No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୪ ଜାନୁଆରି,୨୦୨୧,ସୋମବାର ) ଭୁବନେଶ୍ୱର :- କଟକ ମାହାଙ୍ଗା :- ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କୁଳମଣି ବରାଳ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଥିଲେ । ତାଙ୍କୁ ଯେଭଳି ହତ୍ୟା କରାଗଲା, ତାକୁ ସେ ନିନ୍ଦା କରୁଛନ୍ତି । ଏ ଘଟଣାରେ ସେ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ । ରାଜନୀତିରେ ହିଂସାକୁ ପ୍ରଶୟ ଦିଆଯିବା ଆଦୌ ଉଚିତ୍ ନୁହେଁ । ଏହି ଘଟଣାରେ ଯିଏ ଦୋଷୀ ତା ବିରୋଧରେ କିଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ, ସେ ନେଇ ସେ ଦୃଷ୍ଟି ଦିଆଯିବ ।
ଏହା ଏକ ରାଜନୈତିକ ହତ୍ୟାକାଣ୍ଡ ହୋଇଥିବାରୁ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ହତ୍ୟାକାଣ୍ଡ ପଛରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରଚ୍ଛନ୍ନ ହାତ ଥିବା ଅଭିଯୋଗ ହୋଇଥିବା ବେଳେ ଲୋକେ ପୁଲିସକୁ ଦାୟୀ କରିଛନ୍ତି । ରାଜନୈତିକ ବିବାଦ ଓ କୁଳମଣିଙ୍କୁ ପୂର୍ବରୁ ହତ୍ୟା ଧମକ ମିଳୁଥିବା ନେଇ ଥାନାରେ ଏତଲା ହୋଇଥିଲେ ମଧ୍ୟ ପୁଲିସ ନିରବଦ୍ରଷ୍ଟା ସାଜିବାରୁ ଏଭଳି ଘଟଣା ଘଟିଥିବା ମୃତକଙ୍କ ପୁଅ ରମାକାନ୍ତ ବରାଳ ଅଭିଯୋଗ କରିଛନ୍ତି ।
ରମାକାନ୍ତ ଥାନାରେ ଦେଇଥିବା ଏତଲା ଅନୁସାରେ, ୨୦୧୮ ମସିହାରେ ନୃର୍ତାଙ୍ଗ ପଂଚାୟତର ବିଜେପି ନେତା ବିକାଶ ଜେନାଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ମାମଲାରେ ଅଦ୍ୟାବଧି ପୁଲିସ କାହାରିକୁ ଗିରଫ କରିପାରିନାହିଁ । ତେଣୁ ମୃତ ବିକାଶଙ୍କ ପରିବାର ଲୋକେ ପୂର୍ବତନ ସରପଂଚ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ । ଫଳରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି କୁଳମଣି ବାରମ୍ବାର ପ୍ରଶାସନ ନିକଟରେ ଦାବି କରୁଥିଲେ । ଉକ୍ତ ହତ୍ୟାକାଣ୍ଡର ହତ୍ୟାକାରୀଙ୍କୁ ମନ୍ତ୍ରୀ ପ୍ରତାପ ଜେନା ସୁରକ୍ଷା ଦେଉଥିବାରୁ ସେମାନେ କୁଳମଣିଙ୍କୁ ବାରମ୍ବାର ହତ୍ୟା ଧମକ ଦେଉଥିଲେ । ଏନେଇ କୁଳମଣିଙ୍କ ପରିବାର ଲୋକେ ପୁଲିସ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ହେଲେ ପୁଲିସ ଘଟଣାରକୁ ହାଲକା ଭାବେ ନେଇ ଚୁପ ବସିଯାଇଥିଲା ।
ଉଲ୍ଲେଖଥାଉ କି, ଶନିବାର ସନ୍ଧ୍ୟାରେ କୁଳମଣି ଓ ସହଯୋଗୀ ଦିବ୍ୟସିଂହ ଏକ ବାଇକ (ଓଡି୦୪-ଏଚ-୨୨୪୮)ଯୋଗେ ଘରକୁ ଫେରୁଥିଲେ । ନୃର୍ତାଙ୍ଗ କେନାଲ ରୋଡରେ ଆସୁଥିବା ବେଳେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ଏପରିକି ଧାରୁଆ ଅସ୍ତ୍ରରେ ହାଣି ରକ୍ତାକ୍ତ କରିଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା । କୁଳମଣି ମାହାଙ୍ଗା ହସପିଟାଲ ଓ ଦିବ୍ୟସିଂହ କଟକ ବଡ ମେଡିକାଲରେ ମୃତ୍ୟୁ ବରଣ କରିଥିଲେ । ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରୁଛି । ହତ୍ୟାକାରୀଙ୍କୁ ଧରିବା ଲାଗି ୫ଟି ଟିମ ଗଠନ କରାଯାଇଛି ।
No Result
View All Result