No Result
View All Result

ଜଟଣୀ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୬.୦ର ଅଂଶ ସ୍ୱରୂପ ଭାରତୀୟ ରେଳବାଇ ପକ୍ଷରୁ ଦେଶର ୭,୦୦୦ରୁ ଅଧିକ ରେଳ ଷ୍ଟେସନରେ ଦେଶବ୍ୟାପୀ ଜନସମ୍ପର୍କ କାର୍ଯ୍ୟକ୍ରମ ‘ରେଳ ଜନ ସମ୍ବାଦ’ ଆୟୋଜନ କରାଯାଇଥିଲା।ଯାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରିବା, ସେମାନଙ୍କ ସମସ୍ୟା ଓ ଅଭିଯୋଗର ସମାଧାନ କରିବା ଏବଂ ରେଳସେବା ଓ ଯାତ୍ରୀ ସୁବିଧାରେ ଉନ୍ନତି ଆଣିବା ପାଇଁ ମୂଲ୍ୟବାନ ପରାମର୍ଶ ସଂଗ୍ରହ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ଖୋର୍ଦ୍ଧାରୋଡ୍ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି.ସୁନୀଲ ପୁରୀ ରେଳ ଷ୍ଟେସନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।ସେ ଯାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଅନୁଭୂତି, ମତାମତ ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ଏଥିସହ ଯାତ୍ରୀ ସୁବିଧାରେ ଉନ୍ନତି ଆଣିବା, ଷ୍ଟେସନ ପରିସରର ବିକାଶ କରିବା ଏବଂ ରେଳସେବାର ମାନ ବୃଦ୍ଧି କରିବା ନିମନ୍ତେ ସେ ଯାତ୍ରୀମାନଙ୍କ ଠାରୁ ମତାମତ ଓ ପରାମର୍ଶ ଲୋଡ଼ିଥିଲେ ।

ଏହି ଅବସରରେ ମଣ୍ଡଳ ଅଧୀନରେ ଥିବା ଅନ୍ୟାନ୍ୟ ଷ୍ଟେସନରେ ମଧ୍ୟ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଓ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ତତ୍ତ୍ୱାବଧାନରେ ଏକକାଳୀନ ଆଲୋଚନା, ଯାତ୍ରୀମାନଙ୍କ ମତାମତ ସଂଗ୍ରହ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହା ମାଧ୍ୟମରେ ଯାତ୍ରୀମାନେ ରେଳ ଅଧିକାରୀ ମାନଙ୍କ ସହ ସିଧାସଳଖ ନିଜର ମତାମତ ଓ ପରାମର୍ଶ ବିନିମୟ କରିବାର ସୁଯୋଗ ପାଇଥିଲେ । ସେହିପରି ମଣ୍ଡଳର ବିଭିନ୍ନ ରେଳ ଷ୍ଟେସନରେ ସ୍ୱଚ୍ଛତା ଅଭିଯାନ ମଧ୍ୟ ଆୟୋଜନ କରାଯାଇଥିଲା ।
ଏହି ଅଭିଯାନରେ ରେଳ କର୍ମଚାରୀ ମାନେ ପ୍ଲାଟଫର୍ମ, ଷ୍ଟେସନ ପରିସର ଓ ଏହାର ଆଖପାଖ ଅଞ୍ଚଳକୁ ସଫାସୁତୁରା ରଖିବାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଯାତ୍ରୀମାନଙ୍କ ପାଇଁ ପରିଷ୍କାର ପରିଚ୍ଛନ୍ନ,ସୁସ୍ଥ ଓ ମନୋରମ ପରିବେଶ ସୁନିଶ୍ଚିତ କରିବା ଉପରେ ଏହି ଅଭିଯାନରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଖୋର୍ଦ୍ଧାରୋଡ୍ ମଣ୍ଡଳ ଅଧୀନରେ ଥିବା ଅନୁଗୁଳ, ବାଲୁଗାଁ, ଭଦ୍ରକ, ଭୁବନେଶ୍ୱର, ବ୍ରହ୍ମପୁର, କଟକ, ଢେଙ୍କାନାଳ, ଯାଜପୁର କେନ୍ଦୁଝର ରୋଡ୍,ଖୋର୍ଦ୍ଧାରୋଡ୍, ପାରାଦୀପ, ପୁରୀ, ତାଳଚେର, ତାଳଚେର ରୋଡ୍, କେନ୍ଦୁଝରଗଡ଼ ସମେତ ଅନ୍ୟାନ୍ୟ ପ୍ରମୁଖ ରେଳ ଷ୍ଟେସନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଖୋର୍ଦ୍ଧାରୋଡ୍ ମଣ୍ଡଳ ଯାତ୍ରୀକୈନ୍ଦ୍ରିକ ସେବା ପ୍ରଦାନ, ଅଭିଯୋଗର ତ୍ୱରିତ ଓ ପ୍ରଭାବୀ ସମାଧାନ, ଯାତ୍ରୀ ସୁବିଧାର ବିକାଶ ଏବଂ ରେଳ ଷ୍ଟେସନ ଗୁଡ଼ିକରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପ୍ରତିବଦ୍ଧ। ଯାତ୍ରୀମାନଙ୍କ ସହ ନିରନ୍ତର ଯୋଗାଯୋଗ ରକ୍ଷା କରିବା ଓ ରେଳସେବାର ମାନରେ ନିରନ୍ତର ଉନ୍ନତି ଆଣିବା ମାଧ୍ୟମରେ ସମସ୍ତଙ୍କ ପାଇଁ ନିରାପଦ, ନିର୍ଭରଯୋଗ୍ୟ ଓ ଆରାମଦାୟକ ରେଳଯାତ୍ରା ସୁନିଶ୍ଚିତ କରିବାକୁ ମଣ୍ଡଳ ପୁନର୍ବାର ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି ।

No Result
View All Result