No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୦ ଏପ୍ରିଲ , ମଙ୍ଗଳବାର ) ହିଞ୍ଜିଳିକାଟୁ :- ଗତ କିଛି ଦିନ ହେଲା କରୋନାର ଦ୍ୱିତୀୟ ଲହରୀ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବିଦେଶରୁ ଆସି ପୂର୍ବ ଭାଇରସ ଠାରୁ ଅଧିକ ଶକ୍ତିଶାଳୀ ଏବଂ ମାରାତ୍ମକ ଭାଇରସ ଆମ ଦେଶରେ ପ୍ରବେଶ କରିସାରିଛି । ମହାରାଷ୍ଟ୍ର, ପଞ୍ଜାବ, କେରଳରେ ଏହି ଭାଇରସ ତାହାର ପ୍ରଭାବ ଦେଖାଇବା ପରେ ଦେଶର ପ୍ରାୟ ସମସ୍ତ ରାଜ୍ୟ ନିଜ ନିଜ ରାଜ୍ୟରେ ସ୍ୱତନ୍ତ୍ର କୋଭିଡ଼ ଗାଇଡ଼ ଲାଇନ ପ୍ରସ୍ତୁତ କରି ଏହାକୁ କଡ଼ାକଡ଼ି ଭାବେ ପାଳନ କରୁଥିବାର ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାର ବହୁ ପ୍ରବାସୀ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବାରୁ କରୋନାର ଦ୍ୱିତୀୟ ଲହରୀ ଗଞ୍ଜାମ ଜିଲ୍ଲା ସକାଶେ ବାଧକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯିବା ସହ କଡ଼ାକଡ଼ି ଭାବେ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁୂ ଡ଼ାକବାଜି ଯନ୍ତ୍ର ସହାୟତାରେ ସଚେତନ କାର୍ଯ୍ୟକ୍ରମ ଜାରି ରହିଛି । ତଥାପି କିଛି ଅମାନିଆଙ୍କ ଯୋଗୁଁ ସ୍ଥାନୀୟ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନ ବିଭିନ୍ନ ସମୟରେ ହିଞ୍ଜିଳି ଗ୍ରସ୍ତରେ ଆସି ସ୍ଥାନୀୟ ଅଂଚଳର ଜନସାଧାରଣଙ୍କୁ ସଚେତନ କରିବା ସହ କୋଭିଡ଼ କଟକଣାକୁ ପାଳନ କରିବା ଏବଂ ମାନି ଚଳିବା ପାଇଁ ପରାମର୍ଶ ଦେଇଥିବା ନଜିର ରହିଛି । ତଥାପି ପ୍ରଶାସନର ପରାମର୍ଶକୁ ଖାତିର ନକରି କିଛି ଅମାନିଆ ବିନା ମାସ୍କରେ ବାହାରେ ବୁଲିବା ସହ ଅକାରଣରେ ବିଭିନ୍ନ ଛକ ସ୍ଥାନରେ ଗହଳି କରି ଗୁଲିଖଟି କରି ସଂକ୍ରମଣ ବଢାଉଥିବା ଦେଖିବାକୁ ମିଳିଛି ।
ଅମାନିଆଙ୍କୁ ସାବାଡ଼ କରିବା ପାଇଁ ସ୍ଥାନୀୟ ପୁଲିସ, ପୌର ପ୍ରଶାସନ ଆକ୍ସନ ମୁଡ଼ରେ ପଂହଚି ବିନା ମାସ୍କରେ ବାହାରେ ବୁଲୁଥିବା ଓ ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା ଓ ପଂଚସୂତ୍ରୀ ନିୟମ ପାଳନ କରୁନଥିବା ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ମାନଙ୍କ ଠାରୁ ଜରିମାନା ଆଦାୟ କରିଥିଲା । ଦିନେ ଦୁଇଦିନ ସର୍ତକତା ଅବଲମ୍ବନ କରିବା ପରେ ଅମାନିଆ ମାନେ ପୁଣି ପୂର୍ବ ସ୍ଥିତିକୁ ଦୋହରାଇବାରେ ଲାଗିଲେ । ମାସ୍କକୁ ମୁହଁରେ ଲଗାଇଥିବା ବେଳେ ନାକ ଓ ମୁହଁରେ ରହିବା ପରିବର୍ତେ ଓଠ ତଳକୁ ରହିଥିବାର ଦେଖିବାକୁ ମିଳିଥିଲା । ବିଭିନ୍ନ ଛକ ସ୍ଥାନରେ ଅଯତାରେ ଭିଡ଼ ଜମାଉଥିବାର ଦେଖିବାକୁ ମିଳିଥିଲା । ପୌର ଅଧିକାରୀ କିମ୍ବା ପୁଲିସକୁ ଦେଖିଲେ ମାସ୍କକୁ ସଠିକ ଢଙ୍ଗରେ ବ୍ୟବହାର କରୁଥିଲେ ପୁଣି ଅଧିକାରୀ ମାନେ ସେହି ସ୍ଥାନ ଛାଡ଼ିବା ପରେ ପୁଣି ଅମାନିଆ ମାନେ ସମାନ ଅବସ୍ଥାକୁ ଫେରୁଥିବାର ଦେଖିବାକୁ ମିଳିଛି । ଅମାନିଆ ମାନଙ୍କୁ ବାଟକୁ ଆଣିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପନ୍ଥା ଗ୍ରହଣ କରାଯାଉଥିଲେ ମଧ୍ୟ ଅମାନିଆ ମାନେ ନାଚାର । ମଙ୍ଗଳବାର ଭୋରରୁ ସ୍ଥାନୀୟ ପୌରାଂଚଳ ନିୟନ୍ତ୍ରିତ ବଜାର ପରିସରରେ ଥିବା ଆମିଷ ବଜାରରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମିଥିଲା । ସତେ ଯେପରିକି କରେନା ଭୁତାଣୁ ସଂକ୍ରମଣକୁ ଆମନ୍ତ୍ରିତ କରୁଥିବାର ଦେଖିବାକୁ ମିଳିଥିଲା । ଖବର ପାଇ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଥାନା ଆଇଆଇସି ଅଭିମନ୍ୟୁ ଦାସ ଓ ପୁଲିସ ଫୋର୍ସ ସଂପୃକ୍ତ ଆମିଷ ବଜାରରେ ପଂହଚି ଭିଡ଼ ନିୟନ୍ତ୍ରଣ କରିବା ସହ ଆଗାମୀ ଦିନରେ ଭିଡ଼ ପରିଲିକ୍ଷିତ ହେଲେ ସଂପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ସିଲ୍ କରାଯିବା, ଜରିମାନା ଆଦାୟ କରାଯିବା ସହ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯିବ ବୋଲି ଥାନା ଆଇଆଇସି ଦାସ କହିଥିଲେ । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result