No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୨ ମାର୍ଚ୍ଚ ସୋମବାର ) କଟକ :- ଗତ ୨ ବର୍ଷ ହେଲା କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ରହିଛି ଜଗା । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତତ୍ତ୍ବାବଧାନରେ ଚିକିତ୍ସିତ ହେଉଛି ଜଗା । ସେ ଏବେ ସୁସ୍ଥ ହେବାରେ ଲାଗିଥିବାରୁ ତାକୁ ଖୁବଶୀଘ୍ର ଏସସିବିରୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି । ଏସସିବିରୁ ଡିସଚାର୍ଜ ହେବାପରେ କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏକ ଡାକ୍ତରୀଦଳ ଅଧିନରେ ଜଗା ଚିକିତ୍ସିତ ହେବ । ଜଗାର ସ୍ଥିତି ଅନୁଧ୍ୟାନ କରିବା ପାଇଁ କନ୍ଧମାଳର ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଆଜି କଟକ ଏସସିବିରେ ପହଞ୍ଚିବେ । ଜଗାର ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରି ସେମାନେ ଚୁଡ଼ାନ୍ତ ନିଷ୍ପତ୍ତି ନେବେ ।
ଏସସିବିରେ ରହିବାରେ ଆର୍ଥିକ ସମସ୍ୟା ଦେଖାଦେବାରୁ ଜଗାର ମା” ପୁଷ୍ପାଞ୍ଜଳି କହଁର କନ୍ଧମାଳ ସ୍ଥିତ ନିଜ ଘରକୁ ଫେରିଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଜଣାଇଥିଲେ। କନ୍ଧମାଳ ଜିଲ୍ଲାପାଳ ଏ ସଂପର୍କରେ ସରକାରଙ୍କୁ ଜଣାଇଥିଲେ।
ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାର ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆଙ୍କର ୨୦୧୭ରେ ଦିଲ୍ଲୀସ୍ଥିତ ଏମ୍ସରେ ଅପରେସନ କରାଯାଇଥିଲା । ସେଠାରେ ଦୁଇ ଯାଆଁ ଶିଶୁଙ୍କୁ ପୃଥକ କରାଯାଇଥିଲା । ଏମ୍ସରେ ପ୍ରାୟ ୨ ବର୍ଷ ରହିବା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିଲା ।
ଏହାପରେ ଦୁଇ ଶିଶୁ ୨୦୧୯ରେ କଟକ ଏସ୍ସିବିରେ ଭର୍ତ୍ତି ହୋଇଥିଲେ । ଜଗା-ବଳିଆଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଏସ୍ସିବି ଡାକ୍ତରଖାନାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା । ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍ରେ ଶିଶୁ ରୋଗ ବିଭାଗ, ଆନାସ୍ଥେସିଆ, ନ୍ୟୁରୋ ସର୍ଜରୀ, ନ୍ୟୁରୋଲୋଜି, ଛାତି ଓ ଯକ୍ଷ୍ମା ରୋଗ ବିଭାଗ, ଚକ୍ଷୁ, ସର୍ଜରୀ ଆଦି ବିଭାଗର ବରିଷ୍ଠ ବିଶେଷଜ୍ଞମାନେ ସଦସ୍ୟ ରହିଥିଲେ ।
ଉକ୍ତ ଡାକ୍ତରୀ ଟିମ୍ ୨୦୧୯ରୁ ଅଦ୍ୟାବଧି ଜଗାକୁ ଦେଖାଶୁଣା କରିଆସୁଛନ୍ତି । ୨୦୧୯ରେ ଜଗା-ବଳିଆ ଏସ୍ସିବିରେ ପହଞ୍ଚିଲା ଦିନଠାରୁ ବଳିଆ ଆଇସିୟୁରେ ହିଁ ରହିଥିଲା । ତେବେ ଆଇସିୟୁରେ ଚିକିତ୍ସିତ ହେଉଥିବାବେଳେ ବଳିଆର ଗତବର୍ଷ ମୃତ୍ୟୁ ଘଟିଥିଲା । କିନ୍ତୁ ଜଗା ଏବେ ସୁସ୍ଥ ରହିଛି । ବର୍ତ୍ତମାନର ସ୍ଥିତିରେ ଜଗାର ଶରୀରରେ କିଛି ସମସ୍ୟା ନାହିଁ ବୋଲି ଡାକ୍ତରୀ ଟିମ୍ କହିଛନ୍ତି ।
No Result
View All Result