No Result
View All Result
ଓଡ଼ିଶା ତାଜା ଖବର (୩୦ ଅପ୍ରେଲ ଶୁକ୍ରବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନାର ଦ୍ଵିତୀୟ ଲହର ପ୍ରାଣଘାତି ସାବ୍ୟସ୍ତ ହୋଇଛି । ଏହାର କରାଳ ରୁପ ବହୁ ସଂଖ୍ୟକ ଲୋକଙ୍କ ଜୀବନକୁ ଗ୍ରାସ କରିବାରେ ସକ୍ଷମ ହୋଇଛି । ଏହାର ଦୃଢ଼ ମୁକାବିଲା ପାଇଁ ସବୁ ସ୍ତରରେ ଉଦ୍ୟମ ଅବ୍ୟାହତ ରହିଛି।ରାଜ୍ୟ ସମେତ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କ ଜୀବନ ସୁରକ୍ଷା ଦିଗରେ ବିଭିନ୍ନ ସମୟରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି ।ଅଧିକ ସଚେତନ ରହିବା ସହ ସତର୍କତା ଅବଲମ୍ବନ କରିବା ପାଇଁ ରୀତିମତ ପ୍ରଚେଷ୍ଟା ଜାରୀ ରଖିଛି ପ୍ରଶାସନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆହୁତ ବୈଠକରେ କରୋନା ସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ସ୍ଥାନୀୟ ପ୍ରଶାସନ ଦ୍ୱାରା ଅଞ୍ଚଳର ଆବଶ୍ୟକତା ଅନୁସାରେ ସଚେତନତା, ଚିକିତ୍ସା ସେବା ଓ ଜରୁରୀ ପ୍ରତିଷେଧକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି ।
ସମ୍ପ୍ରତି ସ୍ଥାନୀୟ ପୌରାଞ୍ଚଳର କେଉଟ ସାହି ଓ ଥାନା ତୋଟା ସାହି ଅଞ୍ଚଳକୁ ମିନି କଣ୍ଟେନମେଣ୍ଟ ଜୋନ ଭାବେ ଜିଲ୍ଲା ପ୍ରଶାସନ ଘୋଷଣା କରିଛି । ସହରର କିଛି ଅଞ୍ଚଳରେ ଦୈନିକ ନୁଆଁ ନୁଆଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ କ୍ରମେ ସଂକ୍ରମଣ ସମ୍ଭାବିତ ଅଞ୍ଚଳରେ ବିଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଏହି କ୍ରମରେ ଶୁକ୍ରବାର ସହରର ଅଧିକ ଗହଳ ଚହଳ ସ୍ଥାନ ନୂତନ ବସ ଟର୍ମିନାଲ,ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବ୍ଳକ କଲୋନୀ ଅଞ୍ଚଳରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।ସ୍ଥାନୀୟ ହିଞ୍ଜିଳି ଅଗ୍ନିଶମ ବିଭାଗ ପକ୍ଷରୁ ରାସାୟନିକ ମିଶ୍ରଣ ସିଞ୍ଚନ କରି ସମ୍ପୃକ୍ତ ସ୍ଥାନ ଗୁଡିକୁ ବିଶୋଧିତ କରାଯାଇଛି । ଅଗ୍ନିଶମ ବିଭାଗର ଷ୍ଟେସନ ଅଧିକାରୀ ଗୌତମ ସାହୁଙ୍କ ନିର୍ଦ୍ଦେଶରେ ରତିକାନ୍ତ ପରିଡା,ସତ୍ୟରାମ ନାୟକ ଓ ମୁକ୍ତିକାନ୍ତ ଜେନା ପ୍ରମୂଖ କର୍ମଚାରୀ ବିଶୋଧନ କାର୍ଯ୍ୟରେ ସାମିଲ ହୋଇଥିଲେ । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result