No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ଜାନୁଆରୀ ଶନିବାର ) ଭୁବନେଶ୍ୱର :- ସତ୍ୟ, ଶାନ୍ତି ଓ ଅହିଂସାର ପ୍ରତୀକ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୭୩ ତମ ଶ୍ରାଦ୍ଧ ଦିବସ ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ବିଧାନସଭା ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଧାନସଭା ପରିସରରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିବା ସ୍ଥଳେ ସମ୍ମାନିତ ଅତିଥି ରୂପେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର, ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ପ୍ରମୁଖ ଯୋଗ ଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ, ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ପୂର୍ବତନ ବିଧାୟକ ଅଜୟ ଜେନା ପ୍ରମୁଖ ଉକ୍ତ ପୁଷ୍ପ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି ଅବସରରେ ମଧ୍ୟ ଗାନ୍ଧୀଜୀଙ୍କ ପ୍ରିୟ ଆଶ୍ରମ ଭଜନ ‘ ବୈଷ୍ଣବ ଜନ ତୋ..’ ଗାନ କରାଯାଇଥିବା ବେଳେ ଦେଶର ଶହୀଦ ମାନଙ୍କୁ ରାଜ୍ୟ ପୋଲିସ ତରଫରୁ ତୋପ ସଲାମି ଦିଆଯାଇଥିଲା ଏବଂ ସେମାନଙ୍କ ସମ୍ମାନାର୍ଥେ ପୂର୍ବାହ୍ନ ୧୧ଟା ବେଳେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଉପନିର୍ଦ୍ଦେଶକ କ୍ଷେତ୍ର, ସୂଚନା ଓ ଲୋକସଂପର୍କ ବିଭାଗ ସନ୍ତୋଷ କୁମାର ଦାସ ସହଯୋଗ କରିଥିବା ସ୍ଥଳେ ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
No Result
View All Result