ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା-୧୭.୧.୨୦୨୦ :- ଆମ ରାଜ୍ୟ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ । ଚାଷୀ ଓ ଚାଷର ଉନ୍ନତିକୁ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଉଛନ୍ତି । ୨୦୦୨ ମସିହା ପାଣି ପଞ୍ଚାୟତଆଇନ୍, ୨୦୦୩ ଏବଂ ୨୦୦୮ ରେ ଏଥି ସଂପର୍କିତ ପ୍ରଣୀତ ନିୟମାବଳୀ ଅନୁସାରେ ପାଣିପଞ୍ଚାୟତ ଗଠନ କରାଯାଇଛି ଓ ଏହି ପ୍ର୍ରକ୍ରିୟା ଚାଲୁ ରହିଛି । ଏହାର ସୁବିଧା ଉପଯୋଗ କରି ଚାଷୀମାନଙ୍କର ଆୟକୁ ୨ଗୁଣ ଏବଂ ବହୁଗୁଣିତ କରିବା ଲକ୍ଷ୍ୟ ନେଇ ସବୁ ପାଣି ପଞ୍ଚାୟତର ସଦସ୍ୟମାନେ ଆଗକୁ ବଢିବାକୁ ରାଜ୍ୟ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ପ୍ରକାଶ କରିଛନ୍ତି ।
ଗତକାଲି ଓ.ଏଲ.ଆଇ,ସି ଭୁବନେଶ୍ୱର ଡିଭିଜନ ତରଫରୁ ଆୟୋଜିତ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ପତ୍ରୀ ଏହା କହିଛନ୍ତି । ସଂପ୍ରତି ରାଜ୍ୟର ସମସ୍ତ ଜିଲ୍ଲାରେ ରାଜ୍ୟ ଜଳ ସଂପଦ ବିଭାଗ ଅଧୀନରେ ବିଭିନ୍ନ ପାଣି ପଞ୍ଚାୟତମାନ ଗଠନ କରାଯାଇ କାର୍ଯ୍ୟକରୁଛି । ସେଗୁଡିକୁ ଅଧିକ କ୍ରିୟାଶୀଳ କରିବାକୁ ସରକାର ସମସ୍ତ ସହାୟତା ଦେବାକୁ ପ୍ରଯତ୍ନ କରୁଛନ୍ତି । ଭୁବନେଶ୍ୱର ଡିଭିଜନ ଅନ୍ତର୍ଗତ ୨୦୦ରୁ ଊର୍ଦ୍ଧ୍ୱ ଚାଷୀ, ଯେଉଁମାନେ ଉଭୟ ଖରିଫ ଓ ରବି ଋତୁରେ ଉଠା ଜଳସେଚନ ଜରିଆରେ ଚାଷ ସମୟରେ ନିଜ ଜମିକୁ ପାଣି ପାଇପାରୁଛନ୍ତି, ସେମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଖୁସିର କଥା ଯେ ଏଥିରେ ବହୁ ସଂଖ୍ୟାରେ ମହିଳା ଚାଷୀ ଓ ଯୁବ କୃଷକ ବନ୍ଧୁ ସାମିଲ ହୋଇଥିଲେ ।
କେତେକ ଅଂଚଳରେ ମହିଳା ପାଣି ପଂଚାୟତ ଗଠନ ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ମହିଳା ସଶକ୍ତକରଣର ବାର୍ତା ଓ ଆଭିମୁଖ୍ୟକୁ ପ୍ରମାଣିତ କରିଥିବାରୁ ସେମାନଙ୍କର ଉଦ୍ୟମକୁ ଶ୍ରୀ ପତ୍ରୀ ପ୍ରଶଂସା କରିଥିଲେ । କେବଳ ଭାଷଣ ମାଧ୍ୟମରେ କାର୍ଯ୍ୟକ୍ରମକୁ ସୀମିତ ନରଖି ପାରସ୍ପରିକ ଭାବ ବିନିମୟ ଦ୍ୱାରା ପାଣି ପଂଚାୟତ ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ପୁରୁଷଙ୍କ ସମେତ ମହିଳା ଚାଷୀମାନେ ମଧ୍ୟ ପାଣି ପଂଚାୟତ କାର୍ଯ୍ୟକାରିତା ବେଳେ ରହୁଥିବା ସମସ୍ୟା ଓ ଏହାର ତୁରନ୍ତ ସମାଧାନ, କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜଳସେଚନ କାର୍ଯ୍ୟକ୍ରମ ଦ୍ୱାରା ଚାଷକାର୍ଯ୍ୟ କରି ଚାଷୀମାନେ କିପରି ସଫଳ ଚାଷୀ ହୋଇପାରିବେ, ସେ ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆୟୋଜିତ ସଭାରେ ମହିଳା ଚାଷୀମାନଙ୍କୁ ସେମାନଙ୍କର ମତ ଉପସ୍ଥାପନ କରିବାର ସୁଯୋଗ ପ୍ରଦାନ କରାଯାଇଥିବାରୁ ସେମାନେ ଖୁସି ବ୍ୟକ୍ତ କରିଥିଲେ । ଡିଭିଜନର ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ମାନସ ରଂଜନ ପଟ୍ଟନାୟକ ଓ କୃଷି ବିଭାଗୀୟ ଅଧିକାରୀମାନେ ଯୋଗଦେଇ ପାଣି ପଞ୍ଚାୟତ ସମ୍ପର୍କିତ ଯେଉଁସବୁ ସମସ୍ୟା ରହିଛି, ସେସବୁକୁ ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ ।
ଆଗାମୀ ଦିନରେ ଚାଷକାର୍ଯ୍ୟ କିପରି ସୁଚାରୁରୂପେ କରାଯିବ, କେବଳ ଧାନ ନୁହେଁ, ବରଂ କମ୍ ଜଳ ବ୍ୟବହାର କରି କିପରି ବିଭିନ୍ନ ପନିପରିବା, ଫୁଲ, ଫଳ ଆଦି ଲାଭଦାୟକ ଫସଲ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ, କୃଷକମାନେ ସେମାନଙ୍କର ଆୟ ୨ଗୁଣରୁ ବହୁଗୁଣିତ କରି କିପରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ, ସେଥିପ୍ରତି ଯୁବ କୃଷକମାନଙ୍କୁ ବିଶେଷ ଭାବେ ଉତ୍ସାହିତ କରାଯାଇଥିଲା । ଯୁବବର୍ଗ ଅଧିକରୁ ଅଧିକ କୃଷିଶିଳ୍ପକୁ ଆପଣେଇବାକୁ ସଭାରେ ସମସ୍ତେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ସ୍କୁଲ ପିଲାମାନଙ୍କ ଜରିଆରେ ପାଣି ପଂଚାୟତ ସଂପର୍କରେ କୃଷକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରକାଶ ଥାଉକି ଚଳିତ ବର୍ଷ ଜାନୁୂଆରୀ ୧୬ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଂଚାୟତ ପକ୍ଷ ପାଳିତ ହେଉଛି ।