ଖୋରଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ବୟସସୀମା ପୂରଣ କରି ଅବସର ଗ୍ରହଣ କରିଥିବା ୨୫ ଜଣ କର୍ମଚାରୀଙ୍କ ସମ୍ମାନାର୍ଥେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ମଣ୍ଡଳ କାର୍ମିକ ଅଧିକାରୀ (ଡି ପି ଓ) ଶ୍ରୀ ଅମରେନ୍ଦ୍ର ମିଶ୍ର ଏବଂ ସହକାରୀ କାର୍ମିକ ଅଧିକାରୀ (ଏ ପି ଓ) ଶ୍ରୀ ଏ. ମିଶ୍ର ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏଥିସହ ବର୍ଷ ବର୍ଷ ଧରି ମଣ୍ଡଳ ପ୍ରତି ସେମାନଙ୍କର ନିଷ୍ଠାପର ସେବା, ସମର୍ପଣ ଓ ବହୁମୂଲ୍ୟ ଯୋଗଦାନର ଉଚ୍ଚ ପ୍ରଶଂସା କରିଥିଲେ । ସଭାକୁ ସମ୍ବୋଧିତ କରି ଅଧିକାରୀଦ୍ୱୟ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ଆନ୍ତରିକ ଉଦ୍ୟମ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ସେମାନଙ୍କର ସୁସ୍ଥ, ସୁଖମୟ, ଶାନ୍ତିପୂର୍ଣ୍ଣ ଓ ଆନନ୍ଦଦାୟକ ଅବସରପ୍ରାପ୍ତ ଜୀବନ କାମନା କରିଥିଲେ ।

ଏହାସହିତ ସେମାନେ ନିଜର ଅଭିଜ୍ଞତା ଓ ଜ୍ଞାନ ମାଧ୍ୟମରେ ସମାଜ ସହ ଯୋଡ଼ି ହୋଇ ରହିବାକୁ ଏବଂ ନିଜର ଯୋଗଦାନ ଜାରି ରଖିବାକୁ ଉତ୍ସାହିତ କରିଥିଲେ । ଏହି ଉତ୍ସବରେ ବିଭିନ୍ନ ଅଧିକାରୀ, ପରିଦର୍ଶକ (ସୁପରଭାଇଜର) କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀଙ୍କ ପରିବାରବର୍ଗ ଓ ସହକର୍ମୀମାନେ ଯୋଗଦେଇ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ।














