ରଣପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରଣପୁର ବ୍ଲକରେ ଆଜି ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀଙ୍କ ଅକାଳ ବିୟୋଗ ଘଟଣା ସମଗ୍ର ଶିକ୍ଷା ମହଳକୁ ଶୋକାକୁଳ କରିଦେଇଛି । ଆଜି ସକାଳେ ରଣପୁର ଗୋପାଳପୁର ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମାନସ କୁମାର ସାହୁଙ୍କ ଦେହାନ୍ତ ଘଟିଥିଲା । ତାଙ୍କୁ ରଣପୁର ମେଡିକାଲକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପାର୍ଥିବ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

ପରେ ଗୋପାଳପୁର ବଜାରରେ ଏକ ଶୋକାକୁଳ ଶୋଭାଯାତ୍ରା କରାଯାଇ ଗୋପାଳପୁର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ନିଆଯାଇଥିଲା। ଏହି ଶୋଭାଯାତ୍ରାରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକମାନେ ଯୋଗଦେଇ ସ୍ବର୍ଗତ ଶିକ୍ଷକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ତାଙ୍କ ପାର୍ଥିବ ଶରୀରକୁ ଜନ୍ମଭୂମି ଦେଉଳିକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ମେଡିକାଲକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ ।
















