No Result
View All Result

ଆର, ଉଦୟଗିରି (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଗଜପତି ଜିଲ୍ଲାର ମୋହନା ବ୍ଲକ୍ ଅନ୍ତର୍ଗତ ଚୁଡ଼ଙ୍ଗପୁର ଗ୍ରାମରେ ସୌର ଜନଜାତିଙ୍କ ଆର୍ଥିକ ସଶକ୍ତିକରଣ ଓ ବ୍ୟାଙ୍କିଙ୍ଗ୍ ସେବା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏକ ଆର୍ଥିକ ସାକ୍ଷରତା ଶିବିର ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ଜନଜାତି କାର୍ଯ୍ୟ ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ଅନୁସୂଚିତ ଜନଜାତି ଅର୍ଥ ଓ ବିକାଶ ନିଗମ ପକ୍ଷରୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ମୋହନା ଶାଖାର ସହଯୋଗରେ ଏହି ଶିବିର ଆୟୋଜନ କରାଯାଇଥିଲା । ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀଙ୍କ ଆର୍ଥିକ ବିକାଶ ଓ ସରକାରୀ ସୁବିଧା ପ୍ରଦାନ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ଏହି ଶିବିରରେ ଗଜପତି ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଶ୍ରୀ ଅଭିଷେକ ମିଶ୍ର, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ଦେବେଶ ରଞ୍ଜନ ଧର, ଜାତୀୟ ଅନୁସୂଚିତ ଜନଜାତି ଅର୍ଥ ଓ ବିକାଶ ନିଗମର ମୁଖ୍ୟ ଆଞ୍ଚଳିକ ପରିଚାଳକ ଶ୍ରୀ ସୁନୀଲ କୁମାର ସାହୁ, ମୋହନା ଶାଖା ପରିଚାଳିକା ଶ୍ରୀମତୀ ବନ୍ଦିତା କୁମାରୀ ଗଉଡ଼, ଚନ୍ଦ୍ରଗିରି ସ୍ଥିତ ସୌରା ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ଦିନେଶ କୁମାର ଦେଓ ଏବଂ ଚୁଡ଼ଙ୍ଗପୁର ସରପଞ୍ଚ ଶ୍ରୀମତୀ ସବିତା ଗମାଙ୍ଗ ଯୋଗଦେଇଥିଲେ । ଏଥିସହ ସୌରା ଉନ୍ନୟନ ସଂସ୍ଥାର ଶ୍ରୀ ସଚିତ୍ର କୁମାର ବେହେରା, ଶ୍ରୀ ବିବେକାନନ୍ଦ ଚୌଧୁରୀ, ଶ୍ରୀ ରମାକାନ୍ତ ନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ଜନଜାତି ପରିବାରଗୁଡ଼ିକୁ ବ୍ୟାଙ୍କରେ ଖାତା ଖୋଲିବା, ନିୟମିତ ଅର୍ଥ ସଞ୍ଚୟ କରିବା, ଋଣ ସୁବିଧା ଗ୍ରହଣ କରିବା, ମୋବାଇଲ୍ ମାଧ୍ୟମରେ ବ୍ୟାଙ୍କିଙ୍ଗ୍ ସେବା ବ୍ୟବହାର କରିବା ଏବଂ ବିଭିନ୍ନ ସରକାରୀ ଆର୍ଥିକ ଯୋଜନାର ସୁଫଳ ପାଇବା ସମ୍ପର୍କରେ ବୁଝାଯାଇଥିଲା । ଏଥିସହ ଆର୍ଥିକ ଠକେଇରୁ ସୁରକ୍ଷିତ ରହିବା ଓ ନିଜ ଅର୍ଥର ସଠିକ୍ ପରିଚାଳନା କରିବା ଉପରେ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଏହି ଶିବିର ମାଧ୍ୟମରେ ସୌର ଜନଜାତିଙ୍କ ମଧ୍ୟରେ ଆର୍ଥିକ ସଚେତନତା ବୃଦ୍ଧି କରିବା ସହ ସେମାନଙ୍କୁ ବ୍ୟାଙ୍କିଙ୍ଗ୍ ସେବା ସହ ଯୋଡ଼ିବା ଏବଂ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଦିଗରେ ପଦକ୍ଷେପ ନିଆଯାଇଥିଲା ।

No Result
View All Result