ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା-୧୭.୧.୨୦୨୦ :- ଓଡିଶାର ସାଧାରଣ ଜନତାଙ୍କ ସେବା ଏବଂ ୩୭ ହଜାର ବୁଥ ସଙ୍ଗଠନକୁ ମଜବୁତ କରିବା ମୋର ପ୍ରାଥମିକତା ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକୁ ତୃଣମୂଳସ୍ତରରେ ପହଂଚାଇବା ଆମର ମୁଖ୍ୟ ଲକ୍ଷ୍ୟ । ୩୭ ହଜାର ବୁଥର କର୍ମକର୍ତମାନେ ଏହାର ଦାୟୀତ୍ୱ ନେବେ । ମୋଦି ସରକାର ଓଡିଶାବାସୀଙ୍କ ବିକାଶ ପାଇଁ ପଠାଉଥିବା ଅନୁଦାନର ଖର୍ଚ୍ଚ କିପରି ବାଟମାରଣ ନହୋଇ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚିବ ତାହାକୁ ତଦାରଖ କରିବେ । ଦୃଢ ସଙ୍ଗଠନ, ଲୋକଙ୍କ ସ୍ୱାର୍ଥ ପାଇଁ ସଂଘର୍ଷ ଏବଂ ଲୋକଙ୍କ ବିଶ୍ୱାସକୁ ଆଧାର କରି ଦଳ ମଜବୁତ ହେବ । ସାମୁହିକ ନେତୃତ୍ୱ, ଜନ ବିଶ୍ୱାସ, କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ଆଧାର ହେବ ଦଳର ମୁଳମନ୍ତ୍ର । ବୋଲି ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ ପରେ କହିଛନ୍ତି ସମୀର ମହାନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟ ବିଜେପି ଶାଖାର ସଭାପତି ନୁହେଁ ମୁଁ ଆମ ଦଳର ଜଣେ ସାଧାରଣ କାର୍ଯ୍ୟକର୍ତା । ମୋତେ ସର୍ବସମ୍ମତି କ୍ରମେ ସଭାପତିର ପଦ ନୁହେଁ ଜଣେ କାର୍ଯ୍ୟକର୍ତା ଭାବେ ସଭାପତିର ଦାୟିତ୍ୱ ପାଳନ କରିବା ପାଇଁ ଆପଣମାନେ ନିର୍ଦ୍ଦେଶ ଦେଇଛନ୍ତି । ସଭାପତି ଭାବରେ ଦଳର ସଂଗଠନ ଓ ଜନଆକାଂକ୍ଷାର ପ୍ରତିନିଧିତ୍ୱ ପାଇଁ ଜଣେ ସଂଯୋଜକ ବା ଫାସିଲିଟେଟରର ଦାୟିତ୍ୱରେ ରହି କାମ କରିବା ପାଇଁ ମୁଁ ସଂକଳ୍ପବଦ୍ଧ । ଏହି ଅବସରରେ ବିଜେପିର ୩୭ ହଜାର ବୁଥ ସ୍ତରରୁ ନେଇ ସବୁ ସ୍ଥାନରେ କାମ କରୁଥିବା ଲକ୍ଷ ଲକ୍ଷ ନିଷ୍ଠାପର କାର୍ଯ୍ୟକର୍ତାଙ୍କୁ ହୃଦୟରୁ ଅଭିନନ୍ଦନ ଓ ଧନ୍ୟବାଦ ଦେଉଛି । ଓଡିଶାର ଲକ୍ଷ ଲକ୍ଷ କାର୍ଯ୍ୟକର୍ତାମାନଙ୍କ ଉପରେ ମୋର ଆଶା ଓ ବିଶ୍ୱାସ ରହିଛି । ସେହିମାନେ ହିଁ ଦଳକୁ ମଜବୁତ୍ କରିବେ । ଓଡିଶାବାସୀ ଆମକୁ ବିରେଧୀ ଦଳର ମାନ୍ୟତା ଦେଇଛନ୍ତି । ବିଧାନସଭାରେ ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ସେମାନଙ୍କ ସ୍ୱରକୁ ଶାଣିତ କରିବା ପାଇଁ ଆମ ପାଖରେ ବିରୋଧୀ ଦଳ ନେତା ଏବଂ ଅଭିଜ୍ଞ ଓ ଉଚ୍ଚଶିକ୍ଷିତ ବିଧାୟକ ମାନେ ଅଛନ୍ତି ।