ଖୋର୍ଦ୍ଧା ଜିଲା (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର :- ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା । ଏହି ପରାଜୟର କାରଣ ଖୋଜିବା ପାଇଁ ଗତ ଶୁକ୍ରବାର କଂଗ୍ରେସ ଭବନରେ ମାନସମନ୍ଥନ ଚାଲିଥିଲା । ଆଉ ଏହି ସମୟରେ କଂଗ୍ରେସ ଭବନରେ ବାଉନ୍ସର ମୁତୟନ ହୋଇଥିବା ଅଭିଯୋଗ ଚର୍ଚ୍ଚା ଲାଗି ରହିଥିଲା । ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ଶରତ ରାଉତ ବର୍ଷିଛନ୍ତି । କଂଗ୍ରେସ ଭବନରେ ବିଜେଡି କିମ୍ୱା ବିଜେପି ବାଉନ୍ସର ମୁତୟନ କରିଥାଇ ପାରନ୍ତି ବୋଲି ସେ କହିଛନ୍ତି ।
ଶ୍ରୀ ରାଉତ କହିଛନ୍ତି, କଂଗ୍ରେସ ଭବନରେ ବାଉନ୍ସର ନିୟୋଜନ ନିନ୍ଦନୀୟ ଓ ଅଶୋଭନୀୟ । କଂଗ୍ରେସ ଇତିହାସରେ କେତେବେଳେ ମଧ୍ୟ ବାଉନସରମାନଙ୍କୁ ଡକା ଯାଇ ନଥିଲା । କଂଗ୍ରେସ ଭବନକୁ ବାଉନସର ଯିବା ଘଟଣାକୁ କୌଣସି କଂଗ୍ରେସ କର୍ମୀ ସମର୍ଥନ କରିବେ ନାହିଁ । ସେ କହିଛନ୍ତି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧୀନରେ ଏବେ କଂଗ୍ରେସ ଭବନ ରହିଛି । ଏଠାକୁ ବାଉନ୍ସର କେମିତି ଗଲେ, ସେ ସମ୍ପର୍କରେ ଯଦି ସେ ଜାଣିପାରୁ ନାହାନ୍ତି, ତାହେଲେ ଆମେ କେମିତି ଜାଣିବୁ ? ବାଉନ୍ସରମାନଙ୍କୁ ହୁଏତ ବିରୋଧୀ ବିଜେପି କିମ୍ବା ବିଜେଡି ପଠାଇଥାଇ ପାରନ୍ତି ।
ଏହି ଘଟଣାରେ ତରନ୍ତ ଦେବା ଦରକାର । ସଭାପତି ଏହାର ତଦନ୍ତ ନିର୍ଦ୍ଦେଶ ଦେବା ଉଚିତ । ଯଦି କଂଗ୍ରେସ ଲୋକ କେହି ବାଉନ୍ସର ନେଇଥାନ୍ତି, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ସୂଚନାଯୋଗ୍ୟ, ଶୁକ୍ରବାର ଦିନ କଂଗ୍ରେସ ଭବନରେ ବାଉନ୍ସର ମାନଙ୍କୁ ନିୟୋଜିତ କରାଯାଇଥିଲା । ତେବେ କିଏ ବାଉନ୍ସର ମାନଙ୍କୁ ଆଣିଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।