No Result
View All Result
ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ
ରାଜ୍ୟରେ ୨୪ ମାସର ବିଜେପି ଶାସନରେ ୨୩ଟି ପ୍ରଶ୍ନପତ୍ର ଲିକ୍
ବିଜେପି ସରକାର ଆଣିଥିବା ଆଇନ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ରୋକିବାକୁ ଅସମର୍ଥ
ରାଜ୍ୟ ସରକାର ତୁରନ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଏମକେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ବିଜୁ ଜନତା ଦଳ ଆଜି ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଉପରେ ଏପରି ପ୍ରଶ୍ନପତ୍ର ପ୍ରଘଟ ଘଟଣା ରାଜ୍ୟରେ ବାରମ୍ୱାର ଘଟୁଛି ବୋଲି କହିଛି । ବିଜେପିର ୨୪ ମାସର ଶାସନରେ ରାଜ୍ୟରେ ୨୩ଟି ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସିଲାଣି, ଯାହା ସରକାରଙ୍କ ବିଫଳତାକୁ ସୂଚାଉଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ଡ଼ ଅରୁଣ କୁମାର ସାହୁ ଓ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ପ୍ରତାପ ଜେନା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ଡ଼ ଅରୁଣ କୁମାର ସାହୁ କହିଥିଲେ ଯେ, ରାଜ୍ୟ ତଥା ଦେଶରେ ପ୍ରଶ୍ନପତ୍ର ଲିକ ଏକ ସାଧାରଣ ଘଟଣା ହୋଇଗଲାଣି । କ୍ରିକେଟରେ ଆୟୋଜିତ ହେଉଥିବା ଆଇପିଏଲ ଲୋକପ୍ରିୟତା ହାସଲ କରିଥିବା ବେଳେ ପ୍ରଶ୍ନପତ୍ର ଲିକ୍ ଘଟଣା ନିୟମିତ ବ୍ୟବଧାନରେ ଦେଖିବାକୁ ମିଳୁଥିବାରୁ, ଏହାକୁ ଇଣ୍ଡିଆନ ପେପର ଲିକ୍ ବା ଆଇପିଏଲ କୁହାଯାଉଛି । ରାଜ୍ୟରେ ପ୍ରଶ୍ନପତ୍ର ଲିକ୍ ଘଟଣା ନିୟମିତ ବ୍ୟବଧାନରେ ଘଟୁଥିବା ବେଳେ, ଓଡିଶା ୟୁନିଭରସିଟି ଅଫ ହେଲଥ ସାଇନ୍ସ (ଓୟୁଏଚଏସ) ଦ୍ୱାରା ଜୁଲାଇ ୨୭ ତାରିଖରେ ଅନୁଷ୍ଠିତ ହୋଇଥିବା ମେଡିକାଲ ପିଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ର ଅଭିଯୋଗ ସାମ୍ନାକୁ ଆସିଛି ।
ଅଭିଯୋଗ ଅନୁସାରେ, ପରୀକ୍ଷା ଚାଲିଥିବା ସମୟରେ, ପ୍ରଶ୍ନପତ୍ର ହ୍ୱାଟ୍ସଆପ ଜରିଆରେ ବିଭିନ୍ନ ମୋବାଇଲରେ ଘୁରି ବୁଲିଥିଲା । ଏହି ପ୍ରଶ୍ନପତ୍ର ପ୍ରଘଟ ସହିତ ଏହାର ଉତ୍ତର ମଧ୍ୟ ମୋବାଇଲରେ ଘୁରି ବୁଲୁଥିଲା । ଶ୍ରୀ ପ୍ରତାପ ଜେନା କହିଥିଲେ ଯେ, ଦେଶରେ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଓ ଏହି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ, ରାଜ୍ୟରେ ମେଡିକାଲ ପିଜି ପ୍ରଶପତ୍ର ଲିକ୍ ହେବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପରେ କେନ୍ଦ୍ର ସରକାର ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ ) ଆଇନ ୨୦୨୪ର ସଂଶୋଧନକୁ ଅନୁମୋଦନ ଦେଇ ପ୍ରଶ୍ନପତ୍ର ଲିକ୍ ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା କରିଛନ୍ତି ।
ପୂର୍ବରୁ ୨୦୨୪ ଡିସେମ୍ୱର ୬ ତାରିଖରେ ଏହି ଆଇନକୁ ରାଜ୍ୟ ସରକାର ବିଧାନସଭାରେ ପାରିତ କରିଥିଲେ । ଏହି ଆଇନରେ ପ୍ରଶ୍ନପତ୍ର ଲିକ ମାମଲାରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଥିବା ସତ୍ତ୍ୱେ, ରାଜ୍ୟରେ ବାରମ୍ୱାର ପ୍ରଶ୍ନପତ୍ର ଲିକ୍ ମାମଲା ଦେଖିବାକୁ ମିଳୁଛି । ଶ୍ରୀ ଜେନା ଆହୁରି କହିଥିଲେ ଯେ, ବିଜେପି ସରକାରଙ୍କ ଗତ ୨୪ ମାସର ଶାସନରେ ୨୩ଟି ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଉପରେ ନିୟନ୍ତ୍ରଣ ନଥିବା ଯୋଗୁଁ ଏଭଳି ଘଟଣା ବାରମ୍ୱାର ଘଟୁଛି ।
ବିଜେଡି ପୂର୍ବରୁ କହିଥିଲା ଯେ, କେବଳ ଆଇନ ତିଆରି କଲେ ହେବ ନାହିଁ, ଏହାକୁ ଦୃଢ଼ତାର ସହିତ କାର୍ଯ୍ୟକାରୀ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନନେଲେ, ଏଭଳି ଘଟଣାର ପୁନରାବୃତ୍ତି ଘଟିବ । ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ଭଳି ଏକ ସଙ୍ଗୀନ ଅଭିଯୋଗ ଉପରେ ରାଜ୍ୟ ସରକାର ନିରବ ରହିଛନ୍ତି । ଏହା ଉପରେ ସ୍ପଷ୍ଟୀକରଣ ରଖିବା ସହିତ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।

No Result
View All Result