No Result
View All Result
ପୁରୀ ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ପୁରୀକୁ ଆଗମନ ଘଟିଥାଏ । ଏହି ଶ୍ରଦ୍ଧାଳୁ ମାନଙ୍କୁ ସ୍ୱେଚ୍ଛାସେବୀ ସଂଗଠନମାନେ ବିଭିନ୍ନ ପ୍ରକାର ସେବା ଯୋଗାଇ ଦେଇଥାନ୍ତି । ଏହା ମହାପ୍ରଭୁଙ୍କ ପ୍ରତି ଏକ ମହାନ ସେବା ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି । ଆଜି ପୂର୍ବାହ୍ନରେ ଟାଉନ ହଲ୍ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ସହ ଏକ ସମନ୍ୱୟ ସଭା ଅନୁଷ୍ଠିତ ହୋଇଥିଲା ।
ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ପରିଡା କହିଥିଲେ ଯେ, ବିଗତ ବର୍ଷଗୁଡ଼ିକରେ ରଥଯାତ୍ରା ସମୟରେ ସ୍ୱେଚ୍ଛାସେବୀ ମାନଙ୍କର ସେବା ଅନନ୍ୟ ଓ ପ୍ରଶଂସନୀୟ ରହିଥିଲା । ଚଳିତ ବର୍ଷ ମଧ୍ୟ ସେହିପରି ନିଷ୍ଠାର ସହ ସେବା ଯୋଗାଇ ଦେବାକୁ ସେ ଅନୁରୋଧ କରିଥିଲେ । ସେ କହିଥିଲେ ଯେ, ସ୍ୱେଚ୍ଛାସେବୀମାନେ ସେବା ମାଧ୍ୟମରେ ସେମାନଙ୍କର ପରିଚୟ ସୃଷ୍ଟି କରିବା ଆବଶ୍ୟକ । ସେମାନଙ୍କର ଅନୁଭବ ଓ ଦକ୍ଷତାକୁ କାମରେ ଲଗାଇ ମହାପ୍ରଭୁଙ୍କ କାର୍ଯ୍ୟରେ ବିଭିନ୍ନ ସେବା ଯୋଗାଇ ଦେବା ଉଚିତ । ଆବେଦନ କରୁଥିବା ସ୍ୱେଚ୍ଛାସେବୀ ସଂଗଠନମାନଙ୍କର କାର୍ଯ୍ୟାବଳୀର ସମୀକ୍ଷା କରାଯିବ ଏବଂ ଯେଉଁମାନେ ସଠିକ ଭାବେ ସେବା କାର୍ଯ୍ୟ କରୁନାହାନ୍ତି ସେମାନଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ ।
ଏସ୍ପି ପ୍ରତୀକ ସିଂ କହିଥିଲେ ଯେ, ରଥଯାତ୍ରା ସମୟରେ ଶୃଙ୍ଖଳିତ ଭାବେ ସେବା ଯୋଗାଇବା ଅର୍ଥ ହେଉଛି ମହାପ୍ରଭୁଙ୍କ ସେବା କରିବା । ତେଣୁ ବିଭିନ୍ନ ସେବାରେ ନିୟୋଜିତ ସ୍ୱେଚ୍ଛାସେବୀମାନେ ପ୍ରକୃତ ସେବା ମନୋଭାବ ନେଇ କାମ କରିବାକୁ ସଂକଳ୍ପବଦ୍ଧ ହେବା ଉଚିତ । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଡ଼. ଶରତ ଚନ୍ଦ୍ର ମହାପାତ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଗତ ବର୍ଷମାନଙ୍କ ଭଳି ଉନ୍ନତ ସେବା ଯୋଗାଇବାକୁ ସ୍ୱେଚ୍ଛାସେବୀମାନଙ୍କୁ ଅନୁରୋଧ କରିଥିଲେ। ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ।
ଖାଦ୍ୟ ଓ ପାନୀୟ ଯୋଗାଉଥିବା ସଂଗଠନମାନଙ୍କୁ ନିର୍ଦ୍ଧାରିତ ସ୍ଥାନରେ ସମୟ ପୂର୍ବରୁ ପହଞ୍ଚିବା, ଡଷ୍ଟବିନ୍ ରଖିବା, ବ୍ୟବହୃତ ସ୍ଥାନକୁ ପରିଷ୍କାର ରଖିବା ଏବଂ ଅଳିଆକୁ ନିୟମିତ ଭାବେ ଅପସାରଣ କରିବାକୁ ପରାମର୍ଶ ଦିଆଯାଇଥିଲା । ବଡ଼ ବଡ଼ ଜରି ଅଖାରେ ଅବର୍ଜନା ସଂରକ୍ଷଣ କରି କାର୍ଯ୍ୟ ଶେଷ ପରେ ତାହାକୁ ଅପସାରଣ କରିବାକୁ ମଧ୍ୟ କୁହାଯାଇଥିଲା । ସଭାରେ ସ୍ୱାସ୍ଥ୍ୟ ସେବା, ଆମ୍ବୁଲାନ୍ସ ସେବା, ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ, ପାନୀୟ ଜଳ ବଣ୍ଟନ, ଜଳ ସିଞ୍ଚନ, ଶାନ୍ତିଶୃଙ୍ଖଳା ରକ୍ଷା, ପରିମଳ ବ୍ୟବସ୍ଥା ଓ ସୂଚନା ସେବା ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା ସହ ବିଭିନ୍ନ ପ୍ରସ୍ତାବ ଓ ପରାମର୍ଶ ଗ୍ରହଣ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ସଭାରେ ପୁରୀ ମହାନଗର ନିଗମ କମିଶନର ସ୍ନେହା ଅରୁଗୁଳା, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ, ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ଉପଜିଲ୍ଲାପାଳ ରାଜକିଶୋର ଜେନା, ଅତିରିକ୍ତ ଏସ୍ପି ସଚିନ ପଟେଲ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନୁଶ୍ରବ ଗନ୍ତାୟତ ଓ ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ସଭାରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ମଧ୍ୟ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ରଖିଥିଲେ । ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ ।





No Result
View All Result