No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୧ ମାର୍ଚ୍ଚ ବୁଧବାର) ଭୁବନେଶ୍ୱର :- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଲୋଗୋ ପ୍ରସଙ୍ଗ ନେଇ ଆଜି କେନ୍ଦ୍ର ସରକାରଙ୍କ ଚିଠି ପରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ଏବଂ ଓଡିଶାର ବିଜେପି ସାଂସଦମାନଙ୍କ ବିରୋଧରେ ବର୍ଷିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ବ୍ୟୋମକେଶ କହିଛନ୍ତି, ବିଜେପି ସାଂସଦ ମାନେ ଷଡ଼ଯନ୍ତ୍ର କରି ଏକବର୍ଷ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବନ୍ଦ କରିଛନ୍ତି । ୩ ଶହ ଗାଁର ଅନିୟମିତତା ଦର୍ଶାଇ ସାଢ଼େ ଚାରିକୋଟି ଲୋକଙ୍କର ହକରେ ବାଧା ସୃଷ୍ଟି କରିଛନ୍ତି । ଏହି ଯୋଜନାରେ ୩୦ ହଜାର ଗାଁ ଲୋକ ଉପକୃତ ହେଉଥିବା ବେଳେ ଏବେ ଏହି ଯୋଜନା ବାଧାପ୍ରାପ୍ତ ହୋଇଛି ।
ବ୍ୟୋମକେଶ କହିଛନ୍ତି, ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ୯୦ ପ୍ରତିଶତ ଏବଂ ରାଜ୍ୟ ସରକାର ୧୦ ପ୍ରତିଶତ ଦେଉଥିଲେ । ପରେ ଏହାକୁ କେନ୍ଦ୍ର ସରକାର ୬୦:୪୦ କରିଥିଲେ । ଓଡ଼ିଶାବାସୀ ବର୍ତ୍ତମାନ ୫୦ ପ୍ରତିଶତ ସେୟାର ବହନ କରୁଛନ୍ତି । ତେଣୁ ଏହି ଯୋଜନାରେ ବିଜୁ ପକ୍କାଘରର ଲୋଗୋ ରହିଲେ ଅସୁବିଧା କେଉଁଠି ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ୨୦୧୧, ୧୨, ୧୩, ୧୪ ମସିହାରେ ଗୁଜରାଟ ଏବଂ ମଧ୍ୟପ୍ରଦେଶର ତତ୍କାଳୀନ ସରକାର ଗ୍ରାମୀଣ ଆବାସ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ନିଜସ୍ୱ ଲୋଗ ବ୍ୟବହାର କରୁଥିଲେ । ତେବେ ଓଡିଶା ପ୍ରତି ଏତେ ବୈମାତୃକ ମନୋଭାବ କାହିଁକି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଅଂଶ ରହିଛି । ବିଜୁ ପକ୍କା ଘର ଯୋଜନାରେ ଯେଉଁ ଅର୍ଥ ଖର୍ଚ୍ଚ ହେଉଥିଲା ସେହି ଅର୍ଥ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖର୍ଚ୍ଚ ହେଉଛି ।
ଗ୍ରାମୀଣ ଗୃହ ନିର୍ମାଣରେ ଓଡିଶା କେନ୍ଦ୍ର ସରକାରଙ୍କ ଠାରୁ ପୁରସ୍କୃତ ମଧ୍ୟ ହୋଇଥିଲା । ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ଓଡ଼ିଶା ୫ ବର୍ଷ ଭିତରେ ୧୫,୭୩,୦୦୦ ଗୃହ ନିର୍ମାଣ କରିଛି । ଏହି ବାବଦରେ କେନ୍ଦ୍ର ସରକାର ପ୍ରାୟ ୧୨ ହଜାର ୯୨୮ କୋଟି ଖର୍ଚ୍ଚ ହୋଇଥିବା ବେଳେ ରାଜ୍ୟର ପ୍ରାୟ ୮ ହଜାର ୫ ଶହ ୧୮ କୋଟି ଖର୍ଚ୍ଚ ହୋଇଛି । ଏଥିସହିତ ଓଡ଼ିଶା ଗତ ୫ବର୍ଷରେ ୧୫ଲକ୍ଷ ୭୩ହଜାର ଘର କରିଥିବା ବେଳେ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । କିନ୍ତୁ କେନ୍ଦ୍ର ସରକାର ୧୪ଲକ୍ଷ ଗୃହ ନିର୍ମାଣ ପୂରଣ କରୁନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଭଳି ସ୍ଥିତିରେ ସବୁ ଲୋକଙ୍କୁ ଗୃହ ଯୋଗାଇବା ଜରୁରୀ । ଗୃହ ନ ଯୋଗାଇ ବିଜେପି ସାଂସଦ ଦିଲ୍ଲୀରେ ରାଜନୀତି କରୁଛନ୍ତି । ଗୃହ ନିର୍ମାଣ ନେଇ ରାଜ୍ୟ ବିଜେପି କେନ୍ଦ୍ରରେ ସ୍ୱର ଉତ୍ତୋଳନ କରୁନାହିଁ ବୋଲି ଶ୍ରୀମୟୀ ମିଶ୍ର କହିଛନ୍ତି ।
No Result
View All Result