No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ମାର୍ଚ୍ଚ ଶୁକ୍ରବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲାର ହିଞ୍ଜିଳିବ୍ଲକରେ ବାଲ୍ୟ ବିବାହ ବନ୍ଦ କେବଳ କାଗଜପତ୍ରରେ ଚାଲିଛି ବୋଲି ଜଣାପଡିଛି । ଏହା କେବଳ ଏକ ପ୍ରହସନ ପାଲଟିଛି ବୋଲି ଜାଣିବା ଶୁଣିବା ମହଲରେ କ୍ଷୋଭ ପ୍ରକାଶ ପାଇଛି । ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ବାଲ୍ୟ ବିବାହ ନିରୋଧ ଅଧିକାରୀ ରୂପେ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଡିପିଓ ଙ୍କୁ କ୍ଷମତା ଓ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏଭଳି ବିବାହ ବନ୍ଦ ପାଇଁ ଜିଲ୍ଲାରେ ନିର୍ଭୟ କଢି ଯୋଜନା ଚାଲିଛି । ବିଜୁ କନ୍ୟା ରତ୍ନ ଏବଂ ବେଟୀ ବଢାଓ,ବେଟୀ ପଢ଼ାଓ ଭଳି ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବ୍ଲକର ଆଶା, ଅଙ୍ଗନବାଡି,ଶିକ୍ଷକ ଓ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନଙ୍କୁ ନେଇ ଲକ୍ଷ ଲକ୍ଷ ଟଙ୍କା ରାଜ କୋଷରୁ ବ୍ୟୟକରି ବୈଠକ, ତାଲିମ ଓ ସଚେତନତା ସୃଷ୍ଟି କରାଯାଇଛି । ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ନିର୍ଦ୍ଧେଶ କ୍ରମେ ଅଦ୍ଵିକା କାର୍ଯ୍ୟକ୍ରମ, କିଶୋରୀ ବାଳିକା କାର୍ଯ୍ୟକ୍ରମ ମାଧ୍ୟମରେ ବାଲ୍ୟ ବିବାହ ବନ୍ଦ ପାଇଁ ବୈଠକ ପରେ ବୈଠକ ଅନୁଷ୍ଠିତ ହେଉଛି ।
ହିଞ୍ଜିଳିକାଟୁ ବ୍ଲକକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ପ୍ରଶାସନିକ ଅଧିକାରୀମାନେ ଆହ୍ୱାନ ଦେଉଥିଲା ବେଳେ ଏହି ବ୍ଳକକୁ ଶ୍ରେଷ୍ଠ ବ୍ଳକ ଭାବେ ପୁରସ୍କୃତ କରାଯାଇଛି । ଏସବୁ ସତ୍ତ୍ୱେ କିନ୍ତୁ ବେଲଗାଁ,ସାରୁ,ପୋଡ଼ଙ୍ଗୀ,କଞ୍ଚରୁ, ସମରଝୋଳ,ହିଞ୍ଜିଳି କାଟୁ ଆଦି ସ୍ଥାନରେ ବାଲ୍ୟ ବିବାହ ହେଉଥିଲେ ମଧ୍ୟ ବନ୍ଦ କରିବାରେ ଅଧିକାରୀମାନଙ୍କ ଙ୍କ ଆନ୍ତରିକତା, ସମନ୍ୱୟ ଅଭାବ ବେଶ ପ୍ରତିଫଳିତ ହୋଇଛି । ଏଥି ସହିତ ବିବାହ ହୋଇଥିବା ଲୋକ,ମଧ୍ୟସ୍ତି,ଏବଂ ପୁରୋହିତ, ଭଣ୍ଡାରୀ , ଟେଣ୍ଟ ଵାଲା, ରୋଷେୟା ଓ ରାଉଳଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ସବୁଠାରୁ ଉଦବେଗର ପ୍ରସଙ୍ଗ ହେଲା,ଏସବୁ କାର୍ଯ୍ୟ ସୁରୁଖୁରୁରେ ହେବା ପାଇଁ କିଛି ତଳିଆ କ୍ଷେତ୍ର କର୍ମଚାରୀଙ୍କ ସମ୍ପୃକ୍ତି ଉଠୁଥିବା ବେଳେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସବୁ କାର୍ଯ୍ୟ ଶେଷ ହୋଇ ଯାଉଥିବା ଜଣାପଡ଼ିଛି । ଫଳରେ ବାଲ୍ୟ ବିବାହ ବନ୍ଦ ବାସ୍ତବ କ୍ଷେତ୍ରରେ କେବଳ କାଗଜପତ୍ରରେ ସୀମିତ ରହିଛି ବୋଲି ଗାଁ ଗାଁ ରେ ଆଲୋଚନା ହେଉଛି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result