ଦିଲ୍ଲୀରେ ଆଖି ବୁଜିଲେ ଯୁବ ଓଡ଼ିଆ ସଫ୍ଟଓୟାର ଇଞ୍ଜିନିୟର, କରୋନା ପାଇଁ ମିଳିଲାନି ବେଡ୍

ଓଡ଼ିଶା ତାଜା ନ୍ୟୁଜ (୧୯ ଅପ୍ରେଲ ସୋମବାର ) ନୀଳଗିରି :- ସମଗ୍ର ଦେଶରେ କରୋନାର ରୂପ ଭୟାବହ ହେବାରେ ଲାଗିଛି । ଆକ୍ରାନ୍ତ ସଂଖ୍ୟା ଏମିତି ବଢି ଚାଲିଛି ଯେ, ରୋଗୀଙ୍କୁ ବେଡ୍‌ଟିଏ ମଧ୍ୟ ମିଳିପାରୁନି । ଶେଷରେ ରୋଗୀଙ୍କ ଜୀବନ ଚାଲିଯାଉଥିବା ଅନେକ ଘଟଣା ଦେଖିବାକୁ ମିଳିଛି। ଏହିପରି ଜଣେ ଓଡିଆ ଯୁବକ ପ୍ରାଣ ହରାଇଛନ୍ତି । କରୋନା ପାଇଁ ଚିକିତ୍ସା କରିବାକୁ ବେଡ଼ ମିଳିଲାନି । ଶେଷରେ ଜଣେ ଓଡ଼ିଆ ଯୁବ ସଫ୍ଟଓୟାର ଇଞ୍ଜିନିୟର ଆଖି ବୁଜି ଦେଇଛନ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧିନ ଶ୍ରୀଦେଇପୁର ଗ୍ରାମର ସୁକୁମାର ପରିଡ଼ା (୩୬) ଦିଲ୍ଲୀ ସ୍ଥିତ ଗାଜିଆବାଦ ଅଞ୍ଚଳରେ ଏକ କମ୍ପାନୀରେ ସଫ୍ଟଓୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରି ଆସୁଥିଲେ ।

କିଛିଦିନ ହେବ ତାଙ୍କୁ ଜ୍ୱର ହେବାରୁ ସ୍ୱାବ ପରୀକ୍ଷା କରିବାରୁ ରିପୋର୍ଟ ପଜିଟିଭ ଆସିଥିଲା । ଚିକିତ୍ସା ପାଇଁ ମେଡିକାଲରେ ଖୋଜି ଖୋଜି ନୟାନ୍ତ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି  ବେଡ୍ ମିଳି ନଥିଲା । କାଲି ବିଳମ୍ବିତ ରାତିରେ ହଠାତ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସମ୍ପର୍କୀୟମାନେ ଏକ ମେଡିକାଲକୁ ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମରଶରୀର ନିକଟରେ ତାଙ୍କ ସ୍ତ୍ରୀ ଓ ଦେଢ଼ ବର୍ଷର ପୁଅ ଅଛନ୍ତି । ସୁକୁମାରଙ୍କ ମୃତ୍ୟୁ ଖବର ପାଇ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଦିଲ୍ଲୀରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି । (ଦୀପ୍ତିମାନ ପତି, ବାଲେଶ୍ୱର )