No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ଡିସେମ୍ବର ସୋମବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲା ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ,ଛତ୍ରପୁର ଙ୍କ ପକ୍ଷରୁ ଚଳିତ ଡିସେମ୍ବର ୧୬ ତାରିଖ ଠାରୁ ସାରା ଜିଲ୍ଲାରେ ଚଳିତ ବର୍ଷର ଖରିଫଋତୁ ଧାନ ସଂଗ୍ରହ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କ୍ରମରେ ସ୍ଥାନୀୟ ହିଞ୍ଜିଳି କାଟୁ ଯୋଗାଣ ବିଭାଗ ପକ୍ଷରୁ ଖରିଫ ଋତୁ ୨୦୨୦-୨୧ ନିମନ୍ତେ ସୋମବାର ବ୍ଲକ ସ୍ତରୀୟ ପି-ପାସ ପ୍ରଶିକ୍ଷଣ ତଥା ଧାନ କ୍ରୟ ସମ୍ବନ୍ଧୀୟଏକ ପ୍ରସ୍ତୁତି ବୈଠକ ବ୍ଲକ ସଭା କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା । ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ ଅଧ୍ୟକ୍ଷତା କରିଥିଲେ । ଉପ ସହକାରୀ ନିବନ୍ଧକ,ସମବାୟ ସମିତି ସମୂହ ଛତ୍ରପୁରର ଏରିଆ ଅଧିକାରୀ ଜୀବନ ପଟ୍ଟନାୟକ,ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବିନାୟକ ବିଶ୍ୱାଳ,ଏବିଡ଼ିଓ ଅରୁଣ କୁମାର ପ୍ରଧାନ,ବ୍ଲକ କୃଷି ଅଧିକାରୀ ବଳରାମ ସୁବୁଦ୍ଧି ଓ ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ,ଗଣ୍ଡଳା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଚଳିତ ଖରିଫ ଋତୁରେ ସ୍ଥାନୀୟ ବ୍ଲକ ଓ ପୌରାଞ୍ଚଳରେ ସମୁଦାୟ ୭୦୭୫ ଜଣ ଚାଷୀ ଧାନ ବିକ୍ରି କରିବା ନିମନ୍ତେ ନାମ ପଞ୍ଜିକରଣ କରିଛନ୍ତି।ଗତ ଥର ଅପେକ୍ଷା ଅଧିକ ୭୮୦ଜଣ ଚାଷୀ ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି । ଚଳିତ ଥର କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କା ହିସାବରେ ଚାଷୀଙ୍କୁ ପ୍ରଦାନ କରାଯିବା ନିମନ୍ତେ ସ୍ଥିର ହୋଇଛି।ହିଞ୍ଜିଳି ବ୍ଲକର ୧୯ ଟି ସେବା ସମବାୟ ସମିତି,ଦେବୀ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ,ପୋଚିଲିମ୍ମାଏବଂ ଗୋପାଳେଶ୍ୱର ପାଣି ପଞ୍ଚାୟତ,ଡି ପାଟପୁର ଏଭଳି ସମୁଦାୟ ୨୧ଟି ସଂସ୍ଥା ଧାନ ସଂଗ୍ରହ ପ୍ରକ୍ରିୟାରେ ନିୟୋଜିତ ହେବା ସ୍ଥିରୀକୃତ ହୋଇଛି ।
ଏଥି ସହିତ ୩୦ଜଣ ମିଲର ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବେ ବୋଲି ଯୋଗାଣ ନିରୀକ୍ଷକ ସୂଚନା ଦେଇଥିଲେ । ଖରିଫ ଧାନ ସଂଗ୍ରହ ସମୟରେ କୋଭିଡ-୧୯ ନିୟମ ଅନୁପାଳନ କରିବା ସହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଥିବା ଅନ ଲାଇନ ଟୋକେନ୍ ବ୍ୟବସ୍ଥା,ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପୈଠ ବ୍ୟବସ୍ଥା ଓ ଚାଷୀ ଯେଭଳି ଅଭାବୀ ଧାନ ବିକ୍ରି ର ସମ୍ମୁଖୀନ ନ ହେବେ ସେଥିପ୍ରତି ଯତ୍ନବାନ ହେବା ପାଇଁ ଅଧିକାରୀ ମାନେ ମତ ପ୍ରକାଶ କରିଥିଲେ । ଚାଷୀ ମାନଙ୍କ ହିତ ଦୃଷ୍ଟିରୁ ଆଗୁଆ ପଦକ୍ଷେପ ସ୍ୱରୂପ ବୈଠକ ଆୟୋଜନ କରିବା ସହ ପ୍ରଚାର ମାଧ୍ୟମରେ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଯେଭଳି ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଉପସ୍ଥିତ ସମ୍ପାଦକ, ମିଲର ଓ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ସଦସ୍ୟଙ୍କୁ ଅବଗତ କରାଇଥିଲେ । ଧାନ ସଂଗ୍ରହ ପ୍ରକ୍ରିୟା ତଦାରଖ କରିବା ନିମନ୍ତେ ସହକାରୀ ଜିଲ୍ଲାପାଳ ପ୍ରଦୀପ କୁମାର ମହାରଣା,ବ୍ଲକ ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ ଓ ଅତିରିକ୍ତ ତହସିଲଦାର ସୁନୀଲ କୁମାର ପ୍ରଧାନ ଙ୍କୁ ନେଇ ଏକ ନୋଡାଲ ଟିମ ଗଠିତ ହୋଇଛି । ଏହି ଟିମ ଧାନ ସଂଗ୍ରହ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ସୁନିୟନ୍ତ୍ରିତ ବ୍ୟବସ୍ଥା ସମ୍ପର୍କରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସ୍ଥିର ହୋଇଛି । ଏହି ବୈଠକରେ ବିପିସି ନଳିନୀ ସିଂ,ମିଲର, ସମବାୟ ସମିତି ସମ୍ପାଦକ ଓ ମହିଳା ଗୋଷ୍ଠୀ ସଦସ୍ୟ ଉପସ୍ଥିତ ଥିଲେ ।(ରିପୋର୍ଟ :ଶୁସାନ୍ତ ପ୍ରଧାନ )
No Result
View All Result