No Result
View All Result
ଓଡିଶା ତାଜା ନ୍ୟୁଜ୍ ( ୨୩ ମାର୍ଚ୍ଚ ମଙ୍ଗଳ ବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକର ବହୁ ଗ୍ରାମାଂଚଳ ପନିପରିବା ଫସଲ ସକାଶେ ଖ୍ୟାତି ଅର୍ଜନ କରିଛି । ହିଞ୍ଜିଳିକାଟୁ ଅଂଚଳରୁ ବିଭିନ୍ନ ପ୍ରକାର ପନିପରିବା ଆମଦାନୀ ପରେ ଗଂଜାମ ଜିଲ୍ଲା ସମେତ ଫୁଲବାଣୀ, ଗଜପତି ଜିଲ୍ଲା ସମେତ ନିକଟସ୍ଥ ଅଂଚଳକୁ ରପ୍ତାନି କରାଯାଇଥାଏ । ହିଞ୍ଜିଳିକାଟୁ ବ୍ଳକ ବୁରୁପଡ଼ା, ଖଣ୍ଡରା, ଚାନ୍ଦୁଲି, ସିକିରି, ଆଲପୁର, ଖରିଡ଼ା ପ୍ରଭୃତି ପଂଚାୟତର ବହୁ କୋବି ଚାଷୀ ଏବେ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଥିବା ଦେଖିବାକୁ ମିଳିଛି । ସଂପୃକ୍ତ ଅଂଚଳର ଚାଷୀ ମାନେ ଋଣ କରଜ କରି ଲଗାଇଥିବା କୋବି ଓ ଟମାଟ ଚାଷରେ ଏକର ପିଛା ୪୦ ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି କୋବି ଓ ଟମାଟ ଅମଳ କରିଥିବା ବେଳେ ବର୍ତମାନ ଫୁଲକୋବି ଓ ଟମାଟର ଚାହିଦା ବହୁ ନିମ୍ନସ୍ତରକୁ ଖସି ଆସିଛି । ବର୍ତମାନ ସଂପୃକ୍ତ ଅଂଚଳର ଚାଷୀକୂଳ ହଜାର ହଜାର ଟଙ୍କାର କୋବି ଓ ଟମାଟ ଫସଲ ଜମିରେ ପଡ଼ିରହିଛି । ଚାଷୀ ଏବେ ନିଜର ଅମଳ କରିଥିବା ଫୁଲ ଓ ଟମାଟ କାଟି ଜମିରେ ରଖିଛି । କୋବି ବିକ୍ରୟ କଲେ (ହୋଲସେଲରେ) ଦର କିଲୋ ପିଛା ୨ ଟଙ୍କାରେ ବିକ୍ରି କରୁଥିବା ବେଳେ କୋବି ଓ ଟମାଟ ଚାଷୀ ମାନେ କରଜ କରି ହଜାର ହଜାର ଟଙ୍କାର ବିହନ ଲଗାଇ ଫସଲ ଆଦାୟର ମୂଲ୍ୟ ପାଇନାହାନ୍ତି । ଯାହା ଫଳରେ ହଜାର ହଜାର ଚାଷୀ ଜମିରେ କୋବି ଓ ଟମାଟ ଅମଳ ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବୁରୁପଡ଼ା ପଂଚାୟତର ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଚାଷୀ କୋବି ଓ ଟମାଟ ଚାଷ କରିଥିବା ଜଣାପଡ଼ିଛି । ବୁରୁପଡ଼ା ପଂଚାୟତର ପ୍ରତାପ ମଲ୍ଲିକ, ବାୟା ସେଠି, ଅଭି ସାମଲ, ବୁଦ୍ଧିଆ ସ୍ୱାଇଁ, ହନୁ ସାମଲ ପ୍ରମୂଖ ଚାଷୀ ମାନେ ନିଜ ନିଜର ପ୍ରାୟ ୨ ଏକର ଜମିରେ ପ୍ରାୟ ୪୦ ହଜାର ଟଙ୍କା ବିନିଯୋଗ କରି କୋବି ଚାଷ କରିଥିବା ବେଳେ ବର୍ତମାନ ସୁଦ୍ଧା ୧୦ ହଜାର ଟଙ୍କା ମଧ୍ୟ ଉପାର୍ଜନ କରିନଥିବା କହିଛନ୍ତି ।
ଫୁଲକୋବି ବିହନ ମଂଜି ୧୦ ଗ୍ରାମ ପିଛା ୪ ଶହ ଟଙ୍କା ଦେଇ କିଣିବା ପରେ ସାର ପିଡ଼ିଆ ପକାଇବାକୁ ପଡ଼ିଥାଏ । ପରବର୍ତୀ ସମୟରେ ଅମଳ କରାଯାଇଥିବା କୋବି ଫସଲକୁ ରୋଗ ପୋକ ଦାଉରୁ ରକ୍ଷା କରିବା ଲାଗି କିଟନାଶକ ଔଷଧ ପ୍ରୟୋଗ କରାଯାଇଥାଏ । ପରିବାରର ୩ରୁ ୪ ଜଣ ସଦସ୍ୟ ପରିଶ୍ରମ କରି ଫସଲ ଉପୁଜାଇଥାନ୍ତି । ବର୍ତମାନ ପରିସ୍ଥିତିରେ ଲାଭତ ଦୂରର କଥା ପରିଶ୍ରମର ମୂଲ ମଧ୍ୟ ମିଳୁନଥିବା ଯୋଗୁଁ ବାଧ୍ୟ ହୋଇ ଅମଳ କରିଥିବା କୋବିକୁ ନକାଟି ଜମିରେ ଛାଡ଼ି ଦେଇଥାନ୍ତି ବୋଲି ବହୁ ଚାଷୀ କହିଛନ୍ତି । ଚାଷୀ ନିଜର ଅମଳ ଫୁଲକୋବି ଓ ଟମାଟକୁ ବଜାରକୁ ନେଇ ହୋଲସେଲ ଦରରେ କିଲୋ ପିଛା ୨ରୁ ୩ଟଙ୍କାରେ ବିକ୍ରି କରୁଥିବା ବେଳେ ଖୁଚୁରା ବଜାରରେ ଗ୍ରାହକ କିଲୋ ପିଛା ୫ଟଙ୍କାରେ କିଣୁଛନ୍ତି । ବିଶେଷ ଭାବରେ ବର୍ତମାନ ସ୍ଥିତିରେ ପନିପରିବା ଦର ଖୁବ୍ କମ୍ ଦାମରେ ମିଳୁ ଥିବାରୁ ଗ୍ରାହକ ମାନେ ଅତ୍ୟନ୍ତ ଖୁସି ରହିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଚାଷୀ ନିଜର ଉତ୍ପାଦିତ ଫସଲର ସଠିକ୍ ମୁଲ୍ୟ ପାଇପାରୁନଥିବାରୁ ପନିପରିବା ଚାଷୀ ମାନେ ଚିନ୍ତାରେ ରହିଛନ୍ତି । ଏଥି ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ସରକାରୀ ସହାୟତା ପ୍ରଦାନ କରିବାକୁ ଅଂଚଳର ଚାଷୀକୂଳ ନିବେଦନ କରିଛନ୍ତି । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result