
ଆର,ଉଦୟଗିରି (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଆଦିବାସୀଙ୍କ ଅଧିକାର ସୁରକ୍ଷା ସହ ଗ୍ରାମୀଣ ବିକାଶକୁ ଗୁରୁତ୍ୱ। ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ଅନ୍ତର୍ଗତ ପି. ସଇଲଙ୍ଗ ଗ୍ରାମରେ ଗ୍ରାମବାସୀଙ୍କୁ ସାମୁଦାୟିକ ଜଙ୍ଗଲ ଅଧିକାର ଓ ସାମୁଦାୟିକ ଜଙ୍ଗଲ ସମ୍ପଦ ଅଧିକାରର ଶିରୋନାମା ପ୍ରଦାନ କରାଯାଇଛି। ଏଥିସହ ନବନିର୍ମିତ କମ୍ୟୁନିଟି ହଲ୍ ଉଦ୍ଘାଟିତ ହୋଇଥିବା ବେଳେ ଛେଳିଗଡ଼ ବୁଡ଼ି ଅଞ୍ଚଳର ବିସ୍ଥାପିତ ଓ ଆଂଶିକ ବିସ୍ଥାପିତ ପରିବାରଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବା ନେଇ ଜିଲ୍ଲାପାଳ ଆଶ୍ୱାସନା ଦେଇଛନ୍ତି ।

ସୋମବାର ଅକ୍ଟୋବର ୧୨ ତାରିଖରେ ପି. ସଇଲଙ୍ଗ ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଅନୁମୋଦିତ ଜଙ୍ଗଲ ଅଧିକାର ଶିରୋନାମା ଗ୍ରାମର ଜଙ୍ଗଲ ଅଧିକାର କମିଟିକୁ ହସ୍ତାନ୍ତର କରାଯାଇଥିଲା । ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ ଏହି ସ୍ୱୀକୃତି ଦ୍ୱାରା ଗ୍ରାମବାସୀ ଜଙ୍ଗଲ ସମ୍ପଦର ସୁରକ୍ଷା, ସଂରକ୍ଷଣ ଓ ସ୍ଥାୟୀ ପରିଚାଳନାରେ ଅଧିକ ଭାଗୀଦାର ହୋଇପାରିବେ । ଏହି ଅବସରରେ ନବନିର୍ମିତ କମ୍ୟୁନିଟି ହଲ୍କୁ ମଧ୍ୟ ଉଦ୍ଘାଟନ କରାଯାଇଥିଲା । ଏହା ଗ୍ରାମବାସୀଙ୍କ ବୈଠକ, ସାମାଜିକ କାର୍ଯ୍ୟକ୍ରମ ଓ ସାମୂହିକ ଆଲୋଚନା ପାଇଁ ଉପଯୋଗୀ ହେବ ।















