ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ଶୁକ୍ରବାର) ପଦ୍ମପୁର :- ପୂର୍ବାହ୍ନ ୧୦ ଘରେ , ପଦ୍ମପୁର ର ବିଶିଷ୍ଟ ଆଇନଜୀବୀ ଜଗଦୀଶ ମିଶ୍ରଙ୍କର , ତାଙ୍କର ବରଗଡ଼ ସ୍ଥିତ କନିଷ୍ଠ ପୁତ୍ର ସୁକାନ୍ତ ମିଶ୍ରଙ୍କ ବାସ ଭବନରେ ପରଲୋକ ହୋଇଯାଇଛି । ଖବର ପହଞ୍ଚିବା ମାତ୍ରେ ସହରରେ ଶୋକର ଛାୟା ଖେଳି ଯାଇଥିଲା । ସ୍ବର୍ଗତ ମିଶ୍ର ୧୯୨୯ ମସିହାରେ ବରଗଡ଼ ଠାରେ ଜଣାଶୁଣା ଆଇନଜୀବୀ ସ୍ବର୍ଗତ ବିଶ୍ବ କେଶନ ମିଶ୍ର ଓ ସ୍ବର୍ଗତ ଲକ୍ଷ୍ମୀ ମିଶ୍ରଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ । କୋଲକାତା ରେ ଆଇନ ଶିକ୍ଷା ଲାଭ କରି ସମ୍ବଲପୁରରେ ପ୍ରଥମେ ଓକିଲାତି କରିଥିଲେ । ପରବର୍ତ୍ତୀ ସମୟରେ ବରଗଡ଼ରେ କିଛି ଦିନ ଓକିଲାତି କରିବା ପରେ ୧୯୬୯ ମସିହାରେ ପଦ୍ମପୁର କୁ ନିଜର କର୍ମସ୍ଥଳୀ ଭାବେ ବାଛି ନେଇଥିଲେ । ଜଣେ ଦକ୍ଷ ଆଇନଜୀବୀ ଭାବେ ତାଙ୍କର ବେଶ୍ ଖ୍ଯାତି ଥିଲା ।
ନିଜର ଅମାୟିକ ସ୍ବଭାବକୁ ନେଇ ସେ ସର୍ବତ୍ର ପରିଚୟ ଥିଲେ । ପଦ୍ମପୁର ର ଅନେକ ଶିକ୍ଷା ତଥା ସାମାଜିକ ଅନୁଷ୍ଠାନ ସହିତ ସେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଯୋଡି ହୋଇ ରହିଥିଲେ । ତାଙ୍କର ମର ଶରୀର ପଦ୍ମପୁର ବାସଭବନ କୁ ପହଞ୍ଚିବା ପରେ ଅନେକ ବ୍ଯକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ସହରର ପାଟଣାଗଡ ରାସ୍ତାରେ ଥିବା ମସାଣିରେ ତାଙ୍କର ଶବଦାହ କରାଯାଇଥିଲା । ଜ୍ଯେଷ୍ଠ ପୁତ୍ର ରଜନୀକାନ୍ତ ମିଶ୍ର ମୁଖାଗ୍ନି ଦେଇ ଥିଲେ । କିଛି ବର୍ଷ ପୂର୍ବରୁ ତାଙ୍କର ଧର୍ମପତ୍ନୀଙ୍କ ବିୟୋଗ ଘଟିଥିଲା । ସେ ତାଙ୍କ ପଛରେ ଦୁଇ ପୁଅ ରଜନୀକାନ୍ତ,ସୁକାନ୍ତ, ଦୁଇବୋହୁ,ଝିଅ,ଜ୍ବାଇଁ ଓ ନାତି ନାତୁଣୀଙ୍କୁ ଛାଡି ଚାଳି ଯାଇଛନ୍ତି । ସ୍ବର୍ଗତ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ( ରିପୋର୍ଟ – ନିରୋଜ କୁମାର ପାଣୀ )