ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ଶୁକ୍ରବାର) ହିଞ୍ଜିଳିକାଟୁ :- ହିଞ୍ଜିଳି ଥାନା ଶ୍ୟାମଳାଇ ଛକ ୫୯ନଂ ଜାତୀୟ ରାଜପଥରେ ଗୁରୁବାର ମଧ୍ୟରାତ୍ର ସମୟରେ ୨ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଘଟି ଜଣେ ଗାଡି ଚାଳକଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି । ପ୍ରାୟ୨ଘଣ୍ଟାର ପରିଶ୍ରମ ପରେ ପୁଲିସ, ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତା ରେ ଆହତ ଚାଳକ କୁନା ଗୌଡ଼କୁ ଗାଡି ଭିତରୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାପୂର୍ଣ୍ଣ ଅଞ୍ଚଳରେ ଆଲୋକୀ କରଣର ସୁବ୍ୟବସ୍ଥା ଉପଲବ୍ଧ ନ ଥିବା ସହ ଦୀର୍ଘ ବର୍ଷ ଧରି ବେଆଇନ ଜବର ଦଖଲ କାରଣରୁ ସଙ୍କୁଚିତ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଏକ ପ୍ରମୁଖ ସମସ୍ୟା ପାଲଟିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗୁରୁବାର ରାତି ପ୍ରାୟ୧୨ ଟା ସମୟରେ କଳା ବାଲି ବୋଝେଇ ଏକ ୧୪ ଚକିଆ ଟ୍ରକ (OD 02BH 6564) ବ୍ରହ୍ମପୁର ଆଡକୁ ଯାଉଥିବା ବେଳେ
ବିପରୀତ ଦିଗରୁ ଆସୁଥିବା ଟ୍ରକ (ORK 9495)ସହ ଶ୍ୟାମଳାଇ ଛକ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ବ୍ୟବସାୟୀ କିଶୋର ବିଷୋୟୀଙ୍କ ସୂଚନା କ୍ରମେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଓ ଅଗ୍ନିଶମ ଅଧିକାରୀ ଗୌତମ ସାହୁ ସଦଳ ବଳେ ସେଠାରେ ପହଞ୍ଚି ଆହତ ଚାଳକ କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଆହତ ଚାଳକଙ୍କ ନିଶାସକ୍ତ ଅବସ୍ଥାରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିଥିବା ଉପସ୍ଥିତ ଲୋକଙ୍କ ଠାରୁ ଜଣାପଡିଛି।ଏହା ବ୍ୟତୀତ ଦୀର୍ଘ ବର୍ଷ ଧରି ଜାତୀୟ ରାଜପଥ ଅଞ୍ଚଳରେ ବେଆଇନ ଜବର ଦଖଲ ହୋଇଥିବା ସହ ଆଲୋକୀ କରଣର ଅବ୍ୟବସ୍ଥା ଯୋଗୁଁ ଶ୍ୟାମଳାଇ ଛକ ଅନ୍ଧକାର ହୋଇ ବ୍ଲାକସ୍ପଟ ଭାବେ ପରିଚିତ ହୋଇଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାପାଇଁ ସାଧାରଣ ରେ ଦାବୀ ହେଉଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )