No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ଅପ୍ରେଲ ରବିବାର) ଜଗନ୍ନାଥ ପ୍ରସାଦ :- ଜଙ୍ଗଲକୁ ସୁରକ୍ଷା ଦେଉଛି ଭାଲୁ । କେତେବେଳେ ରାସ୍ତା ଉପରେ ତ ଆଉ କେତେବେଳେ ଗାଁ ଗାଁ ବୁଲି ଭାଲୁ ବାଣ୍ଟୁଛି ଜଙ୍ଗଲ ସୁରକ୍ଷା ନେଇ ସଚେତନତା ବାର୍ତ୍ତା । ଜଙ୍ଗଲକୁ ନିଆଁରୁ ସବୁଜିମାର ସୁରକ୍ଷା ସହ ପରିବେଶ ପ୍ରଦୂଷଣ ରୋକିବାକୁ ଭାଲୁ କରୁଛି ନିବେଦନ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ କ୍ଷେତମୁଣ୍ଡଳି ଗାଁର ବିଜୟ ଚନ୍ଦ୍ର ପ୍ରଧାନ। ସକାଳ ହେଲେ ସେ ଭାଲୁ ବେଶ ପୋଷାକ ଓ ମୁଖା ପିନ୍ଧି ପାଲଟି ଯା’ନ୍ତି ଭାଲୁ। ବାଇକ ଧରି ବାହାରି ପଡନ୍ତି ଜଙ୍ଗ ଅଭିମୁଖେ। ବେକରେ ଭାଲୁଙ୍କ ନିବେଦନ ଲେଖିଥିବା ଏକ ପୋଷ୍ଟର ପକାଇ ଏ ଗାଁରୁ ସେ ଗାଁକୁ ବୁଲନ୍ତି। ତାଙ୍କ ପାଇଁ ଖରା, ବର୍ଷା କିଛି ମାନେ ରଖେନା। ରାସ୍ତାରେ ଲୋକଙ୍କୁ ଅଟକାଇ ଜଙ୍ଗଲ ବଞ୍ଚାଇବାକୁ ସେ ସଚେତନତାର ବାର୍ତ୍ତା ବାଣ୍ଟନ୍ତି। ଜଙ୍ଗଲକୁ ନିଆଁ ଦାଉରୁ ବଞ୍ଚାଇବା ସହ ସୁରକ୍ଷା କରିବା ହେଉଛି ବିଜୟଙ୍କର ମୁଖ୍ୟ କାମ।
ପ୍ରଚାର ପତ୍ର ଛପାଇ ଘରକୁ ଘର ବୁଲି ସେ ବାଣ୍ଟିଛନ୍ତି। ସ୍କୁଲ, କଲେଜ, ରାସ୍ତାଘାଟ ସବୁଠାରେ ରହି ଲୋକଙ୍କୁ ଅଟକାଇ ସଚେତନ କରୁଛନ୍ତି ସେ। ଲୋକଙ୍କୁ ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଦେବା ସହ ନିଜେ ମଧ୍ୟ ଜଙ୍ଗଲକୁ ଯାଇ ସୁରକ୍ଷା କରୁଛନ୍ତି। ଜଣେ ବନ କର୍ମଚାରୀଙ୍କ କଥାରେ ଅନୁପ୍ରାଣିତ ହୋଇ ବିଜୟ ସଚେତନତାର ଏହି ରାସ୍ତା ଆପଣାଇଥିଲେ। ଜଙ୍ଗଲକୁ ସୁରକ୍ଷା କରିବା କେବଳ ଆମର ନୁହଁ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କୁହନ୍ତି ବିଜୟ ପ୍ରଧାନ। ଏଭଳି କରିବା ଦ୍ୱାରା ତାଙ୍କୁ ଆନନ୍ଦ ମିଳେ ବୋଲି ସେ କୁହନ୍ତି ।
ଜଙ୍ଗଲ ସୁରକ୍ଷା ନେଇ ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ବିଜୟ ବିଜୟ ପ୍ରଧାନଙ୍କ ଏହି ନିଆରା ପ୍ରୟାସ ଆଖପାଖର ଲୋକଙ୍କ ମଧ୍ୟରେ ଅନେକ ପ୍ରଭାବ ପକାଇଛି । ସଚେତନତା ବାର୍ତ୍ତା ପାଇବା ପରେ ପରିବେଶ ପ୍ରତି ଲୋକଙ୍କ ଭଲ ପାଇବା ବୃଦ୍ଧି ପାଇଛି । ଏହି ବାର୍ତ୍ତା ଆଗାମୀ ଯୁବପିଢୀଙ୍କ ମଧ୍ୟରେ ଏକ ସକରାତ୍ମକ ପ୍ରଭାବ ପକାଇବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ବନବିଭାଗ ପକ୍ଷରୁ ଅଧିକ ପ୍ରୋତ୍ସାହନ ମିଳିପାରିଲେ ବିଜୟଙ୍କ ଜଙ୍ଗଲ ସୁରକ୍ଷା ସ୍ୱପ୍ନ ସାକାର ହୋଇପାରିବ । କେବଳ ସେତିକି ନୁହେଁ ଜଙ୍ଗଲ ସୁରକ୍ଷା ସଚେତନତା ଦ୍ୱାର ଜୀବଜନ୍ତୁଙ୍କ ମଧ୍ୟ ସୁରକ୍ଷା ହୋଇପାରିବ । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)
No Result
View All Result