No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଅପ୍ରେଲ ବୁଧବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ଲୋକଙ୍କ ମନରେ ଅଜଣା ଆତଙ୍କ ଖେଳିଯାଇଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ସମସ୍ତ ସହରାଂଚଳରେ ଗତ ୧୭ ତାରିଖ ଠାରୁ ନାଇଟକର୍ଫ୍ୟୁ ଆରମ୍ଭ କରିଥିଲେ । ଏଥି ସହ ବିଭିନ୍ନ ଧର୍ମାନୁଷ୍ଠାନ, ଖେଳପଡ଼ିଆ, ଶିଶୁ ଉଦ୍ୟାନକୁ ବନ୍ଦ କରାଯିବା ସହ ଜନସାଧାରଣ ପ୍ରବେଶ ପାଇଁ ବାରଣ କରାଯାଇଛି । ଏହା ସତ୍ୱେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା କାରଣରୁ ଚଳିତ ମାସ ଶେଷ ସପ୍ତାହ ଠାରୁ ସପ୍ତାହନ୍ତ (ଶନିବାର ଓ ରବିବାର) ୨ ଦିନିଆ ସଟଡ଼ାଉନ ଘୋଷଣା କରାଯାଇଛି । ସରକାରଙ୍କ ପକ୍ଷରୁ ସଟଡ଼ାଉନ ଘୋଷଣା ପରେ ପୂର୍ବ ବର୍ଷର କଥାକୁ ଦେହାରାଇ ସ୍ଥାନୀୟ ଅଂଚଳର ଲୋକଙ୍କ ମଧ୍ୟରେ ଖାଦ୍ୟ ସାମଗ୍ରୀ ପାଇଁ ଭାଳେଣି ପଡ଼ିଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଚିତ ହିଞ୍ଜିଳିକାଟୁ ପୌରାଂଚଳ ଉପରେ ପ୍ରତ୍ୟହ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଗ୍ରାମାଂଚଳର ଜନ ସାଧାରଣ ବେପାର ବାଣିଜ୍ୟ ପାଇଁ ନିର୍ଭର କରିଥାନ୍ତି । ଏପରିକି ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଂଚଳରୁ ଉତ୍ପାଦିତ ପନିପରିବା ଗଞ୍ଜାମ ଜିଲ୍ଲା ନିକଟବର୍ତି ଜିଲ୍ଲାକୁ ରପ୍ତାନି କରାଯାଇଥାଏ ।
ତେବେ ନାଇଟକର୍ଫ୍ୟୁ ଆରମ୍ଭ ହେବା ପରେ ସ୍ଥାନୀୟ ଅଂଚଳର କିଛି ଠକ ବ୍ୟବସାୟୀ ବିଭିନ୍ନ ରାସନ ସାମଗ୍ରୀର କଳାବଜାରି କରିବା ଆରମ୍ଭ କରି ଦେଇଛନ୍ତି । ନିକଟବର୍ତି ବିଭିନ୍ନ ଗ୍ରାମାଂଚଳର ଖୁଚୁରା ବ୍ୟବସାୟୀ ମାନେ ଗତ କିଛି ଦିନ ହେଲା ହିଞ୍ଜିଳିକାଟୁ ବଜାରକୁ ଆସି ବହୁ ପରିମାଣରେ ରାସନ ସାମଗ୍ରୀ ବୋହି ନେଉଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳର କିଛି ହୋଲସେଲ ବ୍ୟବସାୟୀ ବର୍ତମାନ ଠାରୁ ବିଭିନ୍ନ ରାସନ ସାମଗ୍ରୀକୁ ଗଚ୍ଛିତ ରଖିବା ଆରମ୍ଭ କରିଦେଲେଣି । ଗତ କିଛି ଦିନ ପୂର୍ବେ ଆଳୁର ଖୁଚିୁରା ଦର କିଲୋଗ୍ରାମ ପ୍ରତି ୧୨ ଟଙ୍କା ରହିଥିବା ବେଳେ ବର୍ତମାନ ବଜାର ଦର ୧୫ ଟଙ୍କାରେ ପଂହଚିଛି । ଆଗାମୀ ଦିନରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଆଶଙ୍କା କରାଯାଉଛି । ବଜାରରେ କୃତିମ ଅଭାବ ଦର୍ଶାଇ କଳାବଜାରି କରୁଥିବା ବ୍ୟବସାୟୀ ମାନଙ୍କ ଉପରେ ପ୍ରଶାସନ ଦୃଷ୍ଟି ପ୍ରଦାନ କରିବାକୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ନହେଲେ ନିମ୍ନ ମଧ୍ୟବିତ ଓ ଗରୀବ ଶ୍ରେଣୀର ପରିବାର ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କାକୁ ଏନାଇ ଦିଆଯାଇନପାରେ ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result