ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଆନ୍ତର୍ଜାତିକ ଅଭିଲେଖାଗାର ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ପ୍ରାକ୍ତନ ପ୍ରାଧ୍ୟାପକ, ବିଶିଷ୍ଟ ଗବେଷକ, ଐତିହାସିକ ତଥା ଶିକ୍ଷାବିତ୍ ଡ. କୈଳାଶ ଚନ୍ଦ୍ର ଦାଶ । ମୁଖ୍ୟ ଅତିଥିଭାବରେ ଯୋଗଦାନ କରିଥିଲେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ, ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ, ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଯୁଗ୍ମ ନିର୍ଦ୍ଦେଶକ ତଥା ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ତଥା ସ୍ୱତନ୍ତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ବନାନୀ ମହାପାତ୍ର ।

ସମ୍ପାନରେ ଉପସ୍ଥିତ ଥିଲେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଡ. ରାଜୀବ ଲୋଚନ ସାହୁ, ଶ୍ରୀ ଗୌତମ ମହାନ୍ତି ଏବଂ ଶ୍ରୀମତୀ ମଞ୍ଜୁଳା ତ୍ରିପାଠୀ । ସମ୍ପାନର ମୁଖ୍ୟ ବକ୍ତା ଡ. କୈଳାଶ ଚନ୍ଦ୍ର ଦାଶ କହିଥିଲେ ଯେ -ନ୍ୟାୟ ପାଇଁ ଅଭିଲେଖାଗାର:ଅଧିକାର, ସ୍ମୃତି ଓ ଭବିଷ୍ୟତ ଅଭିଲେଖାଗାର ନ୍ୟାୟହାସଲ ନିମନ୍ତେ ଉଦ୍ଦିଷ୍ଟ; ଅର୍ଥାତ୍ ନ୍ୟାୟ ପାଇବାକୁ ହେଲେ ଅଭିଲେଖାଗାରର ଦଲିଲ/ପାଣ୍ଡୁଲିପି ବ୍ୟବହାର କରିବାକୁ ହେବ । ଏହି ଅଭିଲେଖାଗାରରେ ସଂରକ୍ଷିତ ହାତଲେଖା, ମୁଦ୍ରିତ ଲେଖା, ବିବରଣୀ ଅଥବା ଦଲିଲ ମାଧ୍ୟମରେ ବ୍ୟକ୍ତି, ଅନୁଷ୍ଠାନ, ସମାଜ ଓ ଦେଶର ନ୍ୟାୟୋଚିତ ଅଧିକାର ହାସଲରେ ସଫଳ ହୋଇପାରନ୍ତି ।

ସନ୍ଧିକ୍ଷଣରେ ଏହି ସମସ୍ତ ଦଲିଲ/ବିବରଣୀ ଏତେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ଯେ ବ୍ୟକ୍ତି/ଜାତି/ଅନୁଷ୍ଠାନ ନିଜ ନିଜର ଅଧିକାରକୁ ନ୍ୟାୟୋଚିତ ଭାବରେ ହାସଲ କରି ପାରନ୍ତି; ଯାହାର ଅନେକ ଦୃଷ୍ଟାନ୍ତ ରହିଛି । ଅଭିଲେଖାଗାରରେ ସୁରକ୍ଷିତ ଗୁରୁତ୍ୱପୂର୍ଣ୍ଣ ଲେଖା/ପାଣ୍ଡୁଲିପି ମଧ୍ୟ ଅତୀତର ଚିତ୍ର ବର୍ତ୍ତମାନରେ ସ୍ପଷ୍ଟ କରିପାରନ୍ତି; ଇତିହାସକୁ ପୂର୍ଣ୍ଣାଙ୍ଗ କରି ପାରନ୍ତି । ଭବିଷ୍ୟତ ମଧ୍ୟ ଅତୀତର ଚିତ୍ରଦ୍ୱାରା ପ୍ରଭାବିତ ହୋଇ ସଫଳ ମାର୍ଗରେ ପରିଚାଳିତ ହୋଇପାରନ୍ତି ।

ଏଣୁ ଅଭିଲେଖାଗାରର ଗୁରୁତ୍ୱୂପୂର୍ଣ୍ଣ ଦିଗକୁ ଉପେକ୍ଷା କରାଯାଇ ନପାରେ; ଜାତିର ସଫଳ ଜୟଯାତ୍ରା ପାଇଁ ଅଭିଲେଖାଗାର ଏକ ତୁଙ୍ଗ ମାଇଲଖୁଣ୍ଟ । ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ କହିଥିଲେ ଯେ ଅଭିଲେଖାଗାରକୁ ଛାଡ଼ିଦେଲେ ମାନବ ସଭ୍ୟତାର ଇତିାସହକୁ ଆମ୍ଭେ ପରିକଳ୍ପନା କରିପାରିବା ନାହିଁ । ଅଭିଲେଖାଗାର ମାନବ ସଭ୍ୟତାର ଇତିହାସକୁ ସାଇତି ରଖିଥାଏ । ନ’ଅଙ୍କ ଦୁର୍ଭିକ୍ଷ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଇତିହାସର ଦସ୍ତାବିଜ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଗଚ୍ଛିତ ଅଛି ।
ଅଭିଲେଖାଗାର ଗୋଟିଏ ଜାତିର ପରିଚୟ ବହନକରେ । ଏ ଜାତି କିଭଳି ସଂଘର୍ଷ, ସଂଘାତ ଭିତରେ ଗତି କରି ଆସିଛି ଏବଂ ନିଜକୁ କିଭଳି ପରିବର୍ତ୍ତନ କରିଥିଲା ତାକୁ ତନଖିତ କରିବା ସହିତ ଗୋଟିଏ ଜାତିର ପରିଚୟ ଅଭିଲେଖାଗାର ଧରି ରଖିଛି । ଅଭିଲେଖାଗାର ତତ୍କାଳୀନ ଘଟଣାବଳୀର ସ୍ପଷ୍ଟିକରଣ ଦେଇଥାଏ । ଯଦି ଆମେ ଅଭିଲେଖର ସ୍ମୃତିକୁ ସାଇତି ରଖିବା ତା’ହେଲେ ଏକ ସମନ୍ୱିତ, ସମତାପୂର୍ଣ୍ଣ, ଗଣତାନ୍ତ୍ରୀକ ସମାଜ ଗଠନ ଦିଗରେ ଆଗେଇ ପାରିବା ।
ଯେଉଁ ଯେଉଁ ଭୁଲ ଅତୀତରେ ହୋଇଥିଲା ତାକୁ ଆମେ ସୁଧାରି ପାରିବା ଏବଂ ଅଗକୁ ବଢି ପାରିବା । ଆଲୋଚନାଚକ୍ରରେ ଓଡିଶାର ଅନେକ ଗବେଷକ, ପ୍ରଶାସକ, ଐତିହାସିକ, ବୁଦ୍ଧିଜୀବି, ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ପ୍ରାଧ୍ୟାପକ, ଲେଖକ, କବି, ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।














