No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଏପ୍ରିଲ ମଙ୍ଗଳବାର ) ନୀଳଗିରି :- ସମଗ୍ର ଦେଶରେ କରୋନାର ରୂପ ଭୟାବହ ହେବାରେ ଲାଗିଛି। ଆକ୍ରାନ୍ତ ସଂଖ୍ୟା ଏମିତି ବଢି ଚାଲିଛି ଯେ, ରୋଗୀଙ୍କୁ ବେଡ୍ଟିଏ ମଧ୍ୟ ମିଳିପାରୁନି। ଶେଷରେ ରୋଗୀଙ୍କ ଜୀବନ ଚାଲିଯାଉଥିବା ଅନେକ ଘଟଣା ଦେଖିବାକୁ ମିଳିଛି। ଏହିପରି ଜଣେ ଓଡିଆ ଯୁବକ ପ୍ରାଣ ହରାଇଛନ୍ତି। କରୋନା ପାଇଁ ଚିକିତ୍ସା କରିବାକୁ ବେଡ଼ ମିଳିଲାନି । ଶେଷରେ ଜଣେ ଓଡ଼ିଆ ଯୁବ ସଫ୍ଟଓୟାର ଇଞ୍ଜିନିୟର ଆଖି ବୁଜି ଦେଇଛନ୍ତି ।
ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧିନ ଶ୍ରୀଦେଇପୁର ଗ୍ରାମର ସୁକୁମାର ପରିଡ଼ା (୩୬) ଦିଲ୍ଲୀ ସ୍ଥିତ ଗାଜିଆବାଦ ଅଞ୍ଚଳରେ ଏକ କମ୍ପାନୀରେ ସଫ୍ଟଓୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରି ଆସୁଥିଲେ। କିଛିଦିନ ହେବ ତାଙ୍କୁ ଜ୍ୱର ହେବାରୁ ସ୍ୱାବ ପରୀକ୍ଷା କରିବାରୁ ରିପୋର୍ଟ ପଜିଟିଭ ଆସିଥିଲା । ଚିକିତ୍ସା ପାଇଁ ମେଡିକାଲରେ ଖୋଜି ଖୋଜି ନୟାନ୍ତ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ବେଡ଼ ମିଳି ନଥିଲା ।
କାଲି ବିଳମ୍ବିତ ରାତିରେ ହଠାତ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସମ୍ପର୍କୀୟମାନେ ଏକ ମେଡିକାଲକୁ ନେଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମରଶରୀର ନିକଟରେ ତାଙ୍କ ସ୍ତ୍ରୀ ଓ ଦେଢ଼ ବର୍ଷର ପୁଅ ଅଛନ୍ତି। ସୁକୁମାରଙ୍କ ମୃତ୍ୟୁ ଖବର ପାଇ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ଦିଲ୍ଲୀରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି । (ଦୀପ୍ତିମାନ ପତି, ବାଲେଶ୍ୱର )
No Result
View All Result