାଗର ନଜରକୁ ଆସିଛି।ଏହି କଳା ବଜାରୀ ଉପରେ ନିୟନ୍ତ୍ରଣ କରିବା ପାଇଁ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟର ସମସ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଓ ଯୋଗାଣ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସ୍ଥାନୀୟ ହିଞ୍ଜିଳି କାଟୁ ସହରରେ ଲାଭଖୋର ଓ ଖୁଚୁରା ବ୍ୟବସାୟୀ ଆଳୁ କିଲୋ ପିଛା ୨୪ ଟଙ୍କା ଦରରେ ବିକ୍ରି କରୁଥିବା ନେଇ ପ୍ରଶାସନ ନିକଟରେ ସୂଚନା ପହଞ୍ଚି ଥିଲା । ଆଳୁରେ ବ୍ୟବସାୟୀଙ୍କ ଆଖିବୁଜା କଳାବଜାରୀ ଖାଉଟିଙ୍କୁ ଭାରି ଅସ୍ତବ୍ୟସ୍ତ ଓ ଚିନ୍ତାରେ ପକାଇଛି।କଳା ବଜାରୀର ଶୋଷଣରୁ ଖାଉଟିଙ୍କୁ ସହାୟତା କରିବା ପାଇଁ ଗୁରୁବାର ସକାଳେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ଓ ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁ ପରିବା ବଜାରରେ ପହଞ୍ଚି ନିର୍ଦ୍ଧାରିତ ଦରରେ ଆଳୁ ବିକ୍ରି କରିବା ପାଇଁ ଦୋକାନୀ ମାନଙ୍କୁ ତାଗିଦ କରିଥିଲେ। ପରେ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ବଜାର ଗୃହ ପ୍ରାଙ୍ଗଣରେ ସୁଲଭ ମୂଲ୍ୟରେ ଖୁଚୁରା ଆଳୁ ବିକ୍ରୟ କେନ୍ଦ୍ର ଖୋଲା ଯାଇଥିଲା । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ସାହୁ,ଯୋଗାଣ ନିରୀକ୍ଷକ ଶ୍ରୀ ସାହୁ,ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବିନାୟକ ବିଶ୍ୱାଳ ଓ ଆଉଟଲେଟ ଡିଲର ମାନେ ଉପସ୍ଥିତ ଥିଲେ।ଜିଲ୍ଲା ପ୍ରଶାସନର ଅନ୍ୟାଦେଶ ପର୍ଯ୍ୟନ୍ତ ପ୍ରତ୍ୟହ ଡିଲର କିଣାମୂଲ୍ୟ ଅନୁସାରେ ଖୁଚୁରା କେନ୍ଦ୍ରରେ ଖାଉଟିଙ୍କୁ ଆଳୁ ଯୋଗାଇ ଦିଆଯିବ ବୋଲି ଯୋଗାଣ ନିରୀକ୍ଷକ କହିଛନ୍ତି।ଲୋକଙ୍କ ଚାହିଦାକୁ ପୂରଣ କରିବା ପାଇଁ ସହରର ପ୍ରମୁଖ ସ୍ଥାନରେ ଅଧିକ ଖୁଚୁରା ଆଳୁ ବିକ୍ରୟ କେନ୍ଦ୍ର ଖୋଲିବ ବୋଲି ଯୋଗାଣ ନିରୀକ୍ଷକ ଶ୍ରୀ ସାହୁ କହିଛନ୍ତି ।
( ରିପୋର୍ଟ: ଶୁସାନ୍ତ ପ୍ରଧାନ )
No Result
View All Result