ଓଡ଼ିଶା ତାଜା ନ୍ୟୁଜ୍ (୦୧ ଏପ୍ରିଲ ୨୦୨୧, ଗୁରୁବାର) ମାହାଙ୍ଗା :- ମାହାଙ୍ଗା ବ୍ଲକ ଅଂଚଳରେ ଘଟିଛି ଅଭାବନୀୟ ଘଟଣା | ଚିକିତ୍ସା ଚାଲିଥିବା ବେଳେ ଜନୈକ ବ୍ୟକ୍ତିଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଯାଇଥିଲା | ଆଉ ଏହି ମୃତ୍ୟୁର କାରଣ ଥିଲା କରୋନା ଭଳି ମାରାତ୍ମକ ରୋଗରେ ପୀଡିତ ଥିଲେ ବ୍ୟକ୍ତି ଜଣକ | ସରକାରୀ ହସ୍ପିଟାଲରେ ଶବ ପଡିରହିଥିଲେବି କେହି ଆତ୍ମୀୟ କିମ୍ବା ସାହି ଭାଇଙ୍କ ଦେଖା ମିଳିଲା ନାହିଁ | ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ |
ଶ୍ରୀକୃଷ୍ଣ ପୁର ପଞ୍ଚାୟତ ରାମଚନ୍ଦ୍ର ପୁର ଗ୍ରାମର ୫୬ ବର୍ଷ ବୟସ୍କ ରମେଶ ଚନ୍ଦ୍ର ସାହୁ କରୋନା ପଜେଟିଭ ବୋଲି ଚିହ୍ନଟ ହୋଇଥିଲେ | ମାହାଙ୍ଗା ମେଡିକାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଥିଲା | ମାତ୍ର ଏହା କରୋନା ଜନିତ ମୃତ୍ୟୁ ବୋଲି ରମେଶଙ୍କ ପାଖକୁ କେହି ଆସିଲେ ନାହିଁ | ଏପରିକି ନିଜ ଆତ୍ମୀୟ ସ୍ୱଜନ, ଭାଇ, ବନ୍ଧୁ ଓ ପଡ଼ୋଶୀ ମାନବିକତା ଭୁଲିଗଲେ | ବାପାଙ୍କ ମୃତ୍ୟୁ ପରେ ଶବ ସାମ୍ନାରେ ୨ ଝିଅ ଓ ପୁଅଙ୍କ ଆକୁଳ ନିବେଦନ ବେଶ ମର୍ମସ୍ପର୍ଶୀ ଥିଲା | ଠିକ ଏତିକି ବେଳେ ସହଯୋଗର ହାତ ବଢ଼ାଇ ମାନବିକତାର ପରିଚୟ ଦେଲେ ସ୍ଥାନୀୟ ବ୍ଲକ ଚେୟାରମ୍ୟାନ ଶରତ ନାୟକ |
ରମେଶଙ୍କ ଶବକୁ ଆମ୍ବୁଲାନ୍ସ ରେ ଧରି ରାମଚନ୍ଦ୍ରପୁର ଗାଁ’କୁ ଗଲେ ଓ ଗ୍ରାମ୍ୟ ସ୍ମଶାନରେ ପହଂଚି ସେଠାରେ ଶେଷକୃତ୍ୟ ସଂପନ୍ନ କାର୍ଯ୍ୟ ମଧ୍ୟ କଲେ | ଜଣେ ବ୍ଲକ ଅଧ୍ୟକ୍ଷ ଓ ମେଡିକାଲ କର୍ମଚାରୀଙ୍କ ଏହିଭଳି ମହନୀୟ କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ନିଶ୍ଚୟ ଉଦାହରଣ ପାଲଟି ପାରିଛି | ଏହି ଘଟଣା ପରେ ମାହାଙ୍ଗା ଅଞ୍ଚଳର ବୁଦ୍ଧିଜୀବୀଙ୍କ ଠାରୁ ସାମାଜିକକର୍ମୀ ଏବଂ ନେତା ମାନଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଜନତା ଏଭଳି ମାନବୀୟ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିବା ଦେଖିବାକୁ ମିଳିଛି | (ରିପୋର୍ଟ /ଲଷ୍ମୀଧର ଖୁଣ୍ଟିଆ)