ଓଡ଼ିଶା ତାଜା ନ୍ୟୁଜ ( ୨୭ ଅକ୍ଟୋବର ମଙ୍ଗଳବାର ) ବାଲେଶ୍ୱର :- ଉପ-ନିର୍ବାଚନ ନେଇ ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଥିବା ବେଳେ ଚାଲିଛି ହାଇଭୋଲଟେଜ୍ ପ୍ରଚାର । ଏହି କ୍ରମରେ ସାମିଲ ହେବେ ଖୋଦ୍ ବିଜେଡିର ସଭାପତି ତଥା ଦଳର ସର୍ବୋଚ୍ଚ ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ । ଆସନ୍ତା ୨୯ ତାରିଖରେ ବାଲେଶ୍ୱର ସଦର ଆସନ ପାଇଁ ପ୍ରଚାର କରିବେ ନବୀନ । ବାଲେଶ୍ୱରର ଆଇଟିଆଇ ପଡ଼ିଆ ଓ ସିଦ୍ଧି କଲ୍ୟାଣ ମଣ୍ଡରେ ଭର୍ଚୁଆଲ୍ ପ୍ରଚାର କରିବେ । ବାଲେଶ୍ୱର ସଦର ଆସନ ନେଇ ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ପୂର୍ବରୁ ନବୀନଙ୍କ ପ୍ରଚାରକୁ ନେଇ କିଛି ସ୍ପଷ୍ଟ ସୂଚନା ନଥିବା ବେଳେ ଆଜି ଏ ନେଇ ସ୍ପଷ୍ଟ ହୋଇଛି । ଯାହାକୁ ନେଇ ଦଳୀୟ ପ୍ରାର୍ଥୀ, ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅପରପକ୍ଷରେ ଉପ ନିର୍ବାଚନ ନେଇ ଭୋଟ ଗ୍ରହଣକୁ ଦିନ କେଇଟା ଥିବା ବେଳେ ରୋମାଞ୍ଚକର ହେଉଛି ରାଜନୈତିକ ସମୀକରଣ । ବାଲେଶ୍ୱରରେ ତିନିଦଳର ନେତା ଓ ପ୍ରାର୍ଥୀ ଜିତିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବିଜେଡିର ରୋଡ୍ ଶୋ’ଚାଲିଛି ଓ ୱାର୍ଡ ପ୍ରତି ଗୁରୁତ୍ୱ ଦିଆଯାଉଛି । ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରଚାର ଦଳକୁ ବେଶ ସୁହାଇବ ବୋଲି କର୍ମୀ ଆଶାବାଦୀ । ( ଦୀପ୍ତିମାନ ପତି /ବାଲେଶ୍ୱର )