ହିଞ୍ଜିଳିକାଟୁ (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁ ପଞ୍ଚାୟତରେ ରୋଗ ଓ ଅର୍ଥାଭାବର କରୁଣ ପରିଣତି ସ୍ୱରୂପ ଗୋଟିଏ ପରିବାର ସବୁଦିନ ପାଇଁ ଉଜୁଡ଼ି ଯାଇଛି। ଦୀର୍ଘ ୫ ଧରି ପକ୍ଷାଘାତ ରୋଗରେ ଆକ୍ରାନ୍ତ ସ୍ବାମୀଙ୍କ ଚିକିତ୍ସାରେ ସର୍ବସ୍ବାନ୍ତ ହେଲା ପରେ ଅର୍ଥାଭାବ ଜନିତ ପରିସ୍ଥିତି ଓ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ବେଳେ ସରକାରୀ ସହାୟତାକୁ ଚାହିଁ ଚାହିଁ ମାନସିକ ଚାପ ଅସହ୍ୟ ହେବାରୁ ସ୍ୱାମୀର ମୃତ୍ୟୁର କିଛି କ୍ଷଣ ପରେ ସ୍ତ୍ରୀର ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ନିଃସନ୍ତାନ ଦମ୍ପତି ଦୁଇ ଜଣ ହେଲେ ଶାସନ ଆମ୍ବଗାଁ ପଞ୍ଚାୟତ ଖତାଡି ସାହିର ଉଗ୍ରସେନ ସ୍ଵାଇଁ (୪୭) ଓ ତାଙ୍କ ପତ୍ନୀ ନନ୍ଦିନୀ ସ୍ଵାଇଁ (୪୨) ।

ଗୁରୁବାର ସନ୍ଧ୍ୟା ସମୟରେ ଉଭୟଙ୍କ ଦୁଃଖଦ ମୃତ୍ୟୁ ପରେ ଗୋଟିଏ ଜୁଇରେ ଉଭୟଙ୍କ ଶବଦାହ ଘଟଣା ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି । ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ କ୍ଷେତ୍ରରେ ପ୍ରଶାସନିକ ନୀତି ନିୟମରେ ଲାଗୁ ହୋଇଥିବା କଟକଣା ,ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକ ଅସହଯୋଗ ଓ ବିଳମ୍ୱିତ ପଦକ୍ଷେପ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସୁଚନା ଅନୁଯାୟୀ ଶାସନ ଆମ୍ବଗାଁ ଖତାଡି ସାହି ବାସିନ୍ଦା ଉଗ୍ରସେନ ପୁର୍ବରୁ ଚାଷ କାମ କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ ।

କିଛି ଦିନ ପରେ ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିଲେ । ଘରେ ଯାହା କିଛି ସଞ୍ଚିତ ଅର୍ଥ ଥିଲା ସେଥିରେ ସେ ଚିକିତ୍ସିତ ହେଉଥିଲେ । ପରେ ଚିକିତ୍ସା ପାଇଁ ଅର୍ଥର ଅଭାବ ଦେଖା ଦେଇଥିଲା । ତଥାପି ସ୍ତ୍ରୀ ନୟନୀ ଧାର କରଜ କରି ବିଭିନ୍ନ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରି ସ୍ୱାମୀଙ୍କ ଚିକିତ୍ସା କରିଥିଲେ ମଧ୍ଯ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା । ଆଶା ନ ହରାଇ ସ୍ତ୍ରୀ ନୟନୀ ତାଙ୍କ ସମସ୍ତ ସେବା ଜାରୀ ରଖିଥିଲେ । ସାହି ପଡ଼ୋଶୀ ତାଙ୍କୁ ସହଯୋଗର ହାତ ବଢ଼ାଇବା ଯୋଗୁଁ କଷ୍ଟେ ମଷ୍ଟେ ସଂଘର୍ଷ ଜାରି ରଖିଥିଲେ ।














