ନୟାଗଡ଼ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଲେ ନିର୍ବାଚିତ ଜନପ୍ରତିନିଧି । ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା କାର୍ଯ୍ୟକାରୀ କରିବାରେ ପ୍ରଶାସନ କରୁଥିବା ଅବହେଳା ପ୍ରତିବାଦରେ ଧାରଣା ଦିଆଯାଇଥିଲା । ଗତ ମେ ୧୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇ ୧୫ ତାରିଖରେ ବିଜେପିରେ ମିଶିଥିଲେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ। ଯାହାକୁ ନେଇ ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟ ମେ ୧୮ ତାରିଖରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ।

ଆଜି ପର୍ଯ୍ୟନ୍ତ ଅନାସ୍ଥା ପ୍ରକିୟା ଆରମ୍ଭ ହୋଇନାହିଁ। ଉପଜିଲ୍ଲାପାଳ ଅନାସ୍ଥା ପ୍ରସ୍ତାବରେ ରହିଥିବା ଦସ୍ତଖତ ଯାଞ୍ଚ କରିବାକୁ ପଠାଇ ସମୟ ଗଡ଼ାଇ ଚାଲିଥିବା ଅଭିଯୋଗ ହୋଇଛି। ଗତ ୩୦ ତାରିଖରେ ଅନେକ ଜନପ୍ରତିନିଧି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଯାଇ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କୁ ଘେରାଉ କରିଥିଲେ। ଉପଜିଲ୍ଲାପାଳଙ୍କୁ ପ୍ରଶ୍ନବାଣରେ ତାଙ୍କୁ ଛନ୍ଦିଥିଲେ। କାହିଁକି ବିଳମ୍ବ ହେଉଛି, ଚାପରେ ପ୍ରଶାସନ ଚେପା ହେଉଛି କି ବୋଲି ପ୍ରଶ୍ନ କରିଥିଲେ। ଉପଜିଲ୍ଲାପାଳ କୈାଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ପହଞ୍ଚି ଜନପ୍ରତିନିଧିଙ୍କୁ ବୁଝାଶୁଝା କରିଥିଲେ।















