ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଏ-୧ ଏବଂ ଏ-୨ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରୀମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଚଳିତ ପରୀକ୍ଷାରେ ବିଦ୍ୟାଳୟର ଛାତ୍ରୀ ବୈଭବି ଦିବ୍ୟଦର୍ଶନୀ ମୋଟ ୫୪୪ ନମ୍ବର (୯୦.୬୬%) ରଖି ଏ-୧ ଗ୍ରେଡରେ ପାସ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।

ତାଙ୍କର ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସାଜିଛି। ସେହିପରି ଏ-୨ ଗ୍ରେଡରେ ସଫଳତା ପାଇଥିବା ତିନିଜଣ ଛାତ୍ରୀ ସ୍ଥିତ ପ୍ରଜ୍ଞା ସାହୁ (୫୧୬ ନମ୍ବର), ଶୁଭଲକ୍ଷ୍ମୀ ପ୍ରଧାନ (୫୧୩ ନମ୍ବର) ଏବଂ ଧ୍ରିତି ମଧୁଲିକା (୫୧୧ ନମ୍ବର)ଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।














