ବରଗଡ଼ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟ । ସାରା ସହର ଯେତେବେଳେ ଶୋଇପଡ଼ିଥିଲା, ସେତିକିବେଳେ ବରଗଡ଼ ଏକାମ୍ର ଚୌକ ନିକଟରେ ଘଟିଗଲା ଏକ ମର୍ମନ୍ତୁଦ ଓ ଦୁଃଖଦ ସଡ଼କ ଦୁର୍ଘଟଣା । ଏକ କଳା ରଙ୍ଗର ନୂଆ ପଲସର ବାଇକ୍ ଦୁର୍ଘଟଣାର ଶିକାର ହୋଇ ଡିଭାଇଡ଼ରରେ ଏତେ ଜୋରରେ ପିଟିହେଲା ଯେ ଗାଡ଼ିଟି ଦୁଇ ଖଣ୍ଡ ହୋଇଯାଇଥିଲା । ବାଇକ୍ରେ ଥିବା ଦୁଇଜଣ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ, ଅତି ଗୁରୁତର ଭାବେ ରାସ୍ତା ଉପରେ ଛଟପଟ ହେଉଥିଲେ ।

ରାତି ପ୍ରାୟ ୧୨ଟାରେ ସଂକଳ୍ପ ପରିବାର ପାଖକୁ ଏକ ଅଜଣା ନମ୍ବରରୁ ଏହି ଦୁର୍ଘଟଣାର ଖବର ଆସିଥିଲା । ଖବର ପାଇବା ମାତ୍ରେ ସମୟ ନଷ୍ଟ ନକରି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଆମ ପରିବାରର ସଭାପତି ବିକାଶ ଅଗ୍ରୱାଲ, ସଦସ୍ୟ ଚିନ୍ମୟ ପାଣ୍ଡେ ଏବଂ ସଂଯୋଜକ ନିଲେଶ ପ୍ରଧାନ । ସେଠାରେ ବରଗଡ଼ ଟାଉନ ପୋଲିସର ପ୍ରତ୍ୟକ୍ଷ ସହାୟତାରେ ସେହି ଦୁଇ ମୁମୂର୍ଷୁ ଯୁବକଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ବରଗଡ଼ ଟାଉନ ଭିତରେ ଥିବା ସି.ଏଚ୍.ସି (CHC) ହସ୍ପିଟାଲକୁ ନିଆଯାଇଥିଲା ।

ତଦନ୍ତରୁ ଜଣାପଡ଼ିଲା ଯେ, ସେହି ଦୁଇ ଯୁବକ ବରଗଡ଼ ଜିଲ୍ଲାର ବେଲଝୁରୀ ଗାଁର ବାସିନ୍ଦା । ଖବର ପାଇ ସେମାନଙ୍କ ପରିବାରବର୍ଗ ମଧ୍ୟ ତୁରନ୍ତ ସେଠାରେ ପହଞ୍ଚିଥିଲେ । ସି.ଏଚ୍.ସିରେ ସେହି ସମୟରେ ଡ୍ୟୁଟିରେ ଥିବା ଡାକ୍ତର ଜଣେ ଭଗବାନଙ୍କ ଦୂତ ସାଜି ନିଜ ଆଡ଼ୁ ଅତି ଆପଣାର ଭାବେ ସେହି ଗୁରୁତର ଯୁବକଦ୍ୱୟଙ୍କ ଜୀବନ ବଞ୍ଚାଇବାକୁ ଚିକିତ୍ସା ଆରମ୍ଭ କରିଦେଇଥିଲେ ଏବଂ

ମାନସିକ ସ୍ତରରେ ସମସ୍ତଙ୍କୁ ଧୈର୍ଯ୍ୟ ଓ ସାହସ ମଧ୍ୟ ଦେଉଥିଲେ । ଯୁବକଦ୍ୱୟଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିବାରୁ, ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ଏକ ଆମ୍ବୁଲାନ୍ସ ଯୋଗେ ପରିବାରବର୍ଗଙ୍କ ସହ ସେମାନଙ୍କୁ ବୁର୍ଲା ଭୀମସାର (VIMSAR) ହସ୍ପିଟାଲକୁ ପଠାଯାଇଛି । ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ସେମାନେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ନିଜ ପରିବାର ପାଖକୁ ଫେରିଆସନ୍ତୁ ।














