ଓଡ଼ିଶା ତାଜା ନ୍ୟୁଜ ( ୨୭ ଅକ୍ଟୋବର ମଙ୍ଗଳବାର ) ଭୁବନେଶ୍ୱର , ନୂଆଦିଲ୍ଲୀ :- ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ଶିକ୍ଷା ପରମ୍ପରା ଖୁବ ମହାନ ଓ ମହିମାମୟ ଥିଲା ବୋଲି ଓଡିଶା ବିଧାନ ସଭା ର ବାଚ୍ଚସ୍ପତି ଡ଼. ସୂର୍ଯ୍ୟନାରାୟଣ ପାତ୍ର ମତ ପ୍ରକାଶ କରିଛନ୍ତି | ଏହି ଗୁଣାତ୍ମକ ଏବଂ ଗୌରବାନ୍ବିତ ଶିକ୍ଷା ପଦ୍ଧତି ର ପୁନରୁଦ୍ଧାର ସାମ୍ପ୍ରତିକ ଯୁଗରେ ଖୁବ ପ୍ରାସଙ୍ଗିକ ଓ ବାସ୍ତବିକ ବୋଧ ହେଉଥିବା ଡ଼.ପାତ୍ର ସୁଚାଇଛନ୍ତି | ଭୁବନେଶ୍ୱରର ନୂଆପଲ୍ଲୀ ଠାରେ ଏସାର ସିଷ୍ଟମ୍ସ ଏବଂ ଗୁରୁକୁଳ ଅନଲାଇନ ଶିକ୍ଷା ବ୍ୟବସ୍ଥାର ଭାରତ କାର୍ଯ୍ୟାଳୟ ଓ ଆନ୍ତର୍ଜାତିକ ମୁଖ୍ୟାଳୟ ର ଭରଚୁଆଲ ଶୁଭ ଉଦଘାଟନ କରି ଡ଼.ପାତ୍ର ବର୍ତ୍ତମାନ ପ୍ରଚଳିତ ଶିକ୍ଷା ପ୍ରଣାଳୀର ନୈତିକ ,ବୈଷୟିକ ,ପ୍ରଯୁକ୍ତିଗତ ଓ ବ୍ୟବହାରିକ ମାନ ବୃଦ୍ଧି କରିବାରେ ଏସାର – ଗୁରୁକୁଳ ନିଶ୍ଚିତ ଭାବେ ସକ୍ଷମ ହେବ ବୋଲି ଆଶା ପ୍ରକାଶ କରିଥିଲେ | ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସରକାରଙ୍କର ଇଲେକ୍ଟ୍ରୋନିକ୍ସ , ପ୍ରଯୁକ୍ତି ବିଦ୍ୟା , କ୍ରୀଡା ,ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଫିତା କାଟି ଗୃହ ପ୍ରବେଶ କାର୍ଯ୍ୟ ସମ୍ପନ୍ନ କରିଥିଲେ | ଏହି ଅବସରରେ ଆୟୋଜିତ ଏକ ଆନ୍ତର୍ଜାତୀକ ୱେବିନାରକୁ ସମ୍ବୋଧନ କରି ଶ୍ରୀ ବେହେରା ସାରା ବିଶ୍ୱରେ ଓଡ଼ିଆ ଭାଷା ର ପ୍ରଚାର , ପ୍ରସାର ଏବଂ ଏହାକୁ ଲୋକପ୍ରିୟ କରିବା ପାଇଁ ଏସାର – ଗୁରୁକୁଳ ଯେପରି ମାଗଣା ଅନ ଲାଇନ ଶିକ୍ଷା ପ୍ରଦାନର ପ୍ରକ୍ରିୟା ପ୍ରାରମ୍ଭ କରିବାକୁ ଯାଉଛି , ତାର ଭୄଯସୀ ପ୍ରସଂଶା କରିଥିଲେ |
ଆଜି ଇ -ଶିକ୍ଷା ଏବଂ ୫ ଜି ଟେକହ୍ନେଲୋଜି କୁ ଆପଣେଇବା ସମୟୋଚିତ ହେବ ବୋଲି ମନ୍ତ୍ରୀ କହିଥିଲେ | ସମାରୋହରେ ବିଶିଷ୍ଟ ଅତିଥି ଭାବରେ ସାମିଲ ହୋଇ ପୂର୍ବତନ ମନ୍ତ୍ରୀ ଅମର ଶତପଥୀ , ଆମର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ମାତ୍ରାରେ ପ୍ରଯୁକ୍ତି ବିଦ୍ୟାର କ୍ରୀତଦାସ ନ ସାଜି ସ୍ୱୟଂସମୃଦ୍ଧ ଓ ସୃଜନଶୀଳଯୁକ୍ତ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ | ଅସ୍କାର ବିଧାୟିକା ମଞ୍ଜୁଳା ସ୍ୱାଇଁ ,ଏସାର – ଗୁରୁକୁଳ ଦ୍ୱାରା ସାରା ପୃଥିବୀରେ ଓଡ଼ିଆ ଶିକ୍ଷାକୁ ପରିବ୍ୟାପ୍ତ କରିବାର ପ୍ରୟାସକୁ ସ୍ୱାଗତ ଜଣାଇଥିଲେ | ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଗୁରୁମା ଡ଼. ଅରୁନ୍ଧତି ଦେବୀ , ବିଦେଶରେ ଲୁପ୍ତ ପ୍ରାୟ ହେବାକୁ ଯାଉଥିବା ଓଡ଼ିଆ ଭାଷା କୁ ପୁନରୁଦ୍ଧାର କରିବା ଏବଂ ବର୍ତ୍ତମାନ ତଥା ଭବିଷ୍ୟତ ପିଢୀକୁ ଏହାର ଉପାଦେୟତା ପ୍ରତି ସଚେତନ କରାଇବା ଓ ଏଥିପ୍ରତି ଆକୃଷ୍ଟ କରିବା ଦିଗରେ ଏସାର – ଗୁରୁକୁଳ ନିଶ୍ଚିତ ଭାବରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଭରସା ପ୍ରକଟ କରିଥିଲେ | ମାନବିକତା ଧର୍ମୀ ଶିକ୍ଷା ପାଇଁ ଉଦ୍ଦିଷ୍ଟ ଗୁରୁକୁଳ, ବିଦ୍ୟାର୍ଥୀର ଜୀବନ ଓ ମାନସିକତା ନିର୍ମାଣ କରିବ ବୋଲି ଡ଼.ଦେବୀ ଉଲ୍ଲେଖ କରିଥିଲେ |
ପ୍ରବାସରେ ଓଡ଼ିଆ ପାଠ୍ୟକ୍ରମ ଶିକ୍ଷାଲାଭ କରୁଥିବା ଛାତ୍ର ଛାତ୍ରୀମାନଙ୍କୁ ଅନଲାଇନ ପରୀକ୍ଷା ଦେବାର ସୁଯୋଗ ପ୍ରଦାନ କରିବାକୁ ଚେନ୍ନାଇ ସ୍ଥିତ ପ୍ରବାସୀ ଓଡ଼ିଆ ସାଂସ୍କୃତିକ ସମାଜର ସଭାପତି ଶାନ୍ତନୁ କୁମାର ଜେନା, ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ | ଅନଲାଇନ ଯୋଗେ ନୂଆକରି ଯୁଗୋପଯୋଗୀ ଗୁରୁଶିଷ୍ୟ ପରମ୍ପରାର ପୁନରୁଦ୍ଧାର, ସମୟର ଆହ୍ୱାନ ବୋଲି ନୂଆଦିଲ୍ଲୀ ସ୍ଥିତ ଡ଼. ଆମ୍ବେଦକର ଫାଉଣ୍ଡେସନ ର ନିର୍ଦେଶକ ଡ଼. ଦେବେନ୍ଦ୍ର ମାଝୀ ଦର୍ଶାଇଥିଲେ | ସ୍ୱାଗତ ଭାଷଣ ପ୍ରଦାନ କରି ଉତ୍ସବର ସହ ଆୟୋଜକ ବରିଷ୍ଠ ସାମ୍ବାଦିକ ତଥା ବନ୍ଦେ ଉତ୍କଳ ଫାଉଣ୍ଡେସନ ର ପ୍ରତିଷ୍ଠାତା ଅଧକ୍ଷ କିଶୋର ଦ୍ୱିବେଦୀ , ଏସାର – ଗୁରୁକୁଳ ପାରମ୍ପରିକ ଶିକ୍ଷା ପ୍ରଦାନ ଓ ଗ୍ରହଣ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଯାଉଥିବା ସୁଚାଇଥିଲେ | ବିଦ୍ୟାର୍ଥୀ ଶିକ୍ଷାଦାନ ନିକଟକୁ ନ ଆସି ଶିକ୍ଷାକୁ ବିଦ୍ୟର୍ଥୀର ଦୁଆର ମୁହଁ ରେ ସପ୍ତାହକୁ ସାତଦିନ ଓ ୨୪ ଘଣ୍ଟା ଧରି, ତାଙ୍କର ସୁବିଧା ଅନୁସାରେ ପହୁଞ୍ଚାଇବା, ଏହି ନୂଆ ଶିକ୍ଷାକ୍ରମର ଅସଲ ଉଦେଶ୍ୟ ବୋଲି ଶ୍ରୀ ଦ୍ୱିବେଦୀ ଦର୍ଶାଇଥିଲେ |
ଉଭୟ ପ୍ରକୃତ ଓ ୱେବ ଯୋଗେ ଆୟୋଜିତ ଏହି ଉଦଘାଟନୀ ସମାରୋହର ମୁଖ୍ୟ ଆୟୋଜକ ଏବଂ ଏସାର- ଗୁରୁକୁଳ ର ଅଧକ୍ଷ ତଥା ପରିଚାଳନା ନିର୍ଦେଶକ ଇଂ ମୀନକେତନ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରି ଏସାର – ଗୁରୁକୁଳ ସଂସ୍ଥା ଗଠନ ପଛରେ ଥିବା ଦାର୍ଶନିକ ଓ ଆଧ୍ୟାତ୍ମିକଗତ ମହତ ଭାବନା ଉପରେ ଆଲୋକପାତ କରିଥିଲେ | ଦେଶର ଶିକ୍ଷା ବ୍ୟବସ୍ଥାର ଆମୂଳଚୂଳ ନବୀକରଣ ଓ ଏହାର ମାନ ବର୍ଦ୍ଧନ ପାଇଁ ଏସାର – ଗୁରୁକୁଳ ବଦ୍ଧପରିକର ବୋଲି ଇଃ ଶ୍ରୀ ବିଶ୍ୱାଳ ଉଲ୍ଲେଖ କରିଥିଲେ | ସମଗ୍ର ଡିଜିଟାଲ କାର୍ଯ୍ୟକ୍ରମକୁ ଏସାର- ଗୁରୁକୁଳ ପରିକଳ୍ପନାର ସର୍ଜନାକାରୀ ଏବଂ ସି .ଏମ .ଡି ଇଃ ଶ୍ରୀ ବିଶ୍ୱାଳଙ୍କର ସୁପୁତ୍ର ଶିବ ରଞ୍ଜନ ବିଶ୍ୱାଳ ମାଞ୍ଚେଷ୍ଟର ରୁ ସଂଯୋଜନା କରିଥିଲେ | ଆୟୋଜନର ସୁପରିଚାଳନା କରିବାରେ ଶିବ କୁମାର ବିଶ୍ୱାଳ , ପ୍ରକାଶ ନାୟକ, ଦିଲ୍ଲୀପ କୁମାର ସାହୁ ଏବଂ ବିକାଶ ଚନ୍ଦ୍ର ନାୟକ ପ୍ରମୁଖ ମୁଖ୍ୟଭୂମିକା ଗ୍ରହଣ କରିଥିଲେ | ଶେଷରେ ଜଗବନ୍ଧୁ ମୂଦ୍ଦୁଲି ଓ ତାଙ୍କର ସାଥି କଳାକାର ମାନେ ମନୋରଂଜକ ଭଜନ ପରିବେଷଣ କରିଥିଲେ |