No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଏପ୍ରିଲ , ଗୁରୁବାର )ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ହିଞ୍ଜିଳିକାଟୁରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ କିଛି ଦିନ ପୂର୍ବେ ସ୍ଥାନୀୟ ବ୍ଳକର ଜଣେ କରେନା ସଂକ୍ରମିତ ଚିହ୍ନଟ ପରେ ଅଂଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା । କିଛି ଦିନର ନିରବତା ପରେ ସ୍ଥାନୀୟ ପୈାରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡିଛି ।ଗୁରୁବାର ହିଞ୍ଜିଳିକାଟୁ ପୌରାଂଚଳର ୩ଜଣ ଏବଂ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରୁ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୁରୁବାର ସୁଦ୍ଧା ସ୍ଥାନୀୟ ବ୍ଳକ ଓ ପୌରାଞ୍ଚଳରେ ୫୦ଟି ଆକ୍ଟିଭ କେଶ ରହିଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ସ୍ଥାନୀୟ ପୌରାଞ୍ଚଳ ପୁରୁଣା ଉପଖଣ୍ଡ ଚିକିତ୍ସାଳୟ କୋଠାକୁ ୫୦ ଶର୍ଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଂଟର କରାଯିବା ଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି ।
ପୁରୁଣା ଉପଖଣ୍ଡ ଚିକିତ୍ସାଳୟର ଅନ୍ତଃବିଭାଗ, ବର୍ହିଃବିଭାଗ, ପ୍ରସୂତୀ କକ୍ଷ, ଡ଼୍ରେସିଂଗ ରୁମ ଆଦି କକ୍ଷ ଗୁଡ଼ିକୁ ରୋଗୀଙ୍କ ଚିକିତ୍ସା ଲାଗି ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଚିକିତ୍ସାଳୟ ଭାରପ୍ରାପ୍ତ ଅଧିକ୍ଷକ ଡ଼ାକ୍ତର ପ୍ରତିଭା କୁମାରୀ ପାତ୍ର, ଡାକ୍ତର ଟି ସୟମ୍ଭୁ ରାଓ, ପୈାର କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର, ମାନସ ରଞ୍ଜନ ଦାଶ, ହିସାବ ରକ୍ଷକ ସତ୍ୟ ପଟ୍ଟନାୟକ ପ୍ରମୁଖ ସଂପୃକ୍ତ ୫୦ଶର୍ଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଂଟରର ସ୍ଥିତି ନିରୁପଣ କରିଥିଲେ । ଏଥି ସହ କୋଭିଡ ପାଇଁ ନିଯୁକ୍ତି ହୋଇଥିବା ଡ଼ାକ୍ତର, ଷ୍ଟାପନର୍ସ ଓ ଫାର୍ମାସିଷ୍ଟ ସକାହେଶ ଆବାସ ସ୍ଥଳ ଏବଂ ଅନ୍ୟାନ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଆଲୋଚନା କରିଥିଲେ । ବିଦ୍ୟୁତ, ପାନୀୟ ଜଳ,ରୋଗୀଙ୍କ ସକାଶେ ଶୌଚାଳୟ ଆଦି ଯେପରି ଆବଶ୍ୟକ ସୁବିଧା ସୁଯୋଗ ଉପଲବ୍ଧ ହୋଇପାରିବ ସେଥିପ୍ରତି ବିଭାଗୀୟ ଅଧିକାରୀ ମାନେ ଗୁରୁତ୍ୱାରରୋପ କରିଥିଲେ । ଆସନ୍ତା ୨ ଦିନ ମଧ୍ୟରେ ସ୍ଥାନୀୟ ପୌରାଞ୍ଚଳରେ କୋଭିଡ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେବ ବୋଲି ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ସାହୁ କହିଛନ୍ତି ।
( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result