No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ଫେବୃଆରୀ ମଙ୍ଗଳବାର ) ଭୁବନେଶ୍ୱର :- ଧଉଳିଠାରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟର ଶିଳ୍ପୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନିର୍ମିତ ଇକୋ ଫ୍ରେଣ୍ଡଲି ସରସ୍ୱତୀ ମୂର୍ତ୍ତି ପୂଜା ପାଇଛନ୍ତି । ଉକ୍ତ ମୂର୍ତ୍ତିଟି କେବଳ କୁଶ, ନଡ଼ିଆପତ୍ର, କଦଳୀ ପତ୍ର ଓ କଦଳୀ ପଟୁଆରେ ସୁନ୍ଦର ଭାବରେ ନିର୍ମିତ ହୋଇଛି । ପାଞ୍ଚଫୁଟ ଉଚ୍ଚର ବାଗ୍ଦେବୀଙ୍କ ଏହି ମୂର୍ତ୍ତିରେ ୧୦କେଜି କୁଶ, ୫ କେଜି ଶୁଖିଲା କଦଳୀପତ୍ର, ୫କେଜି ନଡ଼ିଆପତ୍ର ଓ ଆବଶ୍ୟକ କଦଳୀ ପଟୁଆ ଲାଗିଥିବା ବେଳେ ଛାତ୍ରୀ ସରସ୍ୱତୀ ଅଙ୍ଗରିଆ, ଅର୍ପିତା ଦାସ ଓ ଛାତ୍ର ଜୟଦ୍ରଥ ମଣ୍ଡଳ, ରାଜେଶ୍ୱର ମହାପାତ୍ର, ଗତିକୃଷ୍ଣ ନାୟକ, ଜଗନ୍ନାଥ ସ୍ୱାଇଁ, ବିଶ୍ୱଦୀପ ବିଶ୍ୱାଳ ଓ ଜ୍ୟୋର୍ତିଦେବ ସିଂଙ୍କୁ ନିର୍ମାଣ ପାଇଁ ୮ ଦିନ ସମୟ ଲାଗିଥିଲା ।
ଅଧ୍ୟାପକ ଚନ୍ଦନ କୁମାର ସାମଲ ଓ ମାନସ ରଞ୍ଜନ ନାୟକଙ୍କ ତତ୍ତ୍ୱାବଧାନରେ କୋଭିଡ଼ ନିୟମ ପାଳନ ପୂର୍ବକ ସ୍ଥାନୀୟ ଉପକରଣରେ ଏକ ସୃଜନାତ୍ମକ ଶୈଳୀରେ ନିର୍ମିତ ଏହି ମୂର୍ତ୍ତିରେ କୌଣସି ରାସାୟନିକ ରଙ୍ଗ କିମ୍ବା ପରିବେଶ ପ୍ରତିକୂଳ ଉପରଣ ଲାଗିନଥିବା ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ କହିଛନ୍ତି । ବିଗତ ୧୫ବର୍ଷ ଧରି ମହାବିଦ୍ୟାଳୟ ଦ୍ୱାରା ଏପରି ଇକୋ ଫ୍ରେଣ୍ଡଲି ମୂର୍ତ୍ତି ନିର୍ମାଣ କରି ମହାବିଦ୍ୟାଳୟ ସମାଜକୁ ବାର୍ତ୍ତା ଦେଇ ଆସୁଅଛି ।
ଏହାଦ୍ୱାରା ଅନ୍ୟମାନେ ମଧ୍ୟ ଏପରି ମୂର୍ତ୍ତି ଓ ସାଜସଜ୍ଜାକୁ ଆପଣେଇଲେ ଆମ ପରିବେଶ ସୁସ୍ଥ ଓ ସୁନ୍ଦର ରହିପାରିବ ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ଅବସରରେ ମହାବିଦ୍ୟାଳୟର କାର୍ଯ୍ୟକାରୀ ସଭାପତି ଡ. ହୃଷିକେଶ ମିଶ୍ର, ସମ୍ପାଦକ ମିହିରକାନ୍ତ ପ୍ରହରାଜ, ଅଧ୍ୟାପକ ସୁବାସ ମୁଦୁଲି, ସସ୍ମିତା କାମିଳା, ବିଶ୍ୱକାନ୍ତ ପଣ୍ଡା, ଲକ୍ଷ୍ମୀଧର ସ୍ୱାଇଁ, ଚିତ୍ରଶିଳ୍ପୀ ସଞ୍ଜୟ କୁମାର ପରିଡ଼ା, ମାନସ ମହାରଥୀ ଓ ଜ୍ୟୋତିରଞ୍ଜନ ସାହୁ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ ।
No Result
View All Result