ଓଡ଼ିଶା ତାଜା ନ୍ୟୁଜ (୧୧ ଡିସେମ୍ବର ଶୁକ୍ରବାର ) ଭୁବନେଶ୍ୱର :- ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାରମୂଳକ କାର୍ଯ୍ୟକୁ ଆଗେଇ ନେବା ଓ ବିଶ୍ୱବିଦ୍ୟାଳୟରେ ଗବେଷଣା କାର୍ଯ୍ୟକୁ ପ୍ରାଥମିକତା ପ୍ରଦାନ ଏବଂ ଗବେଷଣାର ସନ୍ଦର୍ଭଗୁଡ଼ିକ ପ୍ରମୁଖ ପତ୍ରୀକାରେ ପ୍ରକାଶନ ଦିଗରେ କୁଳପତିମାନେ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟ ଓ ଏହା ଅଧିନରେ ଥିବା ମହାବିଦ୍ୟାଳୟ ଗୁଡ଼ିକରେ ଠିକ୍ ସମୟରେ ନାମଲେଖା, ପାଠ୍ୟକ୍ରମ ଶେଷ କରି ନିର୍ଦ୍ଧାରିତ ସମୟରେ ପରୀକ୍ଷା ପରିଚାଳନା କରି ଫଳ ପ୍ରକାଶନ ଆଦି ଉ ପରେ ବିଶ୍ୱବିଦ୍ୟାଳୟର ନବନିଯୁକ୍ତ କୁଳପତିମାନେ ସମୁଚିତ ପଦକ୍ଷେପ ନେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂର୍ବାହ୍ନରେ ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟରେ ନବନିଯୁକ୍ତ କୁଳପତି ମାନଙ୍କ ସହିତ ଏକ ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-‘ଟି’ କାର୍ଯ୍ୟକ୍ରମକୁ ଅନୁ ପାଳନ ପୂର୍ବକ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଉତ୍କର୍ଷ ଶିକ୍ଷା କେନ୍ଦ୍ରରେ ପରିଣତ କରିବାକୁ ହେବ ।
ବିଶ୍ୱବିଦ୍ୟାଳୟ ଓ ଏହାର ଅନୁବନ୍ଧିତ ମହାବିଦ୍ୟାଳୟଗୁଡ଼ିକ ଯେପରି ନାକ୍ ମାନ୍ୟତା ପାଇ ପାରିବେ ସେ ଦିଗରେ ବିଶ୍ୱବିଦ୍ୟାଳୟମାନଙ୍କର ଗୁରୁଦାୟିତ୍ୱ ରହିଛି । ରାଜ୍ୟରେ ଉଚ୍ଚଶିକ୍ଷାର ମାନବୃଦ୍ଧି ନିମନ୍ତେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ର ସଫଳ ରୂପାୟନ ଦିଗରେ ପ୍ରତ୍ୟେକ ସ୍ତରରେ ଆନ୍ତରିକ ଉଦ୍ୟମ ହେବା ଆବଶ୍ୟକ । ମୋ କଲେଜ୍/ମୋ ୟୁନିଭର୍ସିଟି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ସହିତ ପୁରାତନ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷାନୁଷ୍ଠାନର ଉନ୍ନତିରେ ସାମିଲ କରିବା ଦିଗରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱ ପ୍ରଦାନ କରିଥିଲେ । ଏକକ ପିଜି ପ୍ରବେଶିକା ପରୀକ୍ଷା, ପ୍ରୋକେଫାରିଆଲ୍ ପ୍ରଥା, ମଡେଲ ସିଲାବସ୍ ଆଦି ଫଳ ପ୍ରଦ ହୋଇ ପାରିଛି । ଏକ ଉତ୍ତମ ଶୈକ୍ଷିକ ବାତାବରଣ ଓ ଶୃଙ୍ଖଳା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଆଶାଆକାଂକ୍ଷା ପୂରଣ ଦିଗରେ ବିଶ୍ୱବିଦ୍ୟାଳୟର କୁଳ ପତିମାନେ ଦୃଢ଼ ନେତୃତ୍ୱ ପ୍ରଦାନ କରିବାକୁ ମନ୍ତ୍ରୀ ଡ. ସାହୁ କହିଛନ୍ତି ।