ବାଲିଗୁଡା (ଓଡିଶା ତାଜା ନ୍ୟୁଜ) ନି. ପ୍ର :- କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରେ ଏକ ଅଭାବନୀୟ ଘଟଣା ଘଟିଛି | ବୁଧବାର ଦିନ ଗୋଟିଏ ଚଳନ୍ତା ଟ୍ରାକ୍ଟର ରୁ ଖସି ପଡ଼ି ଜଣେ ନାବାଳକ ର ମୃତ୍ୟୁ ଘଟଣା ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି । ମୃତ ନାବାଳକ ଜଣକ ହେଲେ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ର ପଦାସାହି ନିବାସୀ ଅକ୍ଷୟ କୁମାର ମଲ୍ଲିକ ଙ୍କ ପୁଅ ଗ୍ରେସ କୁମାର୍ ମଲ୍ଲିକ (୧୫) । ସୂଚନା ଅନୁଯାୟୀ ଗ୍ରେସ ଋତୁଙ୍ଗିଆ ହାଇସ୍କୁଲ ରେ ଦଶମ ଶ୍ରେଣୀ ରେ ପାଠ ପଢୁଥିଲେ |

ଖରାଛୁଟି କଟାଇବା ପାଇଁ ଘରକୁ ଆସିଥିଲେ | ବୁଧବାର ଦିନ ବଡିଭୋର୍ ରୁ ବାପା ବିଲରେ ହଳ କରିବାକୁ ଯାଇ ଥିଲେ | ସକାଳୁ ନିଜ ନିତ୍ୟ କର୍ମ ସାରି ଗ୍ରେସ୍ ଗାଁ ମୁଣ୍ଡ ରେ ବୁଲାବୁଲି କରୁଥିବା ବେଳେ ତାଜୁଙ୍ଗିଆ ରୁ ଏକ ଟ୍ରାକ୍ଟର ମହାଗୁଡ଼ି ଅଭିମୁଖେ ଯାଉଥିବା ଦେଖି ସେହି ଟ୍ରାକ୍ଟର ରେ ଚଢ଼ି ଯାଇଥିଲେ |
ହେଲେ କିଛି ବାଟ ଆସିବା ପରେ ମହାଗୁଡ଼ି ପହଞ୍ଚିବା ପୂର୍ବରୁ ଟୁଙ୍ଗୁଡ଼ୁମହା ସାହି ନିକଟ ରେ ଥିବା ହମ୍ପସ ରେ ଗାଡ଼ି ବ୍ରେକ ମାରିବାରୁ ସେ ଟ୍ରାକ୍ଟର ରୁ ଛିଟିକି ପଡ଼ି ଯାଇ ଥିଲେ | ଗୁରୁତର ଅବସ୍ଥାରେ ୧୦୮ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରାହ୍ମଣୀଗାଁ ମେଡିକାଲ୍ ରେ ଭର୍ତ୍ତି କରାଯାଇ ଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ବ୍ରାହ୍ମଣୀଗାଁ ଥାନା ଏସଆଇ ଭୋଳାନାଥ ପଣ୍ଡା ମେଡିକାଲ ରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।














