କଟକ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଆମ ରାଜ୍ୟ ଓଡିଶାରେ ବହୁତ ଗୁଡିଏ ମଠ ଓ ମନ୍ଦିର ରହିଛି, ଯାହାକି ବର୍ତ୍ତମାନ ସମୟରେ ବହୁ ପୁରାତନ ଓ ଅର୍ଦ୍ଧଭଗ୍ନ।ଏହି ଆଧ୍ୟାତ୍ମିକ ପୀଠ ଗୁଡ଼ିକ ଭିତରେ ବହୁତ ପୁରାତନ ଧାର୍ମିକ ପୀଠ ମଧ୍ୟ ରହିଛି। ପ୍ରତ୍ୟେକ ମନୁଷ୍ୟ ନିଜର ଜୀବନ ଜଞ୍ଜାଳ କଷ୍ଟକୁ ଲାଘବ କରିବାପାଇଁ ତଥା ଧାର୍ମିକ ଚେତନା ସହ ମାନସିକ ଶାନ୍ତି ପାଇଁ ମଠ ଓ ମନ୍ଦିର କୁ ଯାଇଥାନ୍ତି l କିନ୍ତୁ ଏବେ ଏହାର ସମ୍ପୂର୍ଣ୍ଣ ବିପରୀତ ସ୍ଥିତି ଓଡ଼ିଶାରେ ଦେଖିବାକୁ ମିଳୁଛି । ଏହି ପୁରାତନ ପୀଠମାନଙ୍କର କିଛି ପୁରୁଣା ପରମ୍ପରାକୁ ପୁନଃ ପ୍ରଚଳନ ଲାଗି କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପ୍ରୟାସ କରିଛି l

ପ୍ରାରମ୍ଭିକ ପ୍ରଚେଷ୍ଟାରେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତର କୋରୁଆ ଗ୍ରାମରେ ଥିବା ବହୁ ପୁରାତନ ଶ୍ୟାମବାବା ମଠରେ ଆସନ୍ତା ପଞ୍ଚୁକ ଠାରୁ ପୁରାତନ କାଞ୍ଜି ପାଣି ବ୍ୟବସ୍ଥାର ପୁନଃ ପ୍ରଚଳନ ହେବାର ଯୋଜନା ଟ୍ରଷ୍ଟ ପକ୍ଷରୁ କରାଯାଇଛି। ଯାହାଦ୍ୱାରା କି ଅନେକ ପେଟ ଜନିତ ରୋଗରେ ପୀଡିତ ରୋଗୀ ମାନେ ରୋଗମୁକ୍ତ ହୋଇପାରିବେ। ଏହି ସାମାଜିକ ଓ ପରମ୍ପରା ଜଡିତ କାର୍ଯ୍ୟକ୍ରମକୁ ଦେଖି ଅନେକ ବୟସ୍କ ଶ୍ରୀ ଶ୍ୟାମବାବାଙ୍କ ଭକ୍ତମାନେ ଟ୍ରଷ୍ଟ ର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ l
ଏହି ଅବସରରେ ଶ୍ରୀ ବସନ୍ତ କୁମାର ସାହୁଙ୍କ ଲିଖିତ ପୁସ୍ତକ “ସିଦ୍ଧଯୋଗୀ ଶ୍ୟାମଘନ” ଟ୍ରଷ୍ଟକୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଅର୍ପଣ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀ ଦମନ ମହାନ୍ତି, ମଠର ପୂଜକ ଶ୍ରୀ ଦାମୋଦର ଦାସ, ମଠ ପରିଚାଳକ ଶ୍ରୀ ରାମଚନ୍ଦ୍ର ଦାସ, ଶ୍ରୀ ସୁନୀଲ କୁମାର ଦାସ, ଶ୍ରୀ ଗୌରାଙ୍ଗ ସ୍ୱାଇଁ, ଶ୍ରୀ କୃଷ୍ଣଚନ୍ଦ୍ର ସାହୁ, ଶ୍ରୀ ପଞ୍ଚୁ ମଲ୍ଲିକ, ଶ୍ରୀ ଦୋଳ ମଲ୍ଲିକ ଓ ଶ୍ରୀ ସୁଶାନ୍ତ ମଲ୍ଲିକ ଉପସ୍ଥିତ ଥିଲେ ।














